୫୦୦କୋଟି ଟଙ୍କା ଠକେଇ: ଏସଓଏସଏସ ଚିଟଫଣ୍ଡ କମ୍ପାନିର ଆଞ୍ଚଳିକ ନିର୍ଦ୍ଦେଶକ ଗିରଫ

0
493

ବ୍ରହ୍ମପୁର: ୫୦୦କୋଟି ଟଙ୍କା ଠକେଇ ଅଭିଯୋଗରେ ସକସେସ୍ ଅନଲାଇନ ସର୍ଭିସ ସିଷ୍ଟମ (ଏସଓଏସଏସ) ଚିଟଫଣ୍ଡ କମ୍ପାନିର ଆଞ୍ଚଳିକ ନିର୍ଦ୍ଦେଶକ ଗିରଫ। ଗଞ୍ଜାମର ବ୍ରହ୍ମପୁରରୁ ଅଭିଯୁକ୍ତ ଆଞ୍ଚଳିକ ନିର୍ଦ୍ଦେଶକ ନିଖିଳାନନ୍ଦ ପଶୁପାଳକଙ୍କୁ ଗିରଫ କରାଯାଇଛି। ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଦ୍ବାରା ପଶୁପାଳକଙ୍କୁ ଗିରଫ କରାଯାଇଛି। ୨୦୧୬ରେ ‌ଏନେଇ ଇଓଡବ୍ଲୁ ପୁଲିସ ଷ୍ଟେସନ‌ରେ ଅଭିଯୋଗ କରାଯାଇଥିବା ବେଳେ ଏବେ ଅଭିଯୁକ୍ତକୁ ଗିରଫ କରିଛି ଇଓଡବ୍ଲୁ। ଅଭିଯୋଗକାରୀ ପର୍ଶୁରାମ ବେହେରା ଏସଓଏସଏସ କମ୍ପାନି ନାଁରେ ଠକେଇ ଅଭିଯୋଗ ଆଣିବା ପରେ ତଦନ୍ତ ଆରମ୍ଭ କରାଯାଇଥିଲା ବୋଲି ଜଣାପଡ଼ିଛି।

ଏପର୍ଯ୍ୟନ୍ତ କରାଯାଇଥିବା ତଦନ୍ତରୁ ଜଣାପଡ଼ିଛି ଯେ, ୟୁପିର ଗାଜିଆବାଦରେ ଥିବା ବସୁନ୍ଧରାରେ ଏସଓଏସଏସର ମୁଖ୍ୟ ଅଫିସ ରହିଥିବା ବେଳେ ଦେଶର ବିଭିନ୍ନ ରାଜ୍ୟରେ ଏହାର ଶାଖା ଖୋଲି ଲୋକଙ୍କୁ ଲୁଟୁଥିଲା କମ୍ପାନି। ଓଡ଼ିଶାର ଗଞ୍ଜାମ ଜିଲ୍ଲରେ ଥିବା ବ୍ରହ୍ମପୁରର ଲୋଚାପଡ଼ାରେ ଏସଓଏସଏସର ଶାଖା ଖୋଲାଯାଇଥିବା ବେଳେ ଏହାର ଆଞ୍ଚଳିକ ନିର୍ଦ୍ଦେଶକ ଥିଲେ ନିଖିଳାନନ୍ଦ ପଶୁପାଳକ। ବୀମା ସେବା, ସେୟାର ମାର୍କେଟିଂ, ଜମିଜମା କାରବାରର ସେବା ଯୋଗାଇ ଦେବାକୁ କହି ଲୋକଙ୍କୁ ଠକିଥିଲା ଏସଓଏସଏସ। ଏସଓଏସଏସ ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ ୫୦୦କୋଟି ଟଙ୍କା ଠକେଇ କରିଥିବା ଜଣାପଡ଼ିଛି।

୫୦୦ କୋଟି ଟଙ୍କା ଠକିବା ପରେ ଜାନୁଆରି ୨୦୧୨ ପରେ କମ୍ପାନିକୁ ବନ୍ଦ କରିଦେବା ସହ ଯୋଗାଯୋଗ ନମ୍ବର ଓ ଠିକଣା ବଦଳାଇ ଦେଇଥିଲେ କମ୍ପାନି ସହ କାମ କରୁଥିବା ସମସ୍ତ କର୍ମଚାରୀ। ନିଖିଳାନନ୍ଦ ପଶୁପାଳକ ମଧ୍ୟ ନିଜର ନମ୍ବର ଓ ଠିକଣା ବଦଳାଇ ଫେରାର ହୋଇଯାଇଥିଲେ। ଠକି ନେଇଥିବା ଟଙ୍କାକୁ ସେ ‘ସିନେ ଭିଜନ’ ଅଧିନରେ ନିର୍ମାଣ ହେଉଥିବା ଭୋଜପୁରୀ ଫିଲ୍ମରେ ଲଗାଇବା ସହ ନିଜେ ସେହି ଫିଲ୍ମରେ ଅଭିନୟ କରିଥିଲେ। ଏବେ ତାଙ୍କୁ ଗିରଫ କରାଯାଇଥିବା ବେଳେ ଅଧିକ ସୂଚନା ପାଇଁ ତଦନ୍ତ ଜାରି ରହିଛି।

Also Read  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ୨୨୩୭୯ ବୁଥରେ ଚାଲିଛି ମତଦାନ