କିଭ୍‌ ସେନା ପଣବନ୍ଦୀ କରିଥିବା ନେଇ ରୁଷର ଦାବିରେ କୌଣସି ସତ୍ୟତା ନାହିଁ : ଭାରତ

0
512
Talks Between Russian & Ukrainian Delegations are underway
Talks Between Russian & Ukrainian Delegations are underway

ନୂଆଦିଲ୍ଲୀ: ୟୁକ୍ରେନର ଖାରକିଭରେ ଭାରତୀୟ ଶିକ୍ଷାର୍ଥୀଙ୍କୁ କିଭ୍‌ ସେନା ପଣବନ୍ଦୀ କରିଥିବା ନେଇ ରୁଷର ଦାବିରେ କୌଣସି ସତ୍ୟତା ନାହିଁ। ଖାରକିଭରୁ ଭାରତୀୟମାନେ ଅନ୍ୟତ୍ର ଯିବାକୁ ଚାହୁଁଥିଲେ ମଧ୍ୟ ୟୁକ୍ରେନର ଯବାନମାନେ ସେମାନଙ୍କୁ ବଳପୂର୍ବକ ଅଟକ ରଖିଥିବା ରୁଷ ଦାବି କରିଥିଲା। ହେଲେ ଏହି ଖବରରେ ସତ୍ୟତା ନଥିବା କହିଛନ୍ତି ଭାରତ ସରକାର।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି, “ଭାରତର କୌଣସି ଶିକ୍ଷାର୍ଥୀ ପଣବନ୍ଦୀ ହୋଇ ରହିଥିବା ଖବର ଆମେ ପାଇନାହୁଁ। ଖାରକିଭରୁ ସୁରକ୍ଷିତ ଭାବେ ଭାରତୀୟ ଶିକ୍ଷାର୍ଥୀଙ୍କୁ ପଡ଼ୋଶୀ ସହରକୁ ନେବା ପାଇଁ ଆମେ ୟୁକ୍ରେନ ଅଧିକାରୀଙ୍କୁ ଅନୁରୋଧ କରିଛୁ।ସେମାନେ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରି ଭାରତୀୟଙ୍କୁ ଖାରକିଭରୁ ବାହାର କରିବେ। ବିଶେଷ କରି ପଶ୍ଚିମପ୍ରାନ୍ତକୁ ସେମାନଙ୍କୁ ନେବା ପାଇଁ କୁହାଯାଇଛି। ଆମେ ନିୟମିତ ଭାରତୀୟଙ୍କ ସହ ଯୋଗାଯୋଗରେ ରହିଛୁ। ଆମେ ରୁଷ, ରୋମାନିଆ, ପୋଲାଣ୍ଡ, ହଙ୍ଗେରୀ, ସ୍ଲୋଭାକିଆ ଓ ମୋଲଡୋଭା ସହ ମିଳିତ ଭାବେ କାମ କରୁଛୁ।

କିଛି ଦିନ ମଧ୍ୟରେ ଅନେକ ଭାରତୀୟଙ୍କୁ ୟୁକ୍ରେନରୁ ଉଦ୍ଧାର କରାଯାଇଛି। ୟୁକ୍ରେନ ପ୍ରଶାସନ ଆମକୁ ସହଯୋଗୁ କରୁଥିବାରୁ ଆମେ ଧନ୍ୟବାଦ ଜଣାଉଛୁ। ୟୁକ୍ରେନରୁ ଭାରତୀୟଙ୍କୁ ଗ୍ରହଣ କରିଥିବାରୁ ସମସ୍ତ ଦେଶଗୁଡ଼ିକୁ ମଧ୍ୟ ଆମ ଧନ୍ୟବାଦ ଦେଉଛୁ। ଏହାପୂର୍ବରୁ ରୁଷ କହିଥିଲା ଯେ ଖାରକିଭ୍‌ରେ ଅନେକ ଭାରତୀୟ ଶିକ୍ଷାର୍ଥୀଙ୍କୁ ୟୁକ୍ରେନ ଫୋର୍ସ ପଣବନ୍ଦୀ କରି ରଖିଛି। ଏ ସମ୍ପର୍କରେ ଆମ ପାଖରେ ସୂଚନା ରହିଛି। ଭାରତୀୟ ଶିକ୍ଷାର୍ଥୀମାନେ ଖାରକିଭ ଛାଡ଼ିବାକୁ ଚାହୁଁଥିଲେ ମଧ୍ୟ ସେମାନଙ୍କୁ ଅନୁମତି ମିଳିନି। ଖାରକିଭରେ ରହୁଥିବା ଭାରତୀୟ ଶିକ୍ଷାର୍ଥୀମାନେ ବେଲଗୋରୋଡ ଯିବାକୁ ଲକ୍ଷ୍ୟ ରଖିଛନ୍ତି।

ହେଲେ ସେମାନଙ୍କୁ ବାହାରକୁ ଛଡ଼ା ଯାଉନି। ସେମାନଙ୍କୁ ପଣବନ୍ଦୀ କରି ରଖାଯାଇଛି। ତେବେ ରୁଷିଆନ ଫୋର୍ସ ଭାରତୀୟ ଶିକ୍ଷାର୍ଥୀଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ସମସ୍ତ ପ୍ରକାରର ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ଖାରକିଭରୁ ସେମାନଙ୍କୁ ଉଦ୍ଧାର କରି ରୁଷକୁ ଅଣାଯିବ। ସେଠାରେ ରୁଷ ସରକାର ନିଜସ୍ୱ ମିଲିଟାରୀ ପ୍ଲେନ କିମ୍ବା ଭାରତୀୟ ବିମାନରେ ସମସ୍ତଙ୍କୁ ସୁରକ୍ଷିତ ଭାରତ ପଠାଇବାର ବ୍ୟବସ୍ଥା କରିବେ ବୋଲି ରୁଷ ପକ୍ଷରୁ କୁହାଯାଇଥିଲା। ଏହାକୁ ନେଇ ସବୁଆଡ଼େ ଆତଙ୍କ ଖେଳି ଯାଇଥିଲା। ଏବେ କିନ୍ତୁ ଭାରତ ସରକାର ପୂରା ପଣବନ୍ଦୀ ଦାବି ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି।

Also Read  ଆଜିଠୁ ନୂଆ କଟକଣା : ରାତି ୯ରୁ ନାଇଟ୍ କର୍ଫ୍ୟୁ