ନିର୍ବାଚନମଣ୍ଡଳୀସ୍ତରରେ ବିଜେଡି ପାଳିବ ବିଜୟ ଉତ୍ସବ

0
804
cm naveen asks-departments-to-remain-prepared-for-disaster

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳ(ବିଜେଡି)କୁ ବିପୁଳ ସମର୍ଥନ ମିଳିଛି । ଏହି ବିଜୟ ଉତ୍ସାହକୁ ନେଇ ବିଜେଡି ଆସନ୍ତା ୫ ଓ ୮ ତାରିଖରେ ସବୁ ନିର୍ବାଚନମଣ୍ଡଳୀରେ ବିଶାଳ ସମାବେଶ କରିବ । ମାର୍ଚ୍ଚ ୫ରେ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ ଓ ୮ ତାରିଖରେ ଆନ୍ତର୍ଜାତିକ ମହିଳା ଦିବସକୁ ସାଧାରଣ ସଭା ଓ ମହିଳା ସମାବେଶ ଜରିଆରେ ପାଳନ କରିବ ବିଜେଡି ।

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଦଳୀୟ କର୍ମକର୍ତ୍ତା ଓ ପଦାଧିକାରୀଙ୍କୁ ଚିଠି ଲେଖି ଆସନ୍ତା ମାର୍ଚ୍ଚ ୫ତାରିଖରେ ଦଳ ପକ୍ଷରୁ ସମସ୍ତ ନିର୍ବାଚନମଣ୍ଡଳୀରେ ବିଜୁବାବୁଙ୍କ ୧୦୬ତମ ଜୟନ୍ତୀ ପାଳନ ନିମନ୍ତେ ସାଧାରଣ ସଭାର ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ମାର୍ଚ୍ଚ ୮ତରେ ଆନ୍ତର୍ଜାତିକ ମହିଳା ଦିବସ ଥିବାରୁ ମହିଳା ବିଜେଡି ପକ୍ଷରୁ ସମସ୍ତ ନିର୍ବାଚନମଣ୍ଡଳୀରେ ମହିଳା ସମାବେଶ କରି ‘ମହିଳା ସଶକ୍ତିକରଣରେ ବିଜୁବାବୁଙ୍କ ଅବଦାନ ଓ ମହିଳା ସଶକ୍ତିକରଣ ପାଇଁ ବିଜେଡି ସରକାରଙ୍କ ପ୍ରତିବଦ୍ଧତା ଓ ନିଆଯାଇଥିବା ବିଭିନ୍ନ ପଦକ୍ଷେପ’ ସମ୍ପର୍କରେ ଆଲୋଚନା କରିବାକୁ ପରାମର୍ଶ ଦେଇଛନ୍ତି । ଏହାସହିତ ନବୀନ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ଦଳୀୟ ଏକତା, ଶୃଙ୍ଖଳା ଓ ଅନୁଶାସନ ପାଳନ କରିବା ନିମନ୍ତେ ପ୍ରତିବଦ୍ଧ ହେବାକୁ ଆହ୍ୱାନ ଦେଇଥିବା ସୂଚନା ମିଳିଛି ।

ତେବେ ପଂଚାୟତ ନିର୍ବାଚନରେ କ୍ଲିନ୍ ସୁଇପ୍ କରିଥିବା ବିଜେଡି ଏବେ ନିଜର ବିଜୟକୁ ନେଇ ଉତ୍ସାହିତ ଥିବାବେଳେ ନବୀନଙ୍କ ଏହି ଚିଠିକୁ ବିଜେଡି ମହଲରେ ବେଶ୍ ଗୁରୁତ୍ୱ ଦିଆଯାଉଛି । ପଂଚାୟତ ନିର୍ବାଚନ ପରେ ଦଳ ପ୍ରଥମଥର ପାଇଁ ନିର୍ବାଚନମଣ୍ଡଳୀସ୍ତରରେ ୨ଟି ସମାବେଶ ଓ ସାଧାରଣ ସଭାର ଆୟୋଜନ କରି ବିଜୟ ଉତ୍ସବ ପାଳିବ । ଏହାସହିତ ଦଳ ଭିତରେ ହାତଗଣତି ୨-୩ଜଣଙ୍କର ଏକଚାଟିଆ କାରବାର ଚାଲିଥିବାରୁ ଅନ୍ୟ ନେତାମାନେ ନିଜକୁ ଗୌଣ ଓ ଅଲୋଡ଼ା ଆଶଙ୍କା କରୁଛନ୍ତି । କାଳେ ଏହି ନେତାମାନେ ଏକଜୁଟ ହେବେ ସେହି ଆଶଙ୍କାରେ ନବୀନ ବିଗତ କିଛି ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଦଳୀୟ ନେତାମାନଙ୍କୁ ଦଳୀୟ ଏକତା, ଶୃଙ୍ଖଳା ଓ ଅନୁଶାସନ ପାଳିବାକୁ ଆହ୍ୱାନ ଦେଇଛନ୍ତି।

ସୂଚନାଯୋଗ୍ୟ, ଚଳିତ ପଂଚାୟତ ନିର୍ବାଚନରେ ବିଜେଡି ମୋଟ ୮୫୨ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୭୬୬ଟି ଜିତିଥିବାବେଳେ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ଯଥାକ୍ରମେ ମାତ୍ର ୪୨ ଓ ୩୭ରେ ସୀମିତ ରହିଛନ୍ତି । ବିଜେଡି ଖାତାରେ ୮୯.୯୦% ଜିଲ୍ଲା ପରିଷଦ ସିଟ୍ ଯାଇଥିବାବେଳେ ବିଜେପିକୁ ମାତ୍ର ୪.୯୨%, କଂଗ୍ରେସକୁ ୪.୩୪% ସିଟ୍ ଯାଇଛି । ସେହିପରି ବିଜେଡି ସପକ୍ଷରେ ସର୍ବାଧିକ ୧.୧୦କୋଟି ଭୋଟ୍ ପଡ଼ିଛି ଓ ଯାହାକି ମୋଟ ଭୋଟର ୫୨.୭୩% । ଗତ ୨୫ବର୍ଷ ମଧ୍ୟରେ ବିଜେଡି ପ୍ରଥମଥର ପାଇଁ ଏତେ ସଂଖ୍ୟକ ସିଟ୍ ହାସଲ କରିଥିବାରୁ ଅଧିକ ଉତ୍ସାହିତ ହୋଇପଡ଼ିଛି ।

Also Read  ୧୫ରୁ ପୁଣି ବଢ଼ିବ ଶୀତ

LEAVE A REPLY

Please enter your comment!
Please enter your name here