ନୂଆଦିଲ୍ଲୀ: ଯମୁନା ନଦୀରେ ଦୁର୍ଘଟଣା। ୨୦-୨୫ ଲୋକଙ୍କୁ ନେଇଯାଉଥିବା ଡଙ୍ଗା ମଝି ନଈରେ ବୁଡ଼ିଗଲା। ତେବେ ସୌଭାଗ୍ୟ ବଶତଃ ୪ ଜଣ ପହଁରି ପହଁରି କୂଳରେ ପହଞ୍ଚିଥିବା ବେଳେ ଡଙ୍ଗା ସହ ଅନ୍ୟ ୧୭ ଜଣଙ୍କର ଏଯାଏ ପତା ମିଳୁ ନାହିଁ। ଘଟଣା ସ୍ଥଳରେ ଏସ୍ଡିଆର୍ଏଫ୍ ଟିମ୍ ଓ ସ୍ଥାନୀୟ ବୁଡ଼ାଳିଙ୍କ ସହଯୋଗରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର ବେଳେ ତିନି ଜଣଙ୍କ ମୃତଦେହ ମିଳିଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁସାରେ ମର୍କାରୁ ଫତେହପୁର ଓ ପ୍ରୟାଗରାଜକୁ ଯାତ୍ରୀ ଏହିଭଳି ଭାବରେ ଡଙ୍ଗାରେ ଯିବାଆସିବା କରନ୍ତି। ଡଙ୍ଗା ହିଁ ସେମାନେଙ୍କର ସାହାରା। ଏହି ଡଙ୍ଗାରେ ୩୦-୪୦ ଲୋକ ନଦୀ ପାର କରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଆନ୍ତି। ଗୁରୁବାର ଦିନ ପ୍ରାୟ ଅଢ଼େଇଟା ବେଳେ ମର୍କାରୁ ୨୦-୨୫ ଲୋକ ଡଙ୍ଗାରେ ବସି ଫତେହପୁର ଯାଉଥିଲେ। ହେଲେ ଯମୁନାରେ ସୁଅ ଅଧିକ ଥିବାରୁ ଡଙ୍ଗାଟି ହଠାତ୍ ନିୟନ୍ତ୍ରଣ ହରାଇ ବୁଡ଼ିଯାଇଥିଲା। ସେଥିମଧ୍ୟରୁ ୪ ଜଣ ପହଁରି ପହରିଁ କୂଳକୁ ଆସିବାରେ ସକ୍ଷମ ହୋଇଛନ୍ତି। ସନ୍ଧ୍ୟା ହୋଇ ଆସୁଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେବ ବୋଲି ଆଶଙ୍କା କରାଯାଉଛି। ପୁଲିସ ପ୍ରଶାସନ ଓ ଦମକଳବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।