ନୂଆଦିଲ୍ଲୀ: ୨,୯୨୫ କୋଟି ଟଙ୍କାର ବ୍ୟାଙ୍କ ଋଣ ପରିଶୋଧ କରି ଏବେ ସମ୍ପୂର୍ଣ୍ଣ ଋଣମୁକ୍ତ କମ୍ପାନି ବୋଲି ଶୁକ୍ରବାର ଦିନ ଦେଶର ପ୍ରମୁଖ ଖାଇବା ତେଲ କମ୍ପାନି ‘ରୁଚି ସୋୟା’ କହିଛି। ବାବା ରାମଦେବଙ୍କ ‘ପତଞ୍ଜଳି ଆୟୁର୍ବେଦ’ ମାଲିକାନାରେ ଥିବା ‘ରୁଚି ସୋୟା’ ନିକଟ ଅତୀତରେ ‘ଫଲୋ-ଅନ୍ ପବ୍ଲିକ୍ ଅଫର୍’ ଜରିଆରେ ୪,୩୦୦ କୋଟି ଟଙ୍କା ଯୋଗାଡ଼ କରିଥିଲା। ଏଥିରୁ କିଛି ଅଂଶ ବ୍ୟୟ କରି ବ୍ୟାଙ୍କ୍ ଋଣ ପରିଶୋଧ କରାଯାଇଛି। ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, ପଞ୍ଜାବ ନ୍ୟାସ୍ନାଲ୍ ବ୍ୟାଙ୍କ୍, ୟୁନିୟନ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, ସିଣ୍ଡିକେଟ୍ ବ୍ୟାଙ୍କ୍ ଏବଂ ଆହ୍ଲାବାଦ ବ୍ୟାଙ୍କ୍ରୁ ‘ରୁଚି ସୋୟା’ ଋଣ କରିଥିଲା।
‘ରୁଚି ସୋୟା’ ଋଣମୁକ୍ତ ବୋଲି ‘ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍’ର ପରିଚାଳନା ନିର୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣ ଟୁଇଟ୍ କରି ଜଣାଇଛନ୍ତି। ସୂଚନାଯୋଗ୍ୟ, ୨୦୧୯ରେ ୪,୩୫୦ କୋଟି ଟଙ୍କା ବିନିମୟରେ ‘ପତଞ୍ଜଳି’ ‘ରୁଚି ସୋୟା’କୁ ଖରିଦ କରିଥିଲା। ସେୟାର୍ର ବିକ୍ରିରୁ ପ୍ରାପ୍ତ ଅର୍ଥ ପ୍ରସଙ୍ଗରେ କମ୍ପାନିର ଜଣେ ମୁଖପାତ୍ର କହିଛନ୍ତି ଯେ, ଉଧାରଦାତାମାନଙ୍କୁ କମ୍ପାନି ୧,୯୫୦ କୋଟି ଟଙ୍କା ପରିଶୋଧ କରିଦେବ।

























