୨୯ ଯାଏ ବର୍ଷା : ରାଜ୍ୟରୁ ୫ ଦିନ ଧରି ଶୀତ ସମ୍ପୂର୍ଣ୍ଣ କମ୍‌ ରହିବ

0
521
IMD Predicts More Rain In Odisha From Tomorrow
IMD Predicts More Rain In Odisha From Tomorrow

ଭୁବନେଶ୍ୱର : ବଙ୍ଗୋପସାଗରରୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବା ଉଷ୍ମ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରଭାବରେ ରାତ୍ରି ତାପମାତ୍ରାରେ ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ରାତ୍ରି ତାପମାତ୍ରା ୨ରୁ ୪ଡିଗ୍ରି ଯାଏ ବୃଦ୍ଧି ଘଟିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ରାତ୍ରି ତାପମାତ୍ରା ସ୍ବାଭାବିକ ତାପମାତ୍ରାଠାରୁ ୨ରୁ ୩ ଡିଗ୍ରି ଯାଏ ଅଧିକ ରହିଛି।

ସେହିଭଳି ଉପକୂଳବର୍ତୀ ଅଞ୍ଚଳ‌ରେ ରାତି ତାପମାତ୍ରା ସ୍ବାଭାବିକଠାରୁ ୧ରୁ ୨ ଡିଗ୍ରି ଅଧିକ ରହିଛି। ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବା ଏହି ଉଷ୍ମ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରଭାବରେ ତଥା ବାୟୁମଣ୍ଡଳର ସ୍ଥିରତ‌ା ଓ ଆକାଶ ନିର୍ମଳ ଯୋଗୁଁ ରାଜ୍ୟର କିଛି ଅଞ୍ଚଳରେ ଘନ କୁହୁଡ଼ି ଓ ହାଲୁକାରୁ ମଧ୍ୟମଧରଣର କୁହୁଡ଼ି ଦୃଶ୍ୟମାନ ହୋଇଛି। ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିବ। ଫଳରେ ରାଜ୍ୟରେ ଏବେ ଶୀତ ବିଶେଷ ଅନୁଭୂତ ହେବ ନାହିଁ ବୋଲି ଆକଳନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଆଜି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝରରେ ହାଲୁକା ବର୍ଷା ହେବ ବୋଲି ଅନୁମାନ କରାଯାଉଛି। ୨୮ ଓ ୨୯ ତାରିଖରେ ରାଜ୍ୟରେ ବର୍ଷାର ବିସ୍ତୃତି ଓ ପରିମାଣରେ ସାମାନ୍ୟ ବୃଦ୍ଧି ଘଟିବାର ସମ୍ଭାବନା ରହିଛି। ଏଥିସହ ରାଜ୍ୟର କିଛି ଜିଲ୍ଲାରେ ଆଜି ସଂଧ୍ୟାରୁ ଘନ କୁହୁଡ଼ିର ସମ୍ଭାବନାକୁ‌ ନେଇ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି।

ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ରାତ୍ରି ତାପମାତ୍ରା ୨ରୁ ୩ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିବ। ଫଳରେ ରାଜ୍ୟରେ ଶୀତ ପ୍ରକୋପ ବିଶେଷ ରହିବ ନାହିଁ ବୋଲି କେନ୍ଦ୍ର କହିଛି। ଆସନ୍ତାକାଲି ଭୁବନେଶ୍ବର ଓ କଟକର ରାତ୍ରି ତାପମାତ୍ରା ୧୮ଡିଗ୍ରି ପାଖାପାଖି ରହି। ଶୀତ ସମ୍ପୂର୍ଣ୍ଣ କମ୍‌ ରହିବ ଓ ସକାଳ‌େ ଘନ କୁହୁଡ଼ି ଦେଖାଯିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

Also Read  ନ୍ୟାସନାଲ ହେରାଲ୍ଡ କାର୍ଯ୍ୟାଳୟରେ ଇଡି ଚଢଉ