ଅନୁଗୋଳ: ପୁରୀ ପରିକ୍ରମା ପ୍ରକଳ୍ପ ନେଇ ତେଜୁଛି ରାଜନୀତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ନେଇ ସାରା ରାଜ୍ୟରେ ଲାଗି ରହିଛି ବିବାଦ । ଏହାରି ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ସଂସ୍କୃତି ସମ୍ପନ୍ନ ରାଜ୍ୟ ଓଡ଼ିଶାରେ ମଠ, ମନ୍ଦିରର ଐତିହ୍ୟ ଓ ପରମ୍ପରା ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ରହିଛି । ଶ୍ରୀମନ୍ଦିରର ଚତୁଃପାର୍ଶ୍ୱର ସୌନ୍ଦର୍ଯ୍ୟୀକରଣ ନେଇ କାହାର ଆପତ୍ତି ନାହିଁ । ମାତ୍ର ବିଗତ କିଛି ଦିନ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଆସୁଥିବା ଖବର ଚିନ୍ତାଜନକ । ନିୟମକାନୁନର ପରିଧି ଭିତରେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ହେବା ଉଚିତ୍ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀମନ୍ଦିର ପାଶ୍ୱର୍ରୁ ହଜାର ହଜାର ବର୍ଷର ପୁରୁଣା ମୂର୍ତ୍ତି ମିଳୁଥିବାରୁ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବା ଢଙ୍ଗରେ କହିଛନ୍ତି କି ପୁରାତନ ମୂର୍ତ୍ତି ଓ କିର୍ତ୍ତୀରାଜିକୁ ଅଣଦେଖା କରି ଆଧୁନିକୀକରଣ କରିବା ଉଚିତ୍ ନୁହେଁ ।
ଶ୍ରୀମନ୍ଦିର ପାର୍ଶ୍ୱବର୍ତ୍ତୀ ଅଂଚଳରୁ ଯେଉଁଭଳି ହଜାର ହଜାର ବର୍ଷ ତଳର ପୁରାତନ ମୂର୍ତ୍ତି ଓ ଅନ୍ୟାନ୍ୟ କୀର୍ତ୍ତିରାଜି ମିଳୁଛି ସେ ସବୁକୁ ଅଣଦେଖା କରି ପରିକ୍ରମା ଯୋଜନାରେ ଆଧୁନିକୀକରଣ କହିବା ଉଚିତ୍ ନୁହେଁ। ଜଣେ ଜଗନ୍ନାଥ ଭକ୍ତ ଓ ଓଡ଼ିଆ ସଂସ୍କୃତିର ଅନୁଗାମୀ ଭାବେ ପ୍ରବନ୍ଧକମାନଙ୍କଠାରୁ ନିୟମକାନୁନ ପରିଧିରେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟୀକରଣ ହେବା ମୋର ଅପେକ୍ଷା ରହିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।