ଓଡ଼ିଶାରେ ପଶିଲା ଓମିକ୍ରନ୍ : ଦୁଇଜଣ ସଂକ୍ରମିତ ଚିହ୍ନଟ

0
674
ଓମିକ୍ରନ୍‌ ପ୍ରଜାତି
ଓମିକ୍ରନ୍‌ ପ୍ରଜାତି

ଭୁବନେଶ୍ବର: ଓଡ଼ିଶାରେ ଦୁଇଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏନେଇ ଆଇଏଲଏସ୍ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ଜଣେ ନାଇଜେରିଆ ଓ ଆଉଜଣେ କାତାରରୁ ଓଡ଼ିଶାକୁ ଫେରିଥିବା କୁହାଯାଇଛି। ଜିନମ୍ ସିକ୍ବେନ୍ସିଂ ପରେ ଚିହ୍ନଟ ହୋଇଛନ୍ତି। ଏହା କହିଛନ୍ତି ଆଇଏଲଏସ୍ ନିର୍ଦେଶକ ଅଜୟ ପରିଡ଼ା। ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ପରେ କଟକଣାକୁ ଆହୁରି କଡାକଡି କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିିର ଥିବା ଜଣାପଡିଛି। ଏବେ କେବଳ ମାସ୍କ, ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଉଛି। ଏହାବାଦ୍ ସହାରାଞ୍ଚଳରେ ନାଇଟ କର୍ଫ୍ୟୁ କଟକଣା ଜାରି ରହିଛି।

ବିଦେଶ ଫେରନ୍ତା ସାତ ଜଣଙ୍କ ମଧ୍ୟରୁ ଚାରିଜଣ ନେଗେଟିଭ। ତିନି ଜଣଙ୍କ ଜିନୋମ ସିକ୍ୟୁଏନ୍ସିଂ ପାଇଁ ଯାଇଛି ରିପୋର୍ଟ ଆସିନାହିଁ। ଏହି ତିନିଜଣଙ୍କ ଭିତରୁ ୨ ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ସମଗ୍ର ଦେଶରେ ଓମିକ୍ରନ୍‌ ଭାରିଏଣ୍ଟ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏପରିକି ଓମିକ୍ରନ୍‌ ଆକ୍ରାନ୍ତ ଦେଶରୁ ଫେରୁଥିବା ଯାତ୍ରୀଙ୍କ ପାଇଁ ଆର୍‌ଟିପିସିଆର୍‌ ଟେଷ୍ଟକୁ ବାଧ୍ୟତା ମୂଳକ କରାଯାଇଥିଲା। ସେମାନଙ୍କ ସବିଶେଷ ଡାଟା ରାଜ୍ୟ ସରକାର ରଖିବା ସହ ସେମାନଙ୍କ ଉପରେ କଡା ନଜର ରଖାଯାଇଥିଲା। ଏହା ସତ୍ତ୍ୱେ ରାଜ୍ୟରେ ୨ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟବାସୀଙ୍କ ମନରେ ଛନକା ପଶିଛି।

ଦେଶରେ କ୍ରମାଗତ ଭାବେ ଓମିକ୍ରନ ଜନିତ ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ବର୍ତ୍ତମାନ ଯାଏଁ ଏହା ୯୦ ଦେଶକୁ ବ୍ୟାପିସାରିଲାଣି। ଏହି ଦୁଇ ଜଣଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୧୭୦ରୁ ଅଧିକ ଜଣଙ୍କ ଶରୀରରୁ ଓମିକ୍ରନ ଭାରିଏଣ୍ଟ ଚିହ୍ନଟ ହୋଇ ସାରିଥିବା ସୂଚନା ରହିଛି। ଏମାନଙ୍କ ମଧ୍ୟରୁ ୮୦% ଲୋକ ଲକ୍ଷଣ ବିହୀନ ରହିଛନ୍ତି।

ଆଶ୍ୱସ୍ତିକର କଥା ଯେ, ଏ ସମସ୍ତ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ କେହି ବି ଗୁରୁତର ହୋଇନାହାନ୍ତି। ସମସ୍ତଙ୍କ ଶରୀରରେ କେବଳ ସ୍ୱଳ୍ପ ମାତ୍ରାରେ ଲକ୍ଷଣ ଦେଖା ଦେଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୧୭୦ରୁ ଅଧିକ ଆକ୍ରାନ୍ତଙ୍କ ମଧ୍ୟରୁ ୪୨ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି। ମହାରାଷ୍ଟ୍ରରେ ସର୍ବାଧିକ ୫୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରେ ୩୨, ତେଲେଙ୍ଗାନାରେ ୨୦, ରାଜସ୍ଥାନରେ ୧୭, ଗୁଜରାଟରେ ୧୩, କେରଳରେ ୧୧, କର୍ଣ୍ଣାଟକାରେ ୮, ଉତ୍ତର ପ୍ରଦେଶରେ ୨, ତାମିଲନାଡୁ, ଆନ୍ଧ୍ର, ପଶ୍ଚିମବଙ୍ଗ ଓ ଛତିଶଗଡ଼ରେ ଜଣେ ଲେଖାଏ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ସମଗ୍ର ବିଶ୍ୱରେ ୬୦ ହଜାରରୁ ଅଧିକ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଏହା ମଧ୍ୟରେ କେବଳ ବ୍ରିଟେନରୁ ୫୦% ଅଧିକ ଲୋକ ରହିଛନ୍ତି।

Also Read  Sambalpur Lawyers' Agitation: 12 Lawyers Arrested For Vandalising District Court Premises