ସ୍ନେହଲତା ଛତ୍ରିଆ ଗଣଦୁଷ୍କର୍ମ, ହତ୍ୟା ମାମଲା : କ୍ରାଇମବ୍ରାଞ୍ଚକୁ ଦାଖଲ କରିବ ଚାର୍ଜସିଟ୍‌

0
919

ବଲାଙ୍ଗୀର : ବହୁଚର୍ଚ୍ଚିତ ସ୍ନେହଲତା ଛତ୍ରିଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ୍‌କୁ ଏକ ବଡ଼ ଝଟ୍‌କା ଲାଗିଛି। ୨୦୧୫ ମସିହାରେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ସର୍ଗିପାଲି ଗାଁରେ ଦଳିତ ନାବାଳିକା ସ୍ନେହଲତା ଛତ୍ରୀଆଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା। ଏହି ମାମଲାରେ ଏ ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ଚାର୍ଜସିଟ୍‌ ଦାଖଲ କରିନାହିଁ। ଏହାକୁ ନେଇ ବଲାଙ୍ଗୀର ପୋକ୍ସୋ କୋର୍ଟ କ୍ରାଇମବ୍ରାଞ୍ଚ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କୁ ମାମଲାର ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବା ସହ ଶୀଘ୍ର ଚାର୍ଜସିଟ୍‌ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସର୍ଗିପାଲି ଗାଁର ଆର୍ତ୍ତ ଛତ୍ରୀଆ ଓ ମା ଡାଲିମ୍ବଙ୍କ ଝିଅ ସ୍ନେହଲତା ଛତ୍ରୀଆ (୧୫ବର୍ଷ)। ୨୦୧୫ମସିହା ମେ ୨୨ ତାରିଖରେ ଅପହରଣ ଓ ଗଣଧର୍ଷଣ ସହିତ ତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଘଟଣାରେ ଖପ୍ରାଖୋଲ ପୁଲିସର ନିଷ୍କ୍ରିୟତା ବିରୋଧରେ ୨୦୧୫ ମସିହା ଜୁନ୍‌ ୨୧ ତାରିଖରେ ଏକ ବିଶାଳ ଜନଆନ୍ଦୋଳନ ହୋଇଥିଲା। ଫଳରେ ପୁଲିସ ସେହି ସର୍ଗିପାଲି ଗାଁର ଦୁଇଜଣ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଏହାର ୪ଦିନ ପରେ ଘଟଣାର ତଦନ୍ତ ଦାୟିତ୍ୱ ପୁଲିସ ହାତରୁ କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା। କିନ୍ତୁ, କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତରେ ଆଗ୍ରହ ପ୍ରକାଶ କରିନଥିଲା। ସେହି କାରଣରୁ ଠିକ୍‌ ସମୟରେ ଅଭିଯୁକ୍ତମାନଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ ହୋଇନଥିଲା। ଫଳରେ ଅଭିଯୁକ୍ତମାନେ କୋର୍ଟରୁ ଜାମିନ ପାଇଥିଲେ।

ତେବେ, ଘଟଣାର ୭ ବର୍ଷ ପରେ ମଧ୍ୟ ଚାର୍ଜସିଟ୍‌ ଦାଖଲ ହୋଇନଥିବା କାରଣରୁ ମୃତ ସ୍ନେହଲତାଙ୍କ ବାପା ଆର୍ତ୍ତ ଛତ୍ରୀଆ ନିଜେ ମାନବାଧିକାର କର୍ମୀ ତଥା ଓକିଲ ଦୀନେଶ ନାଗଙ୍କ ଜରିଆରେ ବଲାଙ୍ଗୀର ସ୍ୱତନ୍ତ୍ର ପୋକ୍ସୋ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ବଲାଙ୍ଗୀର ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଆବେଦନକୁ ଗ୍ରହଣ କରି ଜିଆର୍‌ କେସ୍‌ ନମ୍ବର ୨୧/୨୦୧୫ରେ ମାମଲାର ତଦନ୍ତ କରୁଥିବା ରାଜ୍ୟ କ୍ରାଇମବ୍ରାଞ୍ଚକୁ ନୋଟିସ କରିଛନ୍ତି। ଆସନ୍ତା ଫେବ୍ରୁଆରି ୨୮ତାରିଖ ଭିତରେ ଏହି ମାମଲାର ତଦନ୍ତର ଷ୍ଟାଟସ୍‌ ରିପୋର୍ଟ ସହିତ ତୁରନ୍ତ ଚାର୍ଜସିଟ ଦାଖଲ କରିବାକୁ ନିର୍ଦେଶ ରହିଛି। ଗତ ଜାନୁଆରି ୩୧ ତାରିଖରେ ହୋଇଥିବା ଉକ୍ତ କୋର୍ଟ ନିର୍ଦ୍ଦେଶ ପରେ ନାଲିଫିତା ତଳେ ଚାପି ହୋଇ ରହିଥିବା ସ୍ନେହଲତା ମାମଲା ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି।

Also Read  ମୁମ୍ବାଇକୁ ଆସିଛନ୍ତି ୧୦୦୦ ଆଫ୍ରିକୀୟ ଯାତ୍ରୀ

LEAVE A REPLY

Please enter your comment!
Please enter your name here