ସରପଞ୍ଚ ପଦ ପାଇଁ ନିଲାମ : ୪୪ ଲକ୍ଷ ଦେଇ ସରପଞ୍ଚ, କେମିତି କାଣନ୍ତୁ ?

0
720
୪୪ ଲକ୍ଷ ଦେଇ ସରପଞ୍ଚ
୪୪ ଲକ୍ଷ ଦେଇ ସରପଞ୍ଚ

ଭୋପାଲ: ଶୀର୍ଷକ ପଢ଼ି ଆପଣ ଆଶ୍ଚର୍ଯ୍ୟ ହେଉଥିବେ। ସରପଞ୍ଚ ପଦ ପାଇଁ ସବୁବେଳେ ନିର୍ବାଚନ ହେଉଥିବା ବେଳେ ଏଥିର ଗାଁ ଲୋକମାନେ ଏହାର ନିଲାମ କାହିଁକି କଲେ? ଗାଁ ଲୋକମାନେ ଅବଲମ୍ବନ କରିଥିବା ନୂଆ ବ୍ୟବସ୍ଥା ଅନୁଯାୟୀ, ସରପଞ୍ଚ ହେବାକୁ ଇଚ୍ଛା ରଖିଥିବା ଲୋକମାନେ ନିଲାମ ପ୍ରକ୍ରିୟାରେ ସାମିଲ ହୋଇ ପଦ ଦଖଲ କରିବାକୁ ଅଧିକରୁ ଅଧିକ ଟଙ୍କାର ନିଲାମ ଡାକିଛନ୍ତି।

ଶେଷରେ ଜଣେ ବ୍ୟକ୍ତି ସର୍ବାଧିକ ୪୪ ଲକ୍ଷ ଟଙ୍କାର ନିଲାମ ଡାକି ୫ ବର୍ଷ ପାଇଁ ସରପଞ୍ଚ ପଦ ହାତେଇଛନ୍ତି। ଏହି ରେସ୍‌ରେ ଆଉ ୪ ଜଣ ଆଶାୟୀ ମଧ୍ୟ ଥିଲେ। କିନ୍ତୁ ସମସ୍ତଙ୍କୁ ପଛରେ ପକାଇ ସବୁଠାରୁ ଅଧିକ ଟଙ୍କା ଦେଇ ସୌଭାଗ ସିଂହ ଯାଦବ ସରପଞ୍ଚ ପଦ ପାଇଛନ୍ତି। ମଧ୍ୟପ୍ରଦେଶର ଗୋଟିଏ ଗାଁରେ ସରପଞ୍ଚ ପଦ ପାଇଁ ଏପରି ନିଲାମ ବ୍ୟବସ୍ଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗାଁ ଲୋକମାନେ ସର୍ବସମ୍ମତିକ୍ରମେ ଜଣେ ବ୍ୟକ୍ତିଙ୍କୁ ସରପଞ୍ଚ ନିଲାମ ପ୍ରକ୍ରିୟାରେ ହସ୍ତାନ୍ତର କରିଥିଲେ ମଧ୍ୟ ସ୍ଥାନୀୟ ଅଧିକାରୀ ନିର୍ବାଚନ ପ୍ରକ୍ରିୟା ଆୟୋଜନ କରାଯି ବୋଲି କହିଛନ୍ତି। ସର୍ବାଧିକ ଟଙ୍କା ଦେଇଥିବା ବ୍ୟକ୍ତିଙ୍କୁ ନାମାଙ୍କନ ଦାଖଲ କରିବା ସହ ଅନ୍ୟାନ୍ୟ ନିୟମକୁ ପାଳନ କରିବାକୁ ପଡ଼ିବ।

ମଧ୍ୟପ୍ରଦେଶର ଅଶୋକନଗର ଜିଲ୍ଲାରେ ଥିବା ଭାତଉଲି ଗ୍ରାମ ପଞ୍ଚାୟତର ଗାଁ ଲୋକମାନେ ସରପଞ୍ଚ ବାଛିବା ପାଇଁ ହୋଇଥିବା ହୋଇଥିବା ନୂଆ ବ୍ୟବସ୍ଥାକୁ ସ୍ୱାଗତ କରିଛନ୍ତି। ସେମାନେ କହିଛନ୍ତି, “ନୂଆ ବ୍ୟବସ୍ଥା ସରପଞ୍ଚ ପଦ ପାଇଁ ଆଶାୟୀ ଥିବା ଲୋକଙ୍କ ମଧ୍ୟରେ ଆଉ କୌଣସି ବିବାଦ ସୃଷ୍ଟି କରିବ ନାହିଁ। ଭୋଟ ଜିତିବା ପାଇଁ ଜଣେ ଆଶାୟୀଙ୍କୁ ଆଉ ମଦ କିମ୍ବା ଟଙ୍କା ବାଣ୍ଟିବାକୁ ପଡ଼ିବନି।”

ଗାଁର ମନ୍ଦିରରେ ହୋଇଥିବା ଖୋଲା ନିଲାମ ପ୍ରକ୍ରିୟାରେ ସୌଭାଗ ସିଂହ ଯାଦବ ସରପଞ୍ଚ ପଦ ପାଇଁ ମନୋନୀତ ହୋଇଛନ୍ତି। ସରପଞ୍ଚ ପଦ ପାଇଁ ୨୧ ଲକ୍ଷ ଟଙ୍କାରୁ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଆଶାୟୀମାନେ ଅଧିକରୁ ଅଧିକ ଟଙ୍କାର ନିଲାମ ଡାକି ଚାଲିଥିଲେ। ଶେଷରେ ଏହା ୪୩ ଲକ୍ଷରେ ପହଞ୍ଚିଥିଲା। କିନ୍ତୁ ଶେଷ ବିଡ୍‌ ଭାବେ ସୌଭାଗ ସିଂହ ଯାଦବ ୪୪ ଲକ୍ଷ ଟଙ୍କାର ନିଲାମ ଡାକି ସରପଞ୍ଚ ପଦ ହାତେଇଛନ୍ତି।

Also Read  Climate Action Is Opportunity, Not Constraint: Vice-President

ଏହାପରେ ଗାଁ ଲୋକମାନେ ଫୁଲମାଳ ଦେଇ ସୌଭାଗଙ୍କୁ ସ୍ୱାଗତ କରିଥିଲେ ଓ ନିଜର ନୂଆ ସରପଞ୍ଚ ଭାବେ ମାନ୍ୟନା ଦେଇଥିଲେ। ଆସନ୍ତା ପଞ୍ଚାୟତ ନିର୍ବାଚନରେ କେହି ବି ତାଙ୍କ ବିରୋଧରେ ନାମାଙ୍କନ ଦଖଲ କରିବେ ନାହିଁ ବୋଲି ଗାଁ ଲୋକ ନିଷ୍ପତ୍ତି ନେଇଛନ୍ତି। ନିୟମ ଅନୁଯାୟୀ, ଯଦି ଧାର୍ଯ୍ୟ ସମୟ ମଧ୍ୟରେ ସୌଭାଗ ୪୪ ଲକ୍ଷ ଟଙ୍କା ଜମା କରିବାରେ ବିଫଳ ହେବେ, ତା’ହେଲେ ତାଙ୍କ ଠାରୁ କମ ନିଲାମ ଡାକିଥିବା ବ୍ୟକ୍ତିଙ୍କୁ ସରପଞ୍ଚ କରାଯିବ। ଗାଁ ପକ୍ଷରୁ ଗଠିତ କମିଟିରେ ହିଁ ଟଙ୍କା ଜମା କରିବାକୁ ସୌଭାଗଙ୍କୁ କୁହାଯାଇଛି।

ଅନ୍ୟପକ୍ଷରେ ସ୍ଥାନୀୟ ଅଧିକାରୀମାନେ ଏହି ନିଲାମ ପ୍ରକ୍ରିୟାକୁ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି। ଜଣେ ଅଧିକାରୀ କହିଛନ୍ତି, “ଯିଏ ବି ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି ତାଙ୍କୁ ନାମାଙ୍କନ ଦାଖଲ କରିବାକୁ ପଡ଼ିବ। ଯଦି ଜଣେ ବ୍ୟକ୍ତି ସରପଞ୍ଚ ପଦ ପାଇଁ ନାମାଙ୍କନ ଦାଖଲ କରିବେ, ତା’ହେଲେ ଏହାକୁ ଯାଞ୍ଚ କରାଯିବ ଓ ଏହା ଯଦି ବୈଧ, ତା’ହେଲେ ତାଙ୍କୁ ସରପଞ୍ଚ ଭାବେ ନିର୍ବାଚିତ କରାଯିବ।” ସୂଚନାଯୋଗ୍ୟ, ଜାନୁଆରୀ–ଫେବୃଆରୀରେ ମଧ୍ୟପ୍ରଦେଶରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ।