ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିରୋଧ : ଭୁବନେଶ୍ୱର ଓ ଭବାନୀପାଟଣାରେ ବିଜେପିର ରାଲି

0
307
ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିରୋଧ
ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିରୋଧ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିରୋଧ କରି ରାଜଧାନୀ ଭୁବନେଶ୍ବରରେ ନବୀନ ନିବାସ ଅଭିମୁଖେ ବିଜେପିର ରାଲି ବାହାରିଛି। ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗରେ ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ବାସନ୍ଦ ଆହ୍ୱାନ ଦେଇଛି ଦଳ। ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଏକ ଶୋଭାଯାତ୍ରା ଲୋୟର ପିଏମଜିରୁ ନବୀନ ନିବାସ ଅଭିମୁଖେ ବାହାରିଛି। ଏଥିରେ ବରିଷ୍ଠ ନେତା ବାବୁ ସିଂହ, ଅନୁ ଚୌଧୁରୀ ଓ ପିଙ୍କି ପ୍ରଧାନଙ୍କ ଶତାଧିକ ପୁରୁଷ ଓ ମହିଳା କର୍ମୀ ସାମିଲ ହୋଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତକୁ ବିରୋଧ କରି ବିଜେପି ପକ୍ଷରୁ ଭୁବନେଶ୍ୱରରେ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଛି। ଦଳୀୟ କର୍ମୀମାନେ ଶୋଭାଯାତ୍ରାରେ ନବୀନ ନିବାସ ଆଡ଼କୁ ଯାଉଥିବା ବେଳେ ସେମାନଙ୍କୁ ଶିଶୁ ଭବନ ଛକ ନିକଟରେ ପୁଲିସ୍ ଅଟକାଇଛି। ଆନ୍ଦୋଳନକାରୀଙ୍କୁ ଅଟକାଇବା ପାଇଁ ସେଠାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ତେବେ ବିଜେପି କର୍ମୀ ପ୍ରଥମ ସ୍ତର ସୁରକ୍ଷା ବ୍ୟବସ୍ଥାକୁ ପାର ହେବା ପରେ ପୁଲିସ୍ ସହିତ ସେମାନଙ୍କର ଧସ୍ତାଧସ୍ତି ହୋଇଛି। ପୁଲିସ୍ ଅନେକ କର୍ମୀଙ୍କୁ ଉଠାଇ ନେଇଥିବା ବେଳେ ଆହୁରି ଅନେକ କର୍ମୀ ସେଠାରେ ଧାରଣାରେ ବସିଛନ୍ତି।

ଶିଶୁ ଭବନ ଛକରେ ବିଜେପି କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନାରା ଦେବା ସହିତ ତାଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ସେମାନେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରିଛନ୍ତି। ଅନ୍ୟପକ୍ଷରେ ଭୁବନେଶ୍ୱରର ଏୟାରପୋର୍ଟ ଛକରେ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଳାପତାକା ପ୍ରଦର୍ଶନ କରାଯାଇଥିଲା। କଳାପତାକା ପ୍ରଦର୍ଶନ କରୁଥିବା ବିଜେପି କର୍ମୀଙ୍କୁ ପୁଲିସ୍ ଉଠାଇ ନେଇଥିଲା।

ସେହିପରି ଭବାନୀପାଟଣାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ବିଜେପି ସହିତ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରୁଥିବା କଂଗ୍ରେସ କର୍ମୀଙ୍କୁ ପୁଲିସ୍ ଉଠାଇ ନେଉଥିବା ଦେଖିବାକୁ ମିଳିଛି। ଭବାନୀପାଟଣା ସହିତ ଧର୍ମଗଡ଼ ଓ ଜୁନାଗଡ଼ ପ୍ରଭୃତି ସ୍ଥାନରୁ ଉଭୟ କଂଗ୍ରେସ ଓ ବିଜେପି କର୍ମୀଙ୍କୁ ଉଠାଇ ନିଆଯାଉଛି। ମୁଖ୍ୟମନ୍ତ୍ରୀଙ୍କ ସଭା ସ୍ଥଳ ଠାରୁ ଗୋଟିଏ କିଲୋମିଟର ପରିଧି ମଧ୍ୟରେ ସମସ୍ତଙ୍କୁ କଡ଼ା ଯାଞ୍ଚ କରାଯାଉଛି। ଆଜି ସକାଳୁ ମଧ୍ୟ ଖବର ଆସିଥିଲା ଯେ ଜିଲ୍ଲାର ବିଭିନ୍ନ ଥାନାରେ ବିଜେପି କର୍ମୀଙ୍କୁ ଅଟକ ରଖାଯାଇଛି।

Also Read  Students congress protest Fake placement row at ITER: Demands immediate arrest of Authorities