୪ଟି ସମବାୟ ବ୍ୟାଙ୍କ ଉପରେ ଆରବିଆଇର କଟକଣା

0
1015

ମୁମ୍ବଇ : ଭାରତୀୟ ରିଜର୍ଭ ବ୍ୟାଙ୍କ ୪ଟି ସମବାୟ ବ୍ୟାଙ୍କର ଆର୍ଥିକ ସ୍ଥିତି ଖରାପ ଦୃଷ୍ଟିରୁ ସେଗୁଡ଼ିକ ଉପରେ ଅର୍ଥ ଉଠାଣ ସମେତ ଅନ୍ୟ କଟକଣାମାନ ଲାଗୁ କରିଛି । ସେହି ୪ଟି ସମବାୟ ବ୍ୟାଙ୍କ ମଧ୍ୟରେ ମହାରାଷ୍ଟ୍ରର ସାଇବାବା ଜନତା ସାହାକାରୀ ବ୍ୟାଙ୍କ, ପଶ୍ଚିମବଙ୍ଗର ଦ ସୁରୀ ଫ୍ରେଣ୍ଡ୍‍ସ ୟୁନିୟନ୍‍ କୋଅପରେଟିଭ୍‍ ବ୍ୟାଙ୍କ ଲିମିଟେଡ୍‍ ଓ ଉତ୍ତରପ୍ରଦେଶର ବିଜିନୋର୍‍ ୟୁନାଇଟେଡ୍‍ ଇଣ୍ଡିିଆ କୋଅପରେଟିଭ୍‍ ବ୍ୟାଙ୍କ ଓ ବହରାଇଚର ନାସନାଲ୍‍ ଅର୍ବାନ୍‍ କୋଅପରେଟିଭ୍‍ ବ୍ୟାଙ୍କ ଲିମିଟେଡ୍‍ ରହିଛି ।

ସାଇବାବା ଜନତା ସାହାକାରୀ ବ୍ୟାଙ୍କର ଜଣେ ଜମାକାରୀ ୨୦ ହଜାର ଟଙ୍କାରୁ ଅଧିକ ଅର୍ଥ ବ୍ୟାଙ୍କରୁ ଉଠାଇ ପାରିବେ ନାହିଁ । ସେହିଭଳି ଦ ସୁରୀ ଫ୍ରେଣ୍ଡ୍‍ସ ୟୁନିୟନ୍‍ କୋଅପରେଟିଭ୍‍ ବ୍ୟାଙ୍କରୁ ଜଣେ ଜମାକାରୀ ୫୦ ହଜାର ଟଙ୍କାରୁ ଅଧିକ ଅର୍ଥ ଉଠାଇ ପାରିବେ ନାହିଁ । ନାସନାଲ୍‍ ଅର୍ବାନ୍‍ କୋଅପରେଟିଭ୍‍ ବ୍ୟାଙ୍କରୁ ଜଣେ ଜମାକାରୀ ସର୍ବାଧିକ ୧୦ ହଜାର ଟଙ୍କା ଉଠାଇ ପାରିବେ । ରିଜର୍ବ ବ୍ୟାଙ୍କ ବିଜିନୋରର ୟୁନାଇଟେଡ୍‍ ଇଣ୍ଡିଆ କୋଅପରେଟିଭ୍‍ ବ୍ୟାଙ୍କ ଲିମିଟେଡ୍‍ ଉପରେ ଉଠାଣ ନିଷେଧାଜ୍ଞା ସମେତ ଅନେକ କଟକଣା ଲାଗୁ କରିଛି ।

୧୯୪୯ ବ୍ୟାଙ୍କିଙ୍ଗ୍‍ ନିୟମ ଅଧୀନରେ ରିଜର୍ଭ ବ୍ୟାଙ୍କ ସେହି ୪ଟି କୋଅପରେଟିଭ୍‍ ବ୍ୟାଙ୍କ ଉପରେ ଲାଗୁ କରିଥିବା ଏହି କଟକଣା ଗୁଡ଼ିକ ୬ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏ ସଂକ୍ରାନ୍ତରେ ରିଜର୍ଭ ବ୍ୟାଙ୍କର ଏକ ପ୍ରେସ୍‍ ଇସ୍ତାହାରରେ କୁହାଯାଇଛି ସେହି ବ୍ୟାଙ୍କ ଗୁଡ଼ିକ ରିଜର୍ଭ ବ୍ୟାଙ୍କର ଲିଖିତ ପୂର୍ବ ଅନୁମତି ବିନା କୌଣସି ଋଣକୁ ପୁନଃନିର୍ଦ୍ଧାରଣ କରିପାରିବେ ନାହିଁ କିମ୍ବା ନୂଆ ଋଣ ଦେଇ ପାରିବେ ନାହିଁ। ସେହି ୪ଟି ବ୍ୟାଙ୍କ କୌଣସି ପୁଞ୍ଜି ନିବେଶ କରିପାରିବେ ନାହିଁ କିମ୍ବା ସାନି ଜମା ରଖିପାରିବେ ନାହିଁ ।

ଏକ ସ୍ପଷ୍ଟୀକରଣ ଦେଇ ରିଜର୍ଭ ବ୍ୟାଙ୍କ କହିଛି ଏହି କଟକଣା ଲାଗୁ ଦ୍ୱାରା ସେହି ବ୍ୟାଙ୍କ ଗୁଡ଼ିକର ଲାଇସେନ୍ସ ରଦ୍ଦ ହୋଇଯାଇଛି ବୋଲି ବିବେଚନା କରାଯାଇ ପାରିବ ନାହିଁ । ସେହି ବ୍ୟାଙ୍କ ଗୁଡ଼ିକ କଟକଣା ସହିତ କାର୍ଯ୍ୟ କରିପାରିବେ ଓ ସେମାନଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିପାରିବେ। ପରିସ୍ଥିତିରେ ଉନ୍ନତି ଘଟିଲେ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶାବଳୀରେ ପରିବର୍ତ୍ତନ କରିବ ।

Also Read  ଗିରଫ ପରେ ସିବିଆଇ ହେପାଜତକୁ ଗଲେ ଚିତ୍ରା