ବ୍ରହ୍ମପୁର ଆଇଟିଆଇର ସଫଳତା : ୩ ଟନ୍‌ ଇ-ଆବର୍ଜନାରେ ରୋବୋଟ୍‌, ଏସିଆ ବୁକ୍‌ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲା

0
300

ବ୍ରହ୍ମପୁର : ଇ-ଆବର୍ଜନାକୁ ନେଇ ବ୍ରହ୍ମପୁର ଶିଳ୍ପ ତାଲିମ୍ ଅନୁଷ୍ଠାନ (ଆଇଟିଆଇ) ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ ଏସିଆର ସର୍ବୋଚ୍ଚ ରୋବୋ ପ୍ରତିକୃତିକୁ ଏସିଆ ବୁକ୍‌ ଅଫ୍‌ ରେକର୍ଡସରେ ମାନ୍ୟତା ମିଳିଛି। ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନର ତାଲିମଦାତାଙ୍କ ସହଯୋଗରେ ଛାତ୍ରଛାତ୍ରୀମାନେ ଏକ ୩୦ ଫୁଟ୍‌ ଉଚ୍ଚର ରୋବୋ ପ୍ରତିକୃତି ପ୍ରସ୍ତୁତ କରିଥିଲେ। ଏହାକୁ ଅନୁଷ୍ଠାନ ପରିସରରେ ଥିବା ମୁକ୍ତାକାଶ ସ୍କ୍ରାପ୍‌ ମ୍ୟୁଜିୟମ୍‌ରେ ଗତ ନଭେମ୍ବର ୨ରେ ସ୍ଥାପନ କରାଯାଇଥିଲା। ଏହାକୁ ଏସିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନିତ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ଆବେଦନ କରାଯାଇଥିଲା। ଆବଶ୍ୟକ ଯାଞ୍ଚ ପରେ ଏହାକୁ ଇ-ଆବର୍ଜନାରେ ପ୍ରସ୍ତୁତ ଏସିଆର ସର୍ବୋଚ୍ଚ ରୋବୋ ପ୍ରତିକୃତିର ମାନ୍ୟତା ମିଳିଥିବା ନେଇ ଆଇଟିଆଇ ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଇ-ଆବର୍ଜନାକୁ ପୁନଃ ବ୍ୟବହାର ଉପଯୋଗୀ କରିବା ପାଇଁ ବ୍ରହ୍ମପୁର ଆଇଟିଆଇ ପକ୍ଷରୁ ନୂଆ ପ୍ରୟାସ ହୋଇଥିଲା। ଅବ୍ୟବହୃତ ହୋଇପଡ଼ିଥିବା ବିଦ୍ୟୁତ୍‌ଚାଳିତ କଣ୍ଢେଇ, ପ୍ରିଣ୍ଟର୍‌, କାଟ୍ରିଜ୍, ରାମ୍, କି ବୋର୍ଡ଼, ମାଉସ୍‌, ମନିଟର୍, ମୋବାଇଲ୍, ସିଡି ପ୍ଲେୟାର୍, ଟିଭି, ଭିସିଆର୍‌ ଆଦି ସାମଗ୍ରୀଗୁଡ଼ିକୁ ସଂଗ୍ରହ କରି ଏଥିରେ ଏକ ବୃହତ୍‌ ରୋବୋ ପ୍ରତିକୃତି ପ୍ରସ୍ତୁତ କରାଯାଇଥିଲା। ଏଥିରେ ଇଲେକ୍ଟ୍ରିସିଆନ୍, ଇଲେକ୍ଟ୍ରୋନିକ୍ସ ଓ ପେଣ୍ଟର୍ ଟ୍ରେଡ୍‌ର ଛାତ୍ରଛାତ୍ରୀମାନେ ନିୟୋଜିତ ହୋଇଥିଲେ। ୩୦ ଫୁଟ୍‌ ଉଚ୍ଚର ଏହି ରୋବଟ୍‌ଟି ୩ ଟନ୍‌ର ଇ-ଆବର୍ଜନାକୁ ନେଇ ଗଢ଼ାଯାଇଥିବା ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଏବେ ଏହା ଏସିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନିତ ହେବା ସହ ଦକ୍ଷତା ବିକାଶ କ୍ଷେତ୍ରରେ ଏହି ଶିଳ୍ପ ତାଲିମ୍‌ ଅନୁଷ୍ଠାନ ପୁଣି ଏକ ବଡ଼ ସଫଳତା ହାସଲ କରିଛି।

Also Read  ଆକାଶଛୁଆଁ ଟମାଟୋ ଦର: ପରିବା ଡାଲାରୁ ଟମାଟୋ ଉଭାନ୍‌: ରାଜଧାନୀରେ ୧୦୦ ଟପିଲା ଦାମ

LEAVE A REPLY

Please enter your comment!
Please enter your name here