ଅଶାନ୍ତ ମଝି ସମୁଦ୍ରରେ ଫସିଥିବା ୧୧ ମତ୍ସ୍ୟଜୀବୀଙ୍କୁ ଏୟାରଲିଫ୍ଟ ଦ୍ୱାରା ଉଦ୍ଧାର

0
391
11-fisherman-airlifted-by-costguard-from-sea

ବ୍ରହ୍ମପୁର: ଅସାନୀରେ ଅଶାନ୍ତ ହେଉଛି ସମୁଦ୍ର । ମାଛ ଧରିବାକୁ ଡଙ୍ଗା ନେଇ ଯାଇଥିଲେ ମତ୍ସ୍ୟଜୀବୀ । ମଝି ସମୁଦ୍ରରେ ଫସିଗଲେ । ମଝି ସମୁଦ୍ରରୁ ଉଦ୍ଧାର ହେଲେ ସମସ୍ତ ୧୧ ମତ୍ସ୍ୟଜୀବୀ । ବିଶାଖାପାଟଣାରୁ ଓଡିଶା ଉପକୂଳକୁ ଫେରୁଥିବା ମତ୍ସ୍ୟଜୀବୀଙ୍କୁ କୋଷ୍ଟଗାର୍ଡ ଉଦ୍ଧାର କରିଛି । ସମସ୍ତଙ୍କୁ ସମୁଦ୍ର ମଝିରୁ ଏୟାରଲିଫ୍ଟ କରାଯାଇଛି । ଫେରିବା ବେଳେ ବୋଟ ଖରାପ ହେବା ଯୋଗୁ ଗଞ୍ଜାମ ଚିକିଟି ଅଞ୍ଚଳର ୧୧ ମତ୍ସ୍ୟଜୀବୀ ସମୁଦ୍ର ଭିତରେ ଫସିରହିଥିଲେ । ସୋମବାର ଅପରାହ୍ନରେ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ମାର୍କଣ୍ଡି ଗ୍ରାମର ଏହି ମତ୍ସ୍ୟଜୀବୀଙ୍କୁ ତଟରକ୍ଷୀ ବାହିନୀର ହେଲିକପ୍ଟର ସହାୟତାରେ ଉଦ୍ଧାର କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତ୍ୱରିତ ଉଦ୍ଧାର ନିର୍ଦ୍ଦେଶ ସହ ତାଙ୍କ କାର୍ଯ୍ୟାଳୟ ସମନ୍ବୟରେ ସମସ୍ତଙ୍କୁ ଅତି ଶୀଘ୍ର ଉଦ୍ଧାର କରାଯାଇଛି।

ଓଡ଼ିଶା ସୀମାବର୍ତ୍ତୀ ପାତିସୁନାପୁର ସମୁଦ୍ରକୂଳରୁ କିଛି ଦୂର ଗଭୀର ସମୁଦ୍ରରେ ଫସି ରହିଥିଲେ। ସେମାନେ ଜଳପଥରେ ଜାଲ କିଣିବାକୁ ବିଶାଖାପାଟଣା ଯାଇଥିଲେ। ସୋମବାର ଫେରିବା ବେଳେ ପାତିସୁନାପୁର ଠାରୁ କିଛି ଦୂର ସମୁଦ୍ର ମଧ୍ୟରେ ବୋଟ୍ ଖରାପ ହୋଇଗଲା। ମୋଟର ଫ୍ୟାନ୍ ଅଚଳ ହୋଇଯିବାରୁ ବୋଟ୍ ଆଉ ଆଗେଇ ପାରି ନଥିଲା। ସେପଟେ ସମୁଦ୍ର ଅଶାନ୍ତ ଥିବା ସହ ବଡ଼ ବଡ଼ ଲହଡ଼ା ଉଠୁଥିବାରୁ ମଧ୍ୟ ମତ୍ସ୍ୟଜୀବୀମାନେ କୂଳକୁ ଆସିବାକୁ ସକ୍ଷମ ହୋଇପାରି ନଥିଲେ।

ଖବର ପାଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ତୁରନ୍ତ କୋଷ୍ଟଗାର୍ଡ ଟିମ୍, ପୁଲିସ, ମତ୍ସ୍ୟ ବିଭାଗ ଅଧିକାରୀ ପାତିସୁନପୁର ବେଳାଭୂମିରେ ପହଞ୍ଚିଥିଲେ। ସମୁଦ୍ର ମଧ୍ୟରୁ ଅଟକ ମତ୍ସ୍ୟଜୀବୀଙ୍କୁ ଏକ ଘଣ୍ଟାର ଅଭିଯାନ ମଧ୍ୟରେ ତଟରକ୍ଷୀ ବାହିନୀର ହେଲିକପ୍ଟର ଜରିଆରେ ଏୟାରଲିଫ୍ଟ କରାଯାଇଥିଲା। ଉଦ୍ଧାରସ୍ଥଳରେ ପାତିସୁନପୁର, ଅନନ୍ତପୁର, ରାମେୟାପାଟଣା, ମାର୍କଣ୍ଡି ଗ୍ରାମର ଲୋକେ ପହଞ୍ଚିଥିଲେ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ସହ ସମନ୍ଵୟ ରକ୍ଷା କରି ଉଦ୍ଧାର କାର୍ଯ୍ୟ କରାଯାଇଛି। ଏଣୁ ମତ୍ସ୍ୟଜୀବୀ ଓ ସେମାନଙ୍କ ପରିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Also Read  Bird Flu fear again in village in Khurda, Odisha