ଗାନ୍ଧୀନଗର: ଗୁଜୁରାଟ ପୁଲିସର ଏସଆଇଟି ପକ୍ଷରୁ କୋର୍ଟରେ ଦାଖଲ କରାଯାଇଥିବା ପିଟିସନ୍କୁ ନେଇ କଂଗ୍ରେସ ଓ ବିଜେପି ମୁହାଁ-ମୁହିଁ ହୋଇଛନ୍ତି। ସମାଜସେବୀ ତିସ୍ତା ସୀତଲୱାଡ଼ଙ୍କ ଜାମିନ ଆବେଦନକୁ ବିରୋଧ କରି ଏସଆଇଟି କୋର୍ଟରେ ଏହି ପିଟିସନ୍ ଦାଖଲ କରିଛି। ଏଥିରେ କୁହାଯାଇଛି,ପୂର୍ବତନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ଦ୍ୱାରା ରଚାଯାଇଥିବା ଷଡ଼ଯନ୍ତ୍ରରେ ତିସ୍ତା ସାମିଲ ଥିଲେ। ସୀଲତୱାଡ଼ଙ୍କୁ କିଛି ଦିନ ତଳେ ଅହମଦାବାଦର କ୍ରାଇମବ୍ରାଞ୍ଚ ୨୦୦୨ ଗୁଜୁରାଟ ଦଙ୍ଗା ମାମଲାରେ ଲୋକଙ୍କୁ ମିଛରେ ଫସାଇବାର ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ଗିରଫ କରାଯାଇଥିଲା।
ଏହି ରିପୋର୍ଟକୁ ନେଇ କଂଗ୍ରେସ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛି। ପଟେଲଙ୍କୁ ସମର୍ଥନ କରି କଂଗ୍ରେସ କହିଛି, ଅହମଦ ପଟେଲ ବିରୋଧରେ କରାଯାଇଥିବା ଅଭିଯୋଗକୁ ଆମେ ଖଣ୍ଡନ କରୁଛୁ। ଏହା ପ୍ରଧାନମନ୍ତ୍ରୀଙ୍କ ସେହି ସମୟର ରଣନୀତି। 2002 ରେ ସେ ମୁଖ୍ୟମନ୍ତ୍ରୀ ରହିବା ସମୟରେ ଘଟିଥିବା ସାମ୍ପ୍ରଦାୟିକ ଦଙ୍ଗାରେ ନିଜକୁ ଦୋଷ ମୁକ୍ତ କରିବା ପାଇଁ ଚେଷ୍ଟା କରୁଛନ୍ତି।
ଏହାପରେ ବିଜେପି ପକ୍ଷରୁ କଂଗ୍ରେସକୁ ଟାର୍ଗେଟ କରାଯାଇଛି। ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ୱିତ ପାତ୍ର ଏକ ସାମ୍ୱାଦିକ ସମ୍ମୀଳନି କରି କହିଛନ୍ତି, ଅହମଦ ପଟେଲ କେବଳ ନାଁ, ଅସଲି କାମ ସୋନିଆ ଗାନ୍ଧୀ କରିଛନ୍ତି। ସେ ଆହୁରି କହିଛନ୍ତି, ତିସ୍ତା ସୀତଲୱାଡ଼ ଓ ତାଙ୍କର ସାଥୀ ଯେଉଁମାନେ ସମାଜସେବା କରୁଛନ୍ତି ସେମାନେ ଲୋକଙ୍କ ପାଇଁ କାମ କରିନାହାନ୍ତି ବୋଲି ସମ୍ୱିତ ପାତ୍ର କହିଛନ୍ତି।

























