ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ପୂର୍ବତନ ହେଡ୍ କୋଚ୍ ରବି ଶାସ୍ତ୍ରୀଙ୍କ ବଡ ବୟାନ ସାମ୍ନାକୁ ଆସିଛି । ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ଦିନିକିଆ କ୍ୟାରିୟରକୁ ନେଇ ସେ ରୋମାଞ୍ଚକର କଥା କହିଛନ୍ତି । ଶାସ୍ତ୍ରୀ କହିଛନ୍ତି, ୨୦୨୩ ବିଶ୍ବକପ ପରେ ହାର୍ଦ୍ଧିକ ପାଣ୍ଡ୍ୟା ଦିନିକିଆ ଫର୍ମାଟରୁ ଦୂରେଇ ଯାଇପାରନ୍ତି । ଏହା ପଛରେ କାରଣ ମଧ୍ୟ ସେହିଭଳି ରହିଛି । କାରଣ କ୍ରିକେଟର ମାନେ ଲଗାତାର ଭାବେ ୩ଟି ଯାକ ଫର୍ମାଟରେ ଖେଳିବା ହେତୁ ଶାରୀରିକ ଏବଂ ମାନସିକ ଭାବେ ଥକା ଅନୁଭବ କରୁଛନ୍ତି ।
ଦିନିକିଆ କ୍ରିକେଟକୁ ନେଇ ରବି ଶାସ୍ତ୍ରୀ କହିଛନ୍ତି, ‘କ୍ରିକେଟରମାନେ ମୁଖ୍ୟତଃ ସେହି ଫର୍ମାଟକୁ ଚୟନ କରନ୍ତି ଯେଉଁଥିରେ ସେ ଖେଳିବାକୁ ଚାହାନ୍ତି । ପାଣ୍ଡ୍ୟା ହେଉଛନ୍ତି ତାହାର ଉଦାହରଣ । ସେ ମୁଖ୍ୟତଃ ଟ୍ବେଣ୍ଟି ଟ୍ବେଣ୍ଟି କ୍ରିକେଟକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ଏଥିନେଇ ତାଙ୍କର ସ୍ପଷ୍ଟତା ମଧ୍ୟ ରହିଛି’।
ଶାସ୍ତ୍ରୀ କହିଛନ୍ତି, ‘୫୦ ଓଭର ଫର୍ମାଟର ଗୁରୁତ୍ବ ଆଗାମୀ ଦିନରେ କମ ହୋଇପାରେ । କିନ୍ତୁ ପୁରାପୁରି ଭାବେ ଶେଷ ହେବ ନାହିଁ । କେବଳ ଦିନିକିଆ ବିଶ୍ବକପ ଉପରେ ହିଁ ଧ୍ୟାନ ରହିପାରେ । ଦ୍ବିପାକ୍ଷିକ ମ୍ୟାଚ କିମ୍ବା ସିରିଜ ବର୍ତ୍ତମାନ ଅପେକ୍ଷା କମ ହୋଇପାରେ । ଆଇସିସ ଦୃଷ୍ଟି କୋଣରୁ ବିଶ୍ବକପକୁ ଅଧିକ ଗୁରୁତ୍ବ ଦିଆଯିବା ଉଚିତ । ସେ ଟ୍ବେଣ୍ଟି ଟ୍ବେଣ୍ଟି ହେଉ କିମ୍ବା ଦିନିକିଆ । ପୂର୍ବଭଳି ଟେଷ୍ଟ କ୍ରିକେଟ ଚାଲୁ ରହିବ । କାରଣ ଏହା କ୍ରିକେଟ ପାଇଁ ମହତ୍ତ୍ବପୂର୍ଣ୍ଣ । ଅନେକ ଖେଳାଳି ପୂର୍ବରୁ ହିଁ ଭାବିନିଅନ୍ତି କି ସେମାନେ କେଉଁ ଫର୍ମାଟରେ ଖେଳିବାକୁ ଅଧିକ ପସନ୍ଦ କରିବେ । ଯାହାର ଉଦାହରଣ ହେଉଛନ୍ତି ହାର୍ଦ୍ଧିକ ପାଣ୍ଡ୍ୟା’।
ପାଣ୍ଡ୍ୟା କେବଳ ଟ୍ବେଣ୍ଟି ଟ୍ବେଣ୍ଟି ଫର୍ମାଟ ଖେଳିବାକୁ ଚାହୁଁଛନ୍ତି । ତାଙ୍କ ମସ୍ତିସ୍କରେ ଏହା ଚାଲୁଛି ଯେ, ସେ କେବଳ ଟି-୨୦ ଫର୍ମାଟ ଖେଳିବେ ବାକି ଫର୍ମାଟ ଖେଳିବେ ନାହିଁ ବୋଲି ରବି ଶାସ୍ତ୍ରୀ କହିଛନ୍ତି । ଆସନ୍ତା ବର୍ଷ ଦିନିକିଆ ବିଶ୍ବକପ ଥିବାରୁ ସେ ଦିନିକିଆ କ୍ରିକେଟ ବର୍ତ୍ତମାନ ଖେଳିବା ଜାରି ରଖିବେ । ବିଶ୍ବକପ ପରେ କିନ୍ତୁ ସେ ଦିନିକିଆ ଫର୍ମାଟକୁ ଦୂରେଇ ଯାଇପାରନ୍ତି । କେବଳ ପାଣ୍ଡ୍ୟା ନୁହନ୍ତି ଅନ୍ୟ ଖେଳାଳିମାନେ ମଧ୍ୟ ତାହା କରିପାରନ୍ତି ବୋଲି ରବି ଶାସ୍ତ୍ରୀ କହିଛନ୍ତି ।