ମୁମ୍ଵାଇ : ବଲିଉଡ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟ ଦୁହେଁ ପ୍ରେମ ସମ୍ପର୍କକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଏହି ଦୁଇ ଲଭ୍ବାର୍ଡଙ୍କ ଯୋଡି ଫିଲ୍ମ ବ୍ରହ୍ମାସ୍ତ୍ରରେ ପ୍ରଥମ ଥର ପାଇଁ ନଜର ଆସିବାକୁ ଥିବା ବେଳେ ରଣବୀର ଓ ଆଲିଆଙ୍କର କିଛି ବିବାହ ଫଟୋ ଏବେ ଖୁବ୍ ଭାଇରାଲ୍ ହେବାକୁ ଲାଗିଛି। ଫଳରେ ଏହି କପୁଲ୍ ଲୁଚିଛପି ବିବାହ କରିଥିବା ନେଇ ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି। ତେବେ ଆପଣ ଜାଣିବାକୁ ଚାହୁଁଛନ୍ତି କି ଏହି ଭାଇରାଲ୍ ଫଟୋ ପଛର ସତ୍ୟତା କଣ ?
ସୂଚନା ଅନୁଯାୟୀ, ୱେଡିଂ ୱାକ୍ ନାମକ ଏକ ଇନଷ୍ଟାଗ୍ରାମ୍ ପେଜ୍ରେ ରଣବୀର-ଆଲିଆଙ୍କ ବିବାହ ବେଳର ଫଟୋ ଅପଲୋଡ୍ ହୋଇଛି। ଏହି ଫଟୋରେ ଦୁହେଁ ଦୁହିଁଙ୍କୁ ବରଣମାଳା ପିନ୍ଧାଉଥିବା ନଜର ଆସିଛନ୍ତି। ଏହି ଫଟୋର କ୍ୟାପ୍ସନରେ ଲେଖାହୋଇଛି ଯେ, ଶେଷରେ ଅପେକ୍ଷାର ଅନ୍ତ ହେଲା। ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବିବାହ ହୋଇଯାଇଛି। ଆମେ ତାଙ୍କର ବିବାହ ବେଳର ଅନ୍ୟ ଫଟୋ ଦେଖିବାକୁ ଖୁବ୍ ଇଚ୍ଛୁକ ଅଛୁ। ହ୍ୟାପି ଏପ୍ରିଲ୍ ଫୁଲ୍ ଡେ। ଏହା ତୁମର ବନ୍ଧୁମାନଙ୍କୁ ପଠାନ୍ତୁ ଏବଂ ସେମାନଙ୍କୁ ଫୁଲ୍ ବନାନ୍ତୁ।
ଏହି ଫଟୋର କ୍ୟାପ୍ସନ୍ରୁ ସ୍ପଷ୍ଟ ଜଣା ପଡୁଛି ଯେ, ଆଲିଆ ଏବଂ ରଣବୀର ଦୁହେଁ ବିବାହ କରି ନାହାଁନ୍ତି। ଏହା କେବଳ ଏକ ପ୍ରାଙ୍କ୍ ଥିଲା। ଏପ୍ରିଲ୍ ଫୁଲ୍ ବନାଇବା ପାଇଁ ଏହି ଫଟୋ ଅପଲୋଡ୍ କରାଯାଇଛି। ଏହା ରଣବୀର ଓ ଆଲିଆଙ୍କ ଅସଲି ବିବାହ ବେଳର ଫଟୋ ନୁହେଁ ବରଂ ଫଟୋସପ୍ରେ ଏହି ଫଟୋକୁ ଏଡିଟ୍ କରାଯାଇଛି। ତେବେ ଏହି ପୋଷ୍ଟରେ ଜଣେ ସୋସିଆଲ୍ ମିଡିଆ ୟୁଜର କମେଣ୍ଟ କରିଛନ୍ତି ଯେ, ଏହା ସତ ହୋଇଥାନ୍ତା କି ?
ପ୍ରକାଶ ଥାଉକି, ରଣବୀର ଏବଂ ଆଲିଆ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। କପୁର ପରିବାରର ପୈତୃକ ଘରେ ଏହି ବିବାହ ହେବ। ରଣବୀର ନିଜେ ଏହି ସ୍ଥାନକୁ ଫାଇନାଲ୍ କରିଛନ୍ତି। କାରଣ ରଣବୀର ତାଙ୍କର ଜେଜେବାପା କୃଷ୍ଣା ରାଜାଙ୍କୁ ଖୁବ୍ ଭଲ ପାନ୍ତି। ଋଷି କପୁର ଏବଂ ନୀତୁ କପୁରଙ୍କ ବିବାହ ମଧ୍ୟ ଏହି ଘରେ ହୋଇଥିଲା। ଏହି କାରଣରୁ ରଣବୀର ଚେମ୍ଵୁର ସ୍ଥିତ ତାଙ୍କର ପୈତୃକ ଘରେ ଆଲିଆଙ୍କ ସହ ବିବାହ କରିବାକୁ ଚାହୁଁଛନ୍ତି। ମିଡିଆ ରିପୋର୍ଟସ୍ ଅନୁଯାୟୀ, ଏହି ବିବାହରେ ୪୫୦ ଜଣଙ୍କୁ ନିମନ୍ତ୍ରଣ ମିଳିବ।