ମୁମ୍ବାଇ : ମହାରାଷ୍ଟ୍ରରେ ଏକନାଥ୍ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବା ପରଠାରୁ ପଲିଟିକାଲ ମାହୋଲ ପୂରା ସରଗରମ ରହିଛି। ଏହାରି ଭିତରେ ଏକନାଥ୍ ସିନ୍ଦେଙ୍କ ଗୋଷ୍ଠୀ ଏନସିପି ନେତା ଶରଦ୍ ପାଓ୍ବାରଙ୍କୁ ସିଧାଶଳଖ ଟାର୍ଗେଟ କରିଛନ୍ତି। ସିନ୍ଦେଙ୍କ ଗୋଷ୍ଠୀର ଜଣେ ମୁଖପାତ୍ର ଦୀପକ କେଶରକର୍ କହିଛନ୍ତି ଯେ, ଏହା ପୂର୍ବରୁ ଯେତେବେଳେ ଶିବସେନାକୁ ଭାଙ୍ଗିବା ପାଇଁ ପ୍ରୟାସ କରାଯାଇଛି, ତା’ ପଛରେ ଶରଦ୍ ପାଓ୍ବାରଙ୍କ ହାତ ରହିଛି। ସେ ନାରାୟଣ ରାଣେ ଏବଂ ରାଜ ଠାକରେଙ୍କ ବିଦ୍ରୋହ ସମ୍ପର୍କରେ କହିଛନ୍ତି ଯେ ଏହିଦୁଇ ନେତାଙ୍କ ପଛରେ ଶରଦ ପାୱାରଙ୍କ ହାତ ରହିଥିଲା। ସେ କହିଛନ୍ତି, ଯେଉଁ ଶରଦ ପାଓ୍ବାର ଆଜି ବାଲା ସାହେବ ଠାକରେଙ୍କୁ ସମ୍ନାନ ଦେବା କଥା କହୁଛନ୍ତି ସେ ଥରୁଟିଏ ମହାରାଷ୍ଟ୍ରର ଜନତାଙ୍କୁ ଉତ୍ତର ଦିଅନ୍ତୁ ଯେ, କ’ଣ ପାଇଁ ବାଲାସାହେବ ଠାକରେ ଜୀବିତ ଥିବା ବେଳେ ତାଙ୍କୁ ନିର୍ଯ୍ୟାତନା ଦିଆଯାଇଥିଲା?
ଏକ ମରାଠୀ ଚ୍ୟାନେଲରେ ଆଲୋଚନା ସମୟରେ ଶିବସେନା ଏବଂ ଏନସିପି ସହ ମିଶି ନିର୍ବାଚନରେ କିପରି ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ବୋଲି ଯେତେବେଳେ ପ୍ରଶ୍ନ କରାଯାଇଥିଲା ସେତେବେଳେ ସେ ଏହାର ଉତ୍ତର ଦେଇଥିଲେ। ସେ କହିଥିଲେ ଶରଦ୍ ପାଓ୍ବାର ଶିବସେନାର ବିଭାଜନକୁ ନେଇ ନିଜର ବ୍ୟକ୍ତିଗତ ମତ ଦେଉଥିଲେ। ନାରାୟଣ ରାଣେଙ୍କୁ ଶିବସେନାରୁ ବାହାର କରିବା ପଛରେ ଶରଦ୍ ପାଓ୍ବାରଙ୍କ ହାତ ଥିଲା। ଏହା ସହିତ ରାଜ୍ ଠାକରେଙ୍କୁ ମଧ୍ୟ ସେ ସମର୍ଥନ କରିଥିଲେ। ମହାରାଷ୍ଟ୍ର ରାଜନୀତିରେ ଶରଦ ପାୱାରଙ୍କର ଏକ ବଡ଼ ସ୍ଥିତି ରହିଥିବା ବେଳେ ଏକନାଥ ସିନ୍ଦେଙ୍କ ଗୋଷ୍ଠୀର ମୁଖପାତ୍ରଙ୍କ ବୟାନକୁ ନେଇ ତାଙ୍କ ଉପରେ ଶରଦ୍ ସିଧାସଳଖ ପ୍ରତିକ୍ରିୟା ଦେଇପାରନ୍ତି ବୋଲି କୁହାଯାଉଛି।
ଅବଶ୍ୟ ବର୍ତ୍ତମାନ ସୁଦ୍ଧା ଏନସିପି ନେତାଙ୍କ ପକ୍ଷରୁ କେସରକରଙ୍କ ଅଭିଯୋଗକୁ ନେଇ କୌଣସି ଜବାବ ମିିଳିପାରିନାହିଁ। ବାଲାସାହେବ ଠାକରେଙ୍କୁ ମନେପକାଇ କେସରକର କହିଛନ୍ତି ଯେ, ବାଲାସାହେବ କେବେବି କଂଗ୍ରେସ-ଏନସିପି ସହିତ ଯିବାକୁ ପ୍ରସ୍ତୁତ ନଥିଲେ। ସେ ସବୁବେଳେ କହୁଥିଲେ, ଯଦି ମୁଁ ମୋ ଦଳର ଶେଷ ବ୍ୟକ୍ତି ବି ହୁଏ, ତଥାପି ମୁଁ କଂଗ୍ରେସ ସହିତ ଯିବି ନାହିଁ। ଏକନାଥଙ୍କ ସମର୍ଥକ ନେତା କହିଛନ୍ତି ଯେ ଠିକ୍ ଏଇଥିପାଇଁ ଶିବସୈନିକମାନେ କେବେବି ଶରଦ ପାୱାରଙ୍କ ସହ ରହିବେ ନାହିଁ। ଦେଖିବାର କଥା ଏହି ପ୍ରତିକ୍ରିୟାକୁ ନେଇ କ’ଣ କହୁଛି ଏନସିପି।

























