ବ୍ରହ୍ମପୁର: ଥାନା ସମ୍ମୁଖରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ଗୋପାଳପୁର ଥାନା ସମ୍ମୁଖରେ ଗତକାଲି ଅପରାହ୍ନରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଥିଲେ । ମହିଳା ଜଣକ ମାଣ୍ଡିଆପଲ୍ଲୀ ଜ୍ୟୋତି ନଗରର ସୁକାନ୍ତ ନାୟକଙ୍କ ସ୍ତ୍ରୀ ଟିକିନା । ସୂଚନା ଅନୁଯାୟୀ, ଟିକିନା ଓ ତାଙ୍କ ସ୍ୱାମୀ ସୁକାନ୍ତଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ବିଭିନ୍ନ ବିଷୟକୁ ନେଇ ଗଣ୍ଡଗୋଳ ଚାଲିଥିଲା । ଏ ନେଇ ସେ ଅନେକ ଥର ମହିଳା ଥାନାର ମଧ୍ୟ ଦ୍ଵାରସ୍ଥ ହୋଇଥିଲେ ।
ଗତକାଲି ସକାଳେ କୋୖଣସି କାରଣକୁ ନେଇ ସୁକାନ୍ତ ଓ ଟିକିନାଙ୍କ ମଧ୍ୟରେ ଗଣ୍ଡଗୋଳ ହେବାରୁ ଟିକିନା ଗୋପାଳପୁର ଥାନା ସମ୍ମୁଖରେ କିଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଥାନାର ମହିଳା କର୍ମଚାରୀ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଛନ୍ତି । ହଠାତ୍ ଥାନା ସମ୍ମୁଖରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମକୁ ସାଧାରଣରେ ଚର୍ଚ୍ଚା ହୋଇଛି । ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହେବା ସହ ସୁକାନ୍ତକୁ ଜେରା ଜାରି ରହିଛି । ଟିକିନାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଲେ ତାଙ୍କୁ ମଧ୍ୟ ପଚରାଉଚରା କରାଯାଇ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ନେଇ କହିଛନ୍ତି ବ୍ରହ୍ମପୁର ଏସପି ।