ୟୁକ୍ରେନ୍‌ରେ ଅନ୍ୟୂନ ୭୦୦୦ ରୁଷୀୟ ସୈନିକ ନିହତ ଓ ୧୪,୦୦୦ରୁ ଅଧିକ ଆହତ ହୋଇଛନ୍ତି: ଆମେରିକା

0
566

ନୂଆଦିଲ୍ଲୀ: ୟୁକ୍ରେନ୍‌ ବିପକ୍ଷରେ ମାତ୍ର ୩ ସପ୍ତାହ ଯୁଦ୍ଧ କରିଥିବା ବେଳେ ରୁଷ୍‌ର ଅନ୍ୟୂନ ୭୦୦୦ ସୈନିକଙ୍କର ମୃତ୍ୟୁ ଘଟିଥିବା କଥା ଯୁକ୍ତରାଷ୍ଟ୍ର ଆମେରିକାର ଗୁଇନ୍ଦା ବିଭାଗ ଆକଳନ କରିଛି। ଏହା ବ୍ୟତିରେକେ, ଯୁଦ୍ଧରେ ଅନ୍ୟୂନ ୩ଜଣ ରୁଷୀୟ ଜେନେରାଲ୍‌ଙ୍କର ମୃତ୍ୟୁ ଘଟିଛି ଓ ୧୪,୦୦୦ରୁ ୨୧୦୦୦ ସୈନିକ ଆହତ ହୋଇଛନ୍ତି। ସେପଟେ, ମେଲିଟୋପଲ୍‌ର ମେୟର୍‌ଙ୍କୁ ମୁକ୍ତ କରିବା ଲାଗି ୟୁକ୍ରେନ୍‌ ବନ୍ଦୀ କରିଥିବା ୯ରୁ ଅଧିକ ରୁଷୀୟ ସୈନିକଙ୍କୁ ଛାଡ଼ି ଦେଇଥିବା କଥା ଜଣେ ୟୁକ୍ରେନୀୟ ସରକାରୀ ଅଧିକାରୀ କହିଛନ୍ତି। ଏ ପ୍ରସଙ୍ଗରେ ସେ କହିଛନ୍ତି, ଧରାପଡ଼ି ଛାଡ଼ ପାଇଥିବା ରୁଷୀୟ ସୈନିକମାନେ ୨୦୦୨/୦୩ରେ ଜନ୍ମ ଗ୍ରହଣ କରିଥିଲେ। ବାସ୍ତବରେ ସେମାନେ ପିଲା।

ସେହିପରି କ୍ରେମ୍‌ଲିନ୍‌ ମଧ୍ୟ କହିଛି ଯେ, ବାଇଡେନ୍‌ ପୁଟିନ୍‌ଙ୍କୁ ଯୁଦ୍ଧ ଅପରାଧୀ କହିବା ଅଗ୍ରହଣୀୟ। ସାଧାରଣ ନାଗରିକାମାନଙ୍କ ପାଇଁ ବିଧ୍ବସ୍ତକାରୀ ପରିଣାମ ଆଣିବା ସହ ରୁଷ୍‌ ୟୁକ୍ରେନ୍‌ ଆକ୍ରମଣ ଜାରି ରଖିଥିବାରୁ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କୁ ବୁଧବାର ଦିନ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ୍‌ ଯୁଦ୍ଧ ଅପରାଧୀ ବୋଲି କହିଥିଲେ। ଏହାର ପ୍ରତ୍ୟୁତ୍ତର ଦେଇ କ୍ରେମ୍‌ଲିନ୍‌ କହିଛି, ପୁଟିନ୍‌ଙ୍କ ବିରୋଧରେ ବାଇଡେନ୍‌ଙ୍କ ମନ୍ତବ୍ୟ ଅଗ୍ରହଣୀୟ ଏବଂ ଅକ୍ଷମଣୀୟ। ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍‌ସ୍କି ମଧ୍ୟ କହିଛନ୍ତି ଯେ, ୟୁକ୍ରେନ୍‌ ପାଇଁ ଅଧିକ ସମର୍ଥନ ଏବଂ ଶାନ୍ତି ପାଇଁ ରୁଷ୍‌ ଉପରେ ଅଧିକ ଚାପ ପ୍ରୟୋଗ ପାଇଁ ସେ ଲଢ଼େଇ ଚାଲୁ ରଖିବେ। ସେଥିପାଇଁ ସେ ଆଜି ଜର୍ମାନ୍‌ ସଂସଦରେ ଉଦ୍‌ବୋଧନ ଦେବେ।

ନେକ୍‌ଷ୍ଟା ଟିଭି ରିପୋର୍ଟ ଅନୁସାରେ, ମାରିଉପୋଲ୍‌ରେ ଗୋଟାଏ ଡ୍ରାମା ଥିଏଟର୍‌ ଉପରେ ରୁଷ୍‌ ବୋମା ମାଡ଼ କରିଛି। ଥିଏଟର୍‌ ସମ୍ମୁଖରେ ବିରାଟ ଅକ୍ଷରରେ ‘ପିଲାମାନେ’ ଲେଖା ଯାଇଥିଲା। କିନ୍ତୁ, ରୁ‌ଷ୍‌ ବୋମା ବର୍ଷଣ ବନ୍ଦ କଲାନାହିଁ। ଆଞ୍ଚଳିକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସେତେବେଳେ ଥିଏଟର୍‌ ମଧ୍ୟରେ ୧୦୦୦ଜଣ ଲୋକ ଥିଲେ। ଏବେ ସେମାନେ ଥିଏଟର୍‌ ଘରର ଭଗ୍ନସ୍ତୂପ ଭିତରେ ପ‌ୋତି ହୋଇ ପଡ଼ିଛନ୍ତି। କେତେ ମରିଛନ୍ତି, କେତେ ଆହତ ହୋଇଛନ୍ତି, ସେ କଥା ଜଣାପଡ଼ିନାହିଁ।

Also Read  ଋଣ ନାଁରେ ବିଭିନ୍ନ ସଂସ୍ଥାଙ୍କୁ ୧୦୦ କୋଟିର ଚୂନ୍ ଲଗାଇଛନ୍ତି ଦମ୍ପତି, ବନ୍ଧାହେଲେ ପତ୍ନୀ