ଓକାକ୍ ସିଇଓଙ୍କ ହ୍ୱାଟ୍ସଆପ୍‌ ହ୍ୟାକ୍‌ ଘଟଣାରେ ନାଇଜେରିଆ ଲିଙ୍କ୍ : କେମିତି କରୁଥିଲା ଠକାମି…. ?

0
558
ହ୍ୟାକ୍‌ ଘଟଣାରେ ନାଇଜେରିଆ ଲିଙ୍କ୍
ହ୍ୟାକ୍‌ ଘଟଣାରେ ନାଇଜେରିଆ ଲିଙ୍କ୍

ଭୁବନେଶ୍ୱର: ଓକାକ ସିଇଓ ହ୍ୱାଟ୍ସଆପ୍ ଠକେଇ ଘଟଣାରେ ନାଇଜେରିଆ ଲିଙ୍କ ଥିବା ସ୍ପଷ୍ଟ ହୋଇଛି । ବେଙ୍ଗାଲୁରରେ ରହି ହ୍ୟାକର ଅପରେଟ କରୁଥିଲା । ଏହି ଗ୍ୟାଙ୍ଗର ମୁଖ୍ୟ ଚେମେଲିୟନ ଇମାନୁଏଲ ଆନିବେତାଳୁକୁ ନଭେମ୍ବର ୧ରେ ଗିରଫ କରିଥିଲା ଦିଲ୍ଲୀ ପୋଲିସ । ଦିଲ୍ଲୀ ପୋଲିସ ସହ କ୍ରାଇମବ୍ରାଞ୍ଚ ଯୋଗାଯୋଗ କରିଛି । ବେଙ୍ଗାଲୁରୁରୁ ଅଭିଯୁକ୍ତକୁ ଧରିବା ପାଇଁ ଦିଲ୍ଲୀ ପୋଲିସ ସହ କ୍ରାଇମବ୍ରାଞ୍ଚ ଯୋଗାଯୋଗରେ ଅଛି । ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଂଚ ଏଡ଼ିଜି ।

ସାମ୍ୱାଦିକ ସମ୍ମିଳନୀରେ କ୍ରାଇମବ୍ରାଞ୍ଚ ଏଡ଼ିଜି ସଞ୍ଜୀବ ପଣ୍ଡା କହିଛନ୍ତି, ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ମରିସ ଦିଲ୍ଲୀ ପୋଲିସ ଦ୍ୱାରା ଗିରଫ ହୋଇଛି । ମରିସର ସହଯୋଗୀ ଓକାକ ଠକେଇରେ ସାମିଲ ଅଛି । ମରିସର ସହଯୋଗୀ ମଧ୍ୟ ଦିଲ୍ଲୀ ପୋଲିସର ଓ୍ୱାଣ୍ଟେଡ ତାଲିକାରେ ରହିିଛି । ଦିଲ୍ଲୀର ସାଇବର ୟୁନିଟ ଏବେ ଘଟଣାର ତଦନ୍ତ କରୁଛି । ଦିଲ୍ଲୀ ସାଇବର ୟୁନିଟ ସହ ଯୋଗାଯୋଗ କରିବା ପରେ କ୍ରାଇମବ୍ରାଞ୍ଚ ଟିମ ବେଙ୍ଗାଳୁରୁ ଯିବ ।

ସୂଚନା ଯୋଗ୍ୟ, ହ୍ୱାଟସଆପ୍ ନମ୍ବର ହ୍ୟାକ୍ କରି ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର (ଓକାକ) ସିଇଓଙ୍କ ୭ ଲକ୍ଷ ଟଙ୍କା ଲୁଟ୍‌ କରିଛନ୍ତି ସାଇବର ଠକ । ଗୋଟିଏ ପରେ ଗୋଟିଏ ୩ଟି ଆକାଉଣ୍ଟରୁ ଟଙ୍କା ଯାଇଛି। ହ୍ୟାକର ହ୍ୱାଟସଆପ୍ ହ୍ୟାକ୍ କରିବା ପରେ ଓକାକ୍‌ ସିଇଓଙ୍କ ୩ଜଣ ସମ୍ପର୍କୀୟଙ୍କ ପାଖକୁ ଯାଇଥିଲା ଲିଙ୍କ୍‌ । ସେମାନେ ଟଙ୍କା ପଠାଇଥିଲେ, ସିଧା ଯାଇଥିଲା ହ୍ୟାକର ଆକାଉଣ୍ଟକୁ । ଏବେ ଘଟଣାର ଖୋଳତାଡ଼ ପାଇଁ ବେଙ୍ଗାଲୁରୁ ଯିବ କ୍ରାଇମବ୍ରାଞ୍ଚ। ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରିବାକୁ ଚିଠି ଲେଖାଯାଇଥିବା କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି ।

ହ୍ୱାଟ୍ସ ଆପରେ କେମିତି ଲିଙ୍କ ପଠାଉଥିଲା ଠକ ?

ଓଡ଼ିଶାରେ ପ୍ରଥମଥର ପାଇଁ ଏ ପ୍ରକାର ହ୍ବାଟସଆପ୍ ହ୍ୟାକିଂ ଘଟଣା ସାମନାକୁ ଆସିଥିବାବେଳେ ଏହାକୁ ରୋକିବାକୁ ଆଜି କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ପରାମର୍ଶବଳୀ ଜାରି କରାଯାଇଛି । ଏଥିରେ ଦର୍ଶାଯାଇଛି ଯେ ପ୍ରଥମେ ନିଜ ହ୍ବାଟ୍ସଆପ ଆକାଉଣ୍ଟର ଟୁ ଷ୍ଟେପ୍ ଭେରିଫିକେସନକୁ କାର୍ଯ୍ୟକ୍ଷମ କରନ୍ତୁ । ହ୍ବାଟ୍ସଆପ୍ ଆକାଉଣ୍ଟ ଖୋଲିବା ପର ସେଟିଂ ଅପସନ କ୍ଲିକ୍ କରନ୍ତୁ । ପରେ ଆକାଉଣ୍ଟ ଅପ୍‌ସନ୍‌ କ୍ଲିକ୍‌ କରି ଟୁ ଷ୍ଟେପ୍ ଭେରିଫିକେସନ୍ ଅପସନ କ୍ଲିକ କରନ୍ତୁ । ଏହାପରେ ଏନାବୁଲ ଅପସନ କ୍ଲିକ୍‌ କରି ୬ ସଂଖ୍ୟା ବିଶିଷ୍ଟ ଗୋପନୀୟ ପିନ୍ ନମ୍ବର ଦେଇ ଓକେ କରନ୍ତୁ । ପରେ ସମାନ ପିନ୍ ଆଉଥରେ ଭରନ୍ତୁ ।

Also Read  କୋଟିଆ ମାମଲାରେ ଓଡ଼ିଶାର ବଡ଼ ବିଜୟ; ଆନ୍ଧ୍ରର ପିଟିସନ ସୁପ୍ରିମକୋର୍ଟରେ ଖାରଜ

ଏହାପରେ ନିଜ ଇ-ମେଲ୍ ଆଉଡି ଦିଅନ୍ତୁ । ପରେ ପରବର୍ତ୍ତୀ ଅପ୍‌ସନ୍‌ କ୍ଲିକ୍‌ କଲାପରେ ପୁଣି ସମାନ ଇ-ମେଲ୍ ଆଇଡି ଲେଖନ୍ତୁ । ସେଭ୍ ଅପସନ୍ କ୍ଲିକ୍‌ କରି ଡନ୍ ଅପସନ୍ କ୍ଲିକ କରନ୍ତୁ । ଏହାପରେ ଆପଣଙ୍କ ହ୍ବାଟସଆପରେ ଟୁ ଷ୍ଟେପ୍ ଭେରିଫିକେସନ୍ କାର୍ଯ୍ୟକ୍ଷମ ହୋଇଗଲା । ତେବେ ହ୍ବାଟସଆପକୁ ଆସୁଥିବା କୌଣସି ପ୍ରକାର ଅଜଣା ଲିଙ୍କ୍ କ୍ଲିକ୍‌ କରନ୍ତୁ ନାହିଁ । କିମ୍ବା କୌଣସି ବ୍ୟକ୍ତିଙ୍କୁ ନିଜର ଓଟିପି ଦିଅନ୍ତୁ ନାହିଁ । ଅନ୍‌ଲାଇନରେ ଯେଉଁ ବ୍ୟକ୍ତି ଆପଣଙ୍କୁ ଟଙ୍କା ମାଗୁଛନ୍ତି, ସମ୍ପୃକ୍ତ ବ୍ୟକ୍ତିଙ୍କୁ ଥରେ ଫୋନ୍ କରି ସୁନିଶ୍ଚିତ ହୁଅନ୍ତୁ ଯେ ଏହି ବ୍ୟକ୍ତି ଆପଣଙ୍କ ପରିଚିତ ନାଁ ହ୍ୟାକର୍ । ଏଭଳି ପରାମର୍ଶବଳୀ କ୍ରାଇମବ୍ରାଞ୍ଚ ସାଇବର୍ ସେଲ୍ ପକ୍ଷରୁ ଜାରି କରାଯାଇଥିବା ସୂଚନା ମିଳିଛି ।