ବାପି ଲାହିରିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୋକ

0
347
Music composer, Shri Bappi Lahiri calls on the Prime Minister, Shri Narendra Modi, in New Delhi on March 19, 2016.

ନୂଆଦିଲ୍ଲୀ : ମେଲୋଡି କିଙ୍ଗ ବାପି ଲାହିରିଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବହୁ ରାଜନେତା ଶୋକବ୍ୟକ୍ତ କରିଛନ୍ତି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି, ବାପି ଲାହିରି ଥିଲେ ଜଣେ ଅତୁଳନୀୟ ଗାୟକ ଓ ସୁରକାର। ତାଙ୍କର ସଙ୍ଗୀତ କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ଜନପ୍ରିୟ ‌ହୋଇପାରିଥିଲା। ତାଙ୍କର ସୁରର ବିବିଧତାରେ ଯୁବଚ୍ଛ୍ବାସଭରା ଓ ପ୍ରାଣପୂର୍ଣ୍ଣ ସଙ୍ଗୀତ ରସଧାରା ଥିଲା। ତାଙ୍କର ସ୍ମରଣୀୟ ଗୀତ ସବୁ କାଳ କାଳ ଧରି ଶ୍ରୋତାଗଣଙ୍କୁ ଆନନ୍ଦ ଦେଉଥିବ। ତାଙ୍କର ପରିବାର ଓ ଶୁଭେଚ୍ଛୁଙ୍କ ପ୍ରତି ସମବେଦନା। ପରାଷ୍ଟ୍ରପତି ଭେଙ୍କୟା ନାଇଡୁ ମଧ୍ୟ ବାପି ଲାହିରିଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରି କହିଛନ୍ତି, ବାପି ଲାହିରିଙ୍କ ମୃତ୍ୟୁରେ ଭାରତ ଆଉ ଜଣେ ପ୍ରବୀଣ ଗାୟକ ଏବଂ ସୁରକାରଙ୍କୁ ହରାଇଲା। ଦ୍ରୁତ ଛନ୍ଦଭିତ୍ତିକ ସଙ୍ଗୀତ ସଂଯୋଜନା ପାଇଁ ବାପି ଦା’ ଚିରସ୍ମରଣୀୟ ହୋଇ ରହିବେ। ତାଙ୍କ ପରିବାର ଏବଂ ଅନୁଗାମୀମାନଙ୍କ ପ୍ରତି ମୋର ଗଭୀର ସମବେଦନା।

ପ୍ରଧାନମନ୍ତ୍ରୀ ଟୁଇଟ୍‌ କରି ଲେଖିଛନ୍ତି, ତାଙ୍କର ସଙ୍ଗୀତରେ ସମସ୍ତ ତତ୍ତ୍ବ ଏବଂ ଭାବାବେଗର ବିବିଧତା ଥିଲା। ସବୁ ପିଢ଼ିର ଜନତାଙ୍କୁ ତାଙ୍କ ସଙ୍ଗୀତ ବିମୋହିତ କରିବ। ତାଙ୍କର ହର୍ଷୋତ୍‌ଫୁଲ୍ଲ ସ୍ବଭାବକୁ ସଭିଏଁ ଝୁରିବେ। ତାଙ୍କ ମୃତ୍ୟୁରେ ବ୍ୟଥିତ ହୋଇ ତାଙ୍କ ପରିବାରବର୍ଗ ଓ ପ୍ରଶଂସକଙ୍କୁ ସମବେଦନା ଜ୍ଞାପନ କରୁଛି। ଓଁ ଶାନ୍ତି। ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଲାହିରିଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି କହିଛନ୍ତି, ପ୍ରସିଦ୍ଧ ଗାୟକ ଓ ସୁରକାର ବାପି ଲାହିରିଙ୍କ ମୃତ୍ୟୁ ଖବର ପାଇ ବ୍ୟଥିତ। ତାଙ୍କ ମୃତ୍ୟୁ ଭାରତୀୟ ସଙ୍ଗୀତ ଜଗତ୍‌ରେ ବିରାଟ ଶୂନ୍ୟତା ସୃଷ୍ଟି କଲା। ନମନୀୟ ଗାୟକୀ ଏବଂ ଚପଳ ସ୍ବଭାବ ଲାଗି ବାପି ଦା ସ୍ମରଣୀୟ ହୋଇ ରହିବେ। ଲାହିରିଙ୍କ ଅକାଳ ବିୟୋଗରେ ବିସ୍ମିତ ହୋଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି: ପ୍ରଖ୍ୟାତ ଗାୟକ-ସଙ୍ଗୀତ ନିର୍ଦେଶକ ବାପି ଲାହିରିଙ୍କ ଅକାଳ ବିୟୋଗରେ ଆଘାତ ପାଇଛି। ପ୍ରଚଣ୍ଡ ଦକ୍ଷତା ଏବଂ କଠୋର ପରିଶ୍ରମ ବଳରେ ଆମ ଉତ୍ତରବଙ୍ଗ ପିଲା ବାପି ସର୍ବଭାରତୀୟ ପ୍ରସିଦ୍ଧି ଓ ସଫଳତାର ଶୀର୍ଷକୁ ଉଠିପାରିଥିଲେ। ସଙ୍ଗୀତକୁ ତାଙ୍କର ଅବଦାନ ପାଇଁ ସେ ଆମକୁ ଗୌରବାନ୍ବିତ କରିଥିଲେ। ତାଙ୍କୁ ରାଜ୍ୟର ସବୁଠୁ ବଡ଼ ବେସାମରିକ ସମ୍ମାନ ‘ବଙ୍ଗବିଭୂଷଣ’ ସମ୍ମାନରେ ଭୂଷିତ କରାଯାଇଥିଲା। ଆମେ ପ୍ରତିଭାବାନ ବାପିଙ୍କୁ ଚିରଦିନ ମନେରଖିବୁ। ତାଙ୍କ ପରିବାର ପ୍ରତି ମୋର ନିଷ୍ଠାପର ସମବେଦନା।

Also Read  ବ୍ଲ୍ୟୁ ଲେକ୍‌ରେ ଭାସୁଛି ମୃତଦେହ : ହତ୍ୟା ନା ଆତ୍ମହତ୍ୟା !