ଆଜି ମହା ଶିବରାତ୍ରୀ : ଶୈବ ପୀଠରେ ପ୍ରବଳ ଭିଡ଼, କେଉଁଠି କେମିତି ପାଳନ ହେଉଛି ଜାଗର ? ପଢ଼ନ୍ତୁ

0
580

ପ୍ରଭୁ ଲିଙ୍ଗରାଜଙ୍କ ରାତି ୧୦ ଟାରେ ଉଠିବ ମହାଦୀପ

ଭୁବନେଶ୍ୱର : ଆଜି ପବିତ୍ର ମହାଶିବରାତ୍ରି।ସକାଳୁ ସକାଳୁ ବିଭିନ୍ନ ଶିବ ମନ୍ଦିରରେ ଭିଡ଼ ଲାଗିଛି । ଭୁବନେଶ୍ୱରର ଶ୍ରୀ ଲିଙ୍ଗରାଜ ମନ୍ଦିରରେ କୋଭିଡ୍ କଟକଣା ଭିତରେ ଶ୍ରଦ୍ଧାଳୁମାନେ ଦର୍ଶନ କରୁଛନ୍ତି। ଆଜି ରାତି ୧୦ ଟାରେ ଉଠିବ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ। ଜାଗର ଉପଲକ୍ଷେ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୬ ଜଣ ଅତିରିକ୍ତ ଡିସିପି,୧୨ ଜଣ ଏସିପି, ୧୯ ଜଣ ଇନ୍ସପେକ୍ଟର, ୮୫ ଅଫିସରଙ୍କ ସହ ପ୍ରାୟ ୨୭ ପ୍ଲାଟୁନ ଫୋର୍ସ ସୁରକ୍ଷା ଦାୟିତ୍ୱରେ ରହିବେ। ଟ୍ରାଫିକ ଏକ ବଡ଼ ଚ୍ୟାଲେଞ୍ଜ ଥିବା ବେଳେ ଏ ନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି।  ଡିସିପି ଏହାର ଦାୟିତ୍ୱ ନେଇଛନ୍ତି।

ଧବଳେଶ୍ୱର ପୀଠରେ ୧୪୪ଧାରା ଜାରି

ରାଜ୍ୟରୁ ଏଯାଏ କୋଭିଡର ଡର ସମ୍ପୂର୍ଣ୍ଣ ଦୂର ହୋଇ ନ ଥିବାରୁ ବିଭିନ୍ନ ସ୍ଥାନରେ ସ୍ଥାନୀୟ ପ୍ରଶାସନ କଟକଣା ଜାରି କରିଛି। ଏଥିପାଇଁ ପ୍ରମୁଖ ଶିବାଳୟରେ ଭକ୍ତଙ୍କ ଗହଳି ଲାଗି ନପାରେ। ଚଳିତ ଥର ବି ବିନା ଭକ୍ତରେ ପୂଜା ପାଇବେ ବାବା ଧବଳେଶ୍ୱର। କଟକ ଜିଲ୍ଲା ‌ଆଠଗଡ଼ର ଏହି ପ୍ରସିଦ୍ଧ ଶୈବପୀଠରେ ଏ ବର୍ଷ  ବି  ଫିକା  ପଡିବ ଜାଗର ପର୍ବ।  କୋଭିଡ କଟକଣା ପାଇଁ  ପୀଠରେ  ଜାଗର ଯାତ୍ରା ପାଇଁ ୧୪୪ଧାରା ଲାଗୁ  ହୋଇଛି।  ସକାଳ ୫ଟା ରୁ ୨  ତାରିଖ ସଂଧ୍ୟା ୭ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ।  ଭୋରରୁ ସମସ୍ତ ନୀତିକାନ୍ତି କରାଯିବା ସହ ପ୍ରଥମ ପ୍ରହରରେ ବାବା ଧବଳେଶ୍ୱରଙ୍କ ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହେବ।  ପରେ ମଧ୍ୟ ରାତ୍ରରେ ବାବା ଧବଳେଶ୍ୱରଙ୍କ ଠାରେ ପ୍ରସିଦ୍ଧ ମାଣ୍ଡୁଅ ଭୋଗ ଲାଗୁ ହେବା ପରେ ମହାଦୀପ ଉଠାଯିବ।

ବାବା ଆଖଣ୍ଡଳମଣିଙ୍କ ଜାଗର ଯାତ୍ରା : ଭୋର ୪ଟା ୩୦ରୁ ୫ଟା ମଧ୍ୟରେ ମହାଦୀପ

ବାବା ଆଖଣ୍ଡଳମଣୀଙ୍କ ଜାଗର ଯାତ୍ରା । ବାବାଙ୍କ ନୀତିକାନ୍ତି କେତେ ବେଳେ ହେବ ଓ ମହାଦୀପ କେତେ ବେଳେ ଉଠିବ ତାହାର ଚୂଡ଼ାନ୍ତ ଚିଠା ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇଛି । ମଙ୍ଗଳବାର  ସକାଳ ୫ଟାରୁ ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ବାବାଙ୍କ ଦର୍ଶନ କରିପାରିବେ ।

ସନ୍ଧ୍ୟା ୬ଟାରେ ପ୍ରଥମ ପ୍ରହର ଘର୍ଷଣଲାଗି, ଜଳାଭିଷେକ, ପଞ୍ଚ ଉପଚାର ପୂଜା କରାଯିବ । ସନ୍ଧ୍ୟା ୮ଟାରେ ଦ୍ବିତୀୟ ପ୍ରହର ଘର୍ଷଣଲାଗି, ଜଳାଭିଷାକ, ମଧୁସ୍ନାନ, ପଞ୍ଚ ଉପଚାର ପୂଜା ନୀତି ସମ୍ପନ୍ନ ହେବ । ରାତି ୧୦ଟାରେ ତୃତୀୟ ପ୍ରହର ଘର୍ଷଣଲାଗି, ଜଳାଭିଷେକ, ଦୁଗ୍ଧସ୍ନାନ, ପଞ୍ଚ ଉପଚାର ରୀତି ହେବ । ସେହିପରି ରାତି ୧୧ଟାରେ ବାବାଙ୍କ ଚତୁର୍ଥ ପ୍ରହର ପୂଜା, ଘୃତସ୍ନାନ, ଘର୍ଷଣଲାଗି, ୧୦୮ କଳସ ଜଳଲାଗି, ପଞ୍ଚ ଉପଚାର ପୂଜା ସମ୍ପନ୍ନ ହେବ । ରାତି ୧୨ଟାରେ ମଣିବାବାଙ୍କ ସୁନାବେଶ ଆରମ୍ଭ ହେବ । ରାତି ଗୋଟାଏ ୩୦ରେ ବାବାଙ୍କ ସୁନାବେଶ ସମ୍ପନ୍ନ ଓ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ରାତି ୨ଟାରେ ମହାଦୀପ ପ୍ରସ୍ତୁତି ହେବ । ରାତି ୩ଟା ୧୫ ମିନିଟରେ ମହାଦୀପ ଷୋଡଶ ଉପଚାରରେ ପୂଜା ପ୍ରତିଷ୍ଠା, ଅଗ୍ନି ସଂଯୋଗ, ଯଜ୍ଞ ଆରମ୍ଭ । ଭୋର ୪ଟାରେ ମହାଦୀପ ବେଢା ପରିକ୍ରମା କରିବ । ଭୋର ୪ଟା ୩୦ରୁ ୫ଟା ମଧ୍ୟରେ ମହାଦୀପ ମନ୍ଦିର ଚୂଡ଼ାରେ ସ୍ଥାପନ ହେବ ।

Also Read  Justice Harish Tandon Appointed As New Chief Justice Of Orissa

ଫୁଲ ଦର ଆକାଶଛୁଆଁ- କିଆ ୭୦୦କୁ କେତକୀ ୧୨୦

ଜାଗର ଯାତ୍ରା ପାଇଁ ଫୁଲ ଦର ଆକାଶ ଛୁଇଁଛି। ମହାଦେବଙ୍କ ପ୍ରିୟ ଫୁଲ ସବୁ ଚଢ଼ା ଦରରେ ବିକ୍ରି ହେଉଛି। କେତକୀ ଫୁଲ ଗୋଟା ୧୨୦ ଟଙ୍କାରେ ବିକ୍ରି ହେଉଥିବା ବେଳେ କିଆ ଫୁଲ ଗୋଟା ୭ଶହ ଟଙ୍କା ରହିଛି। ଏହି ଦୁଇ ଫୁଲ ବଜାରକୁ କମ୍ ପରିମାଣରେ ଆସିଥିବାରୁ ଦର ଏମିତି ଆକାଶଛୁଆଁ ହୋଇଥିବା ଫୁଲ ବେପାରୀମାନେ କହିଛନ୍ତି। ଏହି ଦୁଇ ଫୁଲକୁ ବାଦ୍‌ ଦେଲେ ଚମ୍ପା, ଅରଖ, କନିଅର ଆଦି ଫୁଲ ମଧ୍ୟ ମହାଦେବଙ୍କ ପୂଜାରେ ଲାଗି ହୋଇଥାଏ। ଦୁଦୁରା ଫୁଲ ଦର ମଧ୍ୟ ଅଧିକ ରହିଛି।