ନିମାପଡ଼ା ତହସିଲଦାରଙ୍କ ୫ ପ୍ୟାନ୍‌ କାର୍ଡ, ୩ ବାପା !

0
404
ତହସିଲଦାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ତହସିଲଦାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିମାପଡ଼ା ତହସିଲଦାରଙ୍କ ପୁରୀ ସରକାରୀ କ୍ବାର୍ଟର ଏବଂ କଟକ ସିଡିଏରେ ଥିବା ବାସଭବନ ସମେତ ଅନ୍ୟ କେତେକ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି।

ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୫ଟା ସମୟରେ ପୁରୀ ଜିଲ୍ଲାର ନିମାପଡ଼ା ତହସିଲଦାର ତଥା ଏବଂ ଇନ୍-ଚାର୍ଜ ସବ୍-ରେଜିଷ୍ଟ୍ରାର୍ ରାମଚନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଆରମ୍ଭ ହୋଇଛି। ପୁରୀର ସରକାରୀ ବାସଭବନରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ତାଙ୍କୁ ଅଟକାଯାଇଥିଲା। ରାମଚନ୍ଦ୍ର ଜେନାଙ୍କଠାରୁ ନଗଦ ୪ ଲକ୍ଷ ୬୫ ହଜାର ଟଙ୍କା ଜବତ କରାଯାଇଥିଲା, ଯାହାର ସେ ସନ୍ତୋଷଜନକ ଭାବରେ ହିସାବ କରିପାରିନଥିଲେ। ଆହୁରି ମଧ୍ୟ ନିମାପଡ଼ାଠାରେ ତାଙ୍କ ସରକାରୀ କ୍ୱାର୍ଟରର ଘର ଖୋଜାଖୋଜି ବେଳେ ନଗଦ ୫୦ ହଜାର ଟଙ୍କା ମିଳିଛି।

ଠିକ୍ ସେହିପରି କଟକର ସିଡିଏ ସେକ୍ଟର-୧୧ଠାରେ ଥିବା ତାଙ୍କ ବାସଭବନ, ଯାଜପୁର ଜିଲ୍ଲାର ଧାନମଣ୍ଡଳ, କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ବ୍ଲକରେ ଥିବା ପୈତୃକ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ଏହି ଚଢ଼ାଉ ଜଣେ ଅତିରିକ୍ତ ଏସପି, ସାତ ଜଣ ଡିଏସପି, ଦୁଇଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ଦ୍ୱାରା ଚାଲିଥିବାର ଖବର ମିଳିଛି। ରାମଚନ୍ଦ୍ର ଜେନାଙ୍କ ସଂପତ୍ତିର ଆକଳନ ଚାଲିଛି। ଏନେଇ ବିସ୍ତୃତ ରିପୋର୍ଟକୁ ଅପେକ୍ଷା କରାଯାଇଛି।

ଚଢ଼ାଉ ବେଳେ ରାମଚନ୍ଦ୍ରଙ୍କ ୫ଟି ପ୍ୟାନକାର୍ଡ ପାଇଲେ ଭିଜିଲାନ୍ସ ଅଧିକାରୀ । ରାମଚନ୍ଦ୍ରଙ୍କ ଘରୁ ଭିନ୍ନ ଭିନ୍ନ ନମ୍ବର ଥିବା ୫ଟି ପ୍ୟାନ୍ କାର୍ଡ ମିଳିଲା । ୫ଟି ପ୍ୟାନ୍ କାର୍ଡରେ ବାପା ନାଁ ମଧ୍ୟ ଭିନ୍ନ ଭିନ୍ନ ଥିବା ଦେଖାଯାଇଛି । ୩ଟି କାର୍ଡରେ ବାପା ନାଁ ଖଗେଶ୍ୱର ଜେନା ରହିଥିବା ଦେଖାଯାଇଛି । ଅନ୍ୟ ୨ଟି କାର୍ଡରେ ବାପା ନାଁ ବୈଷ୍ଣବ ଓ ନାରାୟଣ ଜେନା ଉଲ୍ଲେଖ ରହିଛି। ୩ଟି ପ୍ୟାନ୍ କାର୍ଡରେ ଜନ୍ମବର୍ଷ ୧୯୭୦ ଥିବା ବେଳେ ଅନ୍ୟ ୨ଟିରେ ଭିନ୍ନ ରହିଛି। ଗୋଟିଏରେ ୧୯୭୧ ଓ ଅନ୍ୟଟିରେ ୧୯୭୨ ଉଲ୍ଲେଖ ରହିଛି । ତେବେ ୫ଟି ପ୍ୟାନ୍ କାର୍ଡରେ ତହସିଲଦାରଙ୍କ ଜନ୍ମ ତାରିଖ ବି ଭିନ୍ନ ଭିନ୍ନ ରହିଛି । ଏପରି ସାଂଘାତିକ ତଥ୍ୟ ପାଇବା ପରେ ତହସିଲଦାରଙ୍କ ଘର ଓ ଅଫିସ୍‌ରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ।

Also Read  ବିଶ୍ୱରେ କମୁଛି ସଂକ୍ରମଣ : ଓମିକ୍ରନର ସବ-ଭାରିଆଣ୍ଟକୁ ନେଇ ସତର୍କ କଲା “ହୁ’