୨୨ରୁ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ଚେସ୍‍ ଫେଷ୍ଟିଭାଲ୍‍

0
1183
୨୨ରୁ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ଚେସ୍‍ ଫେଷ୍ଟିଭାଲ୍‍
୨୨ରୁ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ଚେସ୍‍ ଫେଷ୍ଟିଭାଲ୍‍
ଭୁବନେଶ୍ୱର: ମେ ୧୫: କିଟ୍‍ ଓ କିସ୍‍ ଆନୁକୂଲ୍ୟରେ ଅଲ୍‍ ଓଡ଼ିଶା ଚେସ୍‍ ଆସୋସିଏସନ୍‍ ପକ୍ଷରୁ ଏମ୍‍ପିଏଲ୍‍ ୧୦ମ ଜାତୀୟ ସ୍କୁଲ୍‍ ଚାମ୍ପିଅନ୍‍ସିପ୍‍ ୨୦୨୨ ମେ ୧୬ ତାରିଖଠାରୁ କିସ୍‍ ଇଣ୍ଡୋର ଷ୍ଟାଡ଼ିଅମଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଚାମ୍ପିଅନ୍‍ସିପରେ ଅଣ୍ଡର-୭, ଅଣ୍ଡର-୯, ଅଣ୍ଡର-୧୧, ଅଣ୍ଡର-୧୩, ଅଣ୍ଡର-୧୫ ଓ ଅଣ୍ଡର ୧୭ ଓପନ୍‍ ଓ ବାଳିକା ବର୍ଗର ଚେସ୍‍ ଅନୁଷ୍ଠିତ ହେବ । ମେ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଚାମ୍ପିଅନ୍‍ସିପ୍‍ର ମ୍ୟାଚ୍‍ଗୁଡ଼ିକ ସକାଳ ୯ଟାଠାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କିଟ୍‍ ଇଣ୍ଟରନ୍ୟାସନାଲ ସ୍କୁଲ ଓ କିଟ ଇଣ୍ଟରନ୍ୟାସନାଲ ଚେସ ହଲରେ ଅନୁଷ୍ଠିତ ହେବ । କେବଳ ଭାରତୀୟ ସ୍କୁଲସ୍ତରର ଛାତ୍ରଛାତ୍ରୀମାନେ ଏହି ଚାମ୍ପିଅନ୍‍ସିପରେ ଅଂଶଗ୍ରହଣ କରିପାରିବେ । ଏଥିରେ ଭାରତୀୟ ଚେସ୍‍ ଫେଡେରେସନ୍‍ଠାରୁ ସ୍ୱୀକୃତି ପାଇଥିବା ରାଜ୍ୟ ଚେସ୍‍ ଆସୋସିଏସନ୍‍ ଜରିଆରେ ଖେଳାଳିମାନେ ପଞ୍ଜିକରଣ କରିପାରିବେ ବୋଲି ଓଡ଼ିଶା ଚେସ୍‍ ଆସୋସିଏସନ୍‍ ପକ୍ଷରୁ ଏହା ସମ୍ପାଦକ ଦେବବ୍ରତ ଭଟ୍ଟ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ଚାମ୍ପିଅନ୍‍ସିପରେ ୧୨ଟି ବର୍ଗରେ ଶ୍ରେଷ୍ଠ ବିଜେତାଙ୍କୁ ମୋଟ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ । ବର୍ତ୍ତମାନ ଓଡ଼ିଶାରୁ ୧୪୨ ସ୍କୁଲ୍‍ ପିଲାଙ୍କ ସମେତ ୧୦୨୪ ଖେଳାଳି ଏହି ଚାମ୍ପିଅନ୍‍ସିପରେ ଖେଳିବା ପାଇଁ ପଞ୍ଜୀକରଣ କରିସାରିଥିବା ବେଳେ ୧୫ଶହ ଅଭିଭାବକ ରହିଛନ୍ତି । ୩୦ ଆର୍ବିଟର ଓ ୫୦ ଅଫିସିଆଲ୍‍ ମଧ୍ୟ ଏହି ଚାମ୍ପିଅନ୍‍ସିପରେ ଯୋଗଦେବେ। ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି ବିରାଟ ଚାମ୍ପିଅନ୍‍ସିପ ଆୟୋଜନ କରାଯାଉଛି । ସେହିପରି କିଟ୍‍ ସହଯୋଗରେ ଅଲ୍‍ ଓଡ଼ିଶା ଚେସ୍‍ ଆସୋସିଏସନ୍‍ ପକ୍ଷରୁ ମେ ୨୨ ତାରିଖଠାରୁ ୧୩ତମ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ଚେସ୍‍ ଫେଷ୍ଟିଭାଲ୍‍ ୨୦୨୨ ଅନୁଷ୍ଠିତ ହେବ । କିଟ ଇଣ୍ଟରନ୍ୟାସନାଲ ସ୍କୁଲ ଓ କିଟ ଇଣ୍ଟରନ୍ୟାସନାଲ ଚେସ ହଲରେ ହେବାକୁ ଥିବା ଏହି ଚାମ୍ପିଅନସିରେ ୧୦ଟି ଦେଶରୁ ଗ୍ରାଣ୍ଡ ମାଷ୍ଟରଙ୍କ ସହ ଅନ୍ତର୍ଜାତୀୟସ୍ତରର ୭ଶହ ଖେଳାଳି ମଧ୍ୟ ଏଥିରେ ଯୋଗ ଦେଉଥିବା ବେଳେ ମୋଟ ପୁରସ୍କାର ରାଶି ୨୫ ଲକ୍ଷ ଟଙ୍କା ରଖାଯାଇଛି । କିଟ୍‍ ଏଭଳି ଜାତୀୟ ଓ ଅନ୍ତର୍ଜାତୀୟ ଚେସ୍‍ ପ୍ରତିଯୋଗିତା ଆୟୋଜନ କରାଯାଉଥିବାର ଓଡ଼ିଶା ଚେସ୍‍ ଆସୋସିଏସନ୍‍ ଓ ଭାରତୀୟ ଚେସ୍‍ ଫେଡେରେସନ୍‍ ପକ୍ଷରୁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଓ କିଟ୍‍-କିସ୍‍କୁ ଧନ୍ୟବାଦ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅଲ୍‍ ଇଣ୍ଡିଆ ଚେସ୍‍ ଫେଡେରେସନ୍‍ର ଯୁଗ୍ମ ସଚିବ ରଞ୍ଜନ ମହାନ୍ତି, ଓଡ଼ିଶା ଚେସ୍‍ ଆସୋସିଏସନ୍‍ କୋଷାଧ୍ୟକ୍ଷ ଭବେଶ ମହାନ୍ତି, ଇଣ୍ଟରନ୍ୟାସ୍‍ନାଲ୍‍ ଆର୍ବିଟର୍‍ ସୁରେଶ ଚନ୍ଦ୍ର ସାହୁ, ଅଲ୍‍ ଓଡ଼ିଶା ଚେସ୍‍ ଆସୋସିଏସନ୍‍ କାର୍ଯ୍ୟକରିଣୀ ସଦସ୍ୟ ପ୍ରଦୀପ ମହାନ୍ତି, କିଟ୍‍ କ୍ରୀଡ଼ା ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।
Also Read  International Day of Art of Giving Celebrated across the World