‘ସରକାର ବିଚାରପତିଙ୍କୁ ବଦନାମ କରିବାକୁ ପ୍ରୟାସ କରୁଛନ୍ତି’

0
152

ନୂଆଦିଲ୍ଲୀ: ଏବେ ଏକ ନୂଆ ଟ୍ରେଣ୍ଡ ବା ଧାରା ଆରମ୍ଭ ହୋଇଛି । ପୂର୍ବରୁ ଯାହା ଘରୋଇ ସଂସ୍ଥା କରୁଥିଲେ। ଏବେ ତାହା ସରକାର କରୁଛନ୍ତି । ସରକାର ବିଚାରପତିମାନଙ୍କୁ ବଦନାମ କରିବା ଆରମ୍ଭ କରିଛନ୍ତି ଏବଂ ଏହା ଦୁର୍ଭାଗ୍ୟଜନକ ବୋଲି ପ୍ରଧାନ ବିଚାରପତି ଏନଭି ରମନ୍ନା ଶୁକ୍ରବାର କହିଛନ୍ତି। ତିନି ଜଣିଆ ଖଣ୍ଡପୀଠର ନେତୃତ୍ୱ ନେଉଥିବା ପ୍ରଧାନ ବିଚାରପତି କହିଛନ୍ତି, ଆମେ ମଧ୍ୟ କୋର୍ଟରେ ଦେଖୁଛୁ। ଏହା ଏକ ନୂଆ ଟ୍ରେଣ୍ଡ। ଆଗରୁ ଆମେ ଘରୋଇ ସଂସ୍ଥାକୁ ଏଭଳି କୌଶଳ ଅବଲମ୍ବନ କରୁଥିବା ଦେଖିବାକୁ ପାଇଥିଲୁ। ଏହା ଆମେ ପ୍ରତିଦିନ ଦେଖୁଛୁ।

ଛତିଶଗଡ ହାଇକୋର୍ଟର ଦୁଇ ଜଣିଆ ଖଣ୍ଡପୀଠଙ୍କ ଆଦେଶ ବିରୋଧରେ ଏକ ଆବେଦନର ଶୁଣାଣି କରୁଥିବାବେଳେ ପ୍ରଧାନ ବିଚାରପତି ଏନ.ଭି ରମନ୍ନା ଏପରି ଏକ ଟିପ୍ପଣୀ କରିଛନ୍ତି । ୨୦୨୦ରେ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ପ୍ରମୁଖ ସଚିବ ଅମନ ସିଂହ ଓ ତାଙ୍କ ପତ୍ନୀ ଜଶମିନ ସିଂହଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ଏଫଇଆର ରୁଜୁ ହୋଇଥିଲା। ବିଜେପି ସରକାରରୁ ହଟିବା ଓ କଂଗ୍ରେସ ଦଳ କ୍ଷମତାକୁ ଆସିବା ପରେ ଏହି ମାମଲାକୁ ଖାରଜ କରିଦିଆଯାଇଥିଲା।

ସାମାଜିକ ଓ ଦୁର୍ନୀତି ନିବାରଣ କର୍ମୀ ଉତ୍କର୍ଷ ଶର୍ମାଙ୍କ ଅଭିଯୋଗ ଆଧାରରେ ରାଜ୍ୟ ପୁଲିସର ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ଫେବ୍ରୁଆରି ୨୫, ୨୦୨୦ରେ ଏହି ଏଫଆଇଆର ରୁଜୁ ହୋଇଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅମନ ସିଂହ ଓ ଜଶମିନଙ୍କ ସମ୍ପତ୍ତିର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଶର୍ମା ଅଭିଯୋଗ କରିଥିଲେ।

୨୮ ଫେବୃଆରୀ ୨୦୨୦ରେ ଛତିଶଗଡ଼ ହାଇକୋର୍ଟ ଏକ ଅନ୍ତରୀଣ ଆଦେଶରେ ଉଭୟଙ୍କ ବିରୋଧରେ କୌଣସି ବଳପୂର୍ବକ ପଦକ୍ଷେପ ନ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଜାନୁଆରୀ ୧୦, ୨୦୨୨ରେ ଛତିଶଗଡ ହାଇକୋର୍ଟ ନିର୍ଦ୍ଦେଶ ଦେଇ ଏଫଆଇଆରକୁ ରଦ୍ଦ କରିଦେଇଥିଲେ । ଆବେଦନକାରୀଙ୍କ ବିରୋଧରେ ଲଗାଯାଇଥିବା ସମସ୍ତ ଅଭିୟୋଗ ସମ୍ଭାବ୍ୟ ଉପରେ ଆଧାରିତ ଏବଂ କୌଣସି ବ୍ୟକ୍ତିଙ୍କୁ ସମ୍ଭାବ୍ୟତା ଦଷ୍ଟିରୁ ବା ଆଧାରରେ ବିଚାର କରାଯାଇପାରିବ ନାହିଁ।

ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେବା ବେଳେ ଉଲ୍ଲେଖ କରିଛନ୍ତି ଯେ ଉତ୍କର୍ଷ ଶର୍ମାଙ୍କ ଅଭିଯୋଗକୁ ମୁଖ୍ୟମନ୍ତ୍ରୀ ନିଜେ ସମର୍ଥନ କରିଛନ୍ତି ତେଣୁ ଏହାର ତଦନ୍ତ କ୍ରାଇମବ୍ରାଞ୍ଚ, ଇଓଡବ୍ଲ୍ୟୁ ଦ୍ୱାରା କରାଯାଉ। ଏହାପରେ ୨୦୧୯ ନଭେମ୍ବର ୧୧ରେ ଅମନ ସିଂହଙ୍କ ବିରୋଧରେ ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଥିଲା। ଉଭୟ ଉତ୍କର୍ଷ ଶର୍ମା ଓ ରାଜ୍ୟ ସରକାର ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଆବେଦନଗୁଡ଼ିକୁ ବିଚାରକୁ ନେଇ ପ୍ରଧାନ ବିଚାରପତି ଶୁଣାଣି ବେଳେ କହିଥିଲେ, ସରକାର ବିଚାରପତିମାନଙ୍କୁ ବଦନାମ କରୁଛନ୍ତି ଏବଂ ଏହା ଏକ ନୂଆ ଧାରା । କିନ୍ତୁ ରମନ୍ନା କୋର୍ଟରେ ଏପରି କଥା କେଉଁ ଉଦ୍ଦେଶ୍ୟରେ କହିଲେ ତାହା ଅସ୍ପଷ୍ଟ ରହିଛି।

Also Read  ଜନମତ ସେବା ପାଇଁ ଆମ ସଂକଳ୍ପକୁ ଆହୁରି ଦୃଢ଼ କରିଛି : ସୁପ୍ରିମୋ

LEAVE A REPLY

Please enter your comment!
Please enter your name here