ରାଜଧାନୀରେ ଲଜ୍ଜା : ମହିଳାଙ୍କୁ ଅପହରଣ, ଗଣଦୁଷ୍କର୍ମ, ଚୁଟି କାଟି ରାସ୍ତାରେ ଚଲାଇଲେ

0
740

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଘଟିଛି ଅତ୍ୟନ୍ତ ଲଜ୍ଜାଜନକ ଘଟଣା। ଗଣତନ୍ତ୍ର ଦିବସରେ କିଛି ଲୋକ ଜଣେ ମହିଳାଙ୍କୁ ଅପହରଣ କରିବା ପରେ ଗଣଦୁଷ୍କର୍ମ କରିଛନ୍ତି। ଖାଲି ସେତିକି ନୁହେଁ, ସେମାନେ ମହିଳାଙ୍କ ଚୁଟି କାଟିବା ସହ ବେକରେ ଚପଲ ମାଳ ପକାଇ ରାସ୍ତାରେ ଦୀର୍ଘ ସମୟ ଧରି ଚଲାଇ ନିର୍ଯାତନା ଦେଇଛନ୍ତି।

ମହିଳା ଜଣଙ୍କ ରାସ୍ତାରେ ଚାଲୁଥିବା ବେଳେ ସ୍ଥାନୀୟ ଲୋକ ତାଙ୍କ ବିରୋଧରେ ନାରାବାଜୀ ମଧ୍ୟ କରିଥିଲେ। ଦିଲ୍ଲୀର ବିବେକ ବିହାର ଅଞ୍ଚଳରେ ଏପରି ଘଟଣା ଘଟିଛି। ପୁଲିସ୍‌ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ ଜାରି ରଖିଛି। ନିର୍ଯାତନାର ଶିକାର ହୋଇଥିବା ମହିଳା ଜଣଙ୍କ ବିବାହିତ ଓ ତାଙ୍କର ଗୋଟିଏ ଛୁଆ ମଧ୍ୟ ଅଛନ୍ତି। ତାଙ୍କୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ସବୁବେଳେ ଅନୁସରଣ କରୁଥିଲା। ତେବେ ଗତବର୍ଷ ନଭେମ୍ବରରେ ଉକ୍ତ ଯୁବକ ଜଣଙ୍କ ଆତ୍ମହତ୍ୟା କରିବାରୁ ବିବାଦ ଦେଖାଯାଇଥିଲା। ମହିଳାଙ୍କ ପାଇଁ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ।

ଏହାକୁ ନେଇ ବିବାଦ ଚାଲିଥିବା ବେଳେ ଜାନୁଆରୀ ୨୬ରେ ମହିଳାଙ୍କ ସହ ଏପରି କାଣ୍ଡ ସ୍ଥାନୀୟ ଲୋକମାନେ ଘଟାଇଥିବା ତାଙ୍କ ଭଉଣୀ ପ୍ରଥମେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାକୁ ଗୁରୁତ୍ୱର ସହ ନେଇଛି ଓ ମହିଳାଙ୍କୁ ମାନସିକ ଆଘାତ ଲାଗିଥିବାରୁ ତାଙ୍କର କାଉନସେଲିଂ କରାଯାଉଛି। ଦିଲ୍ଲୀ ପୁଲିସ୍‌ କହିଛି, “ଶାହଦରା ଜିଲ୍ଲାରେ ବ୍ୟକ୍ତିଗତ ଶତ୍ରୁତା କାରଣରୁ ଜଣେ ମହିଳା ଯୌନ ଓ ଶାରିରୀକ ନିର୍ଯାତନାର ଶିକାର ହୋଇଛନ୍ତି। ଏହା ଏକ ଦୁର୍ବାଗ୍ୟଜନକ ଘଟଣା। ପୁଲିସ୍‌ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି। ଏବେ ଘଟଣାର ଅଧିକ ତଦନ୍ତ କରାଯାଉଛି। ପୀଡ଼ିତାଙ୍କୁ ସମସ୍ତ ପ୍ରକାରର ଆବଶ୍ୟକ ସହାୟତା ଓ କାଉନସେଲିଂ ପ୍ରଦାନ କରାଯାଇଛି। ମହିଳା ଜଣଙ୍କ ତାଙ୍କ ଏଫଆଇଆର୍‌ରେ ଗଣଦୁଷ୍କର୍ମର ଅଭିଯୋଗ ଆଣିଛନ୍ତି। ଏହାର ଯାଞ୍ଚ ଚାଲିଛି।”

ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି। ସେ ପୂରା ଘଟଣାରେ ଦିଲ୍ଲୀ ପୁଲିସ୍‌କୁ ନୋଟିସ କରିବେ ବୋଲି କହିଛନ୍ତି। ଏଥିସହ ବିଷାକ୍ତ ମଦ ବିକ୍ରି କରୁଥିବା ଗ୍ୟାଙ୍ଗର ସଦସ୍ୟମାନେ ମହିଳାଙ୍କୁ ଅପହରଣ କରିବା ପରେ ତାଙ୍କ ସହ ଏପରି କରିଥିବା ସେ ଅଭିଯୋଗ କରିଛନ୍ତି।

Also Read  ଦେଶରେ ୩ ଲକ୍ଷ ମୁହାଁ ଦୈନିକ ସଂକ୍ରମଣ