ଭୁବନେଶ୍ୱର: ଦୟାନଦୀ ପଠାରୁ ମିଳିଲା ଲିଙ୍ଗିପୁର ହାଉସିଂବୋର୍ଡ ଛକରୁ ଲୁଟ୍ ହୋଇଥିବା ଏଟିଏମ୍ । ଟଙ୍କା ଲୁଟ୍ କରିବା ପରେ ଏଟିଏମ୍ ଫିଙ୍ଗି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ଏକ ଚୋରା ଗାଡିରେ ଏଟିଏମ୍ ମେସିନକୁ ନେଇଥିଲେ । ପ୍ରଥମେ ଜଣଙ୍କ ଘରୁ ଟାଟା ଏସିଇ ଗାଡି ଚୋରି କରିଥିଲେ । ଏହା ପରେ ସେହି ଗାଡି ସହାୟତାରେ ମେସିନକୁ ଦୟାନଦୀ ପଠାକୁ ନେଇ ଯାଇଥିଲେ । ମେସିନକୁ ଦୟାନଦୀ ପଠାରେ ଫୋପାଡି ଥିବା ବେଳେ ଚୋରି ଗାଡିକୁ ସେଠାରୁ କିଛି ଦୂରରେ ଛାଡି ଚମ୍ପଟ ମାରିଛନ୍ତି ଲୁଟେରା ।
ରାଜ୍ୟରେ ପ୍ରଥମ ଥର ଏପରି ଘଟଣା ଦେଖିବାକୁ ମିଳିଛି । ଲୁଟେରାମାନେ ସଂପୂର୍ଣ୍ଣ ମେସିନକୁ ଉଠାଇ ନେଇଥିଲେ । ସିସିଟିଭିରେ କଏଦ ହୋଇଥିଲା ଲୁଟର ଦୃଶ୍ୟ । ତିନି ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ମେସିନକୁ ତାଡିବା ପରେ ଟାଣି ଟାଣି ନେଇଥିଲେ । ପରେ ସେଠାରେ ଲାଗିଥିବା ସିସିଟିଭିକୁ ଭାଙ୍ଗି ଦେଇଥିଲେ । ଏଟିଏମରେ ୧୭ ଲକ୍ଷ ୧୪ ହଜାର ଟଙ୍କା ରହିଥିଲା । ଏଟିଏମର ଓଜନ ପାଖାପାଖି ୩ କ୍ୱିଂଟାଲ ହେବ ।
ଏପରି ଲୁଟ୍ କରିବାରେ ତିନି ଜଣରୁ ଅଧିକ ଲୋକଙ୍କ ସଂପୃକ୍ତ ଥାଇପାରେ ବୋଲି ସନ୍ଦେହ କରୁଛି ପୋଲିସ । ଲୁଟେରାମାନେ ଚୋରି ଗାଡିରେ ଲୁଟ୍ କରି ଫେରାର ହୋଇଯାଇଥିବାରୁ ସେମାନଙ୍କୁ ଧରିବା ପୋଲିସ ପାଇଁ ଚ୍ୟାଲେଂଜ ସୃଷ୍ଟି କରିବ । ତେବେ ସେମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି କହିଛି ପୋଲିସ ।