ଭୁବନେଶ୍ୱର:ପ୍ରଥମେ ଭଉଣୀ, ପରେ ଗାଡ଼ି ଚାଳକ ଏବେ ପରିଚାରିକା ବା କାମବାଲି ଗୀତା; ନକଲି ଡାକ୍ତର ରମେଶ ସ୍ୱାଇଁ ଅପରାଧ କଳାସାମ୍ରାଜ୍ୟର ଗୁମର ଖୋଲି ଦେଇଛନ୍ତି। ରମେଶଙ୍କ ଭଉଣୀ ରଶ୍ମିତା, ଗାଡ଼ିଚାଳକ ପପୁ ପୁଲିସ ସାମ୍ନାରେ କିଛି ସତ ଉଗାରିଥିବା ବେଳେ ଆଉ କିଛି ସତକୁ ମାନି ନଥିଲେ। ତେଣୁ ତଦନ୍ତ ଆଗକୁ ଅଗ୍ରଗତି କରିବାରେ ସମସ୍ୟା ହେବା ସହ ଅନ୍ଧାରରେ ବାଡ଼ି ବୁଲାଉଥିଲା ତଦନ୍ତକାରୀ ସଂସ୍ଥା। କିନ୍ତୁ ରମେଶଙ୍କ ଘରୋଇ ପରିଚାରିକା ପୁଲିସ ଆଗରେ ବଖାଣି ଦେଇଛନ୍ତି ସବୁ ସତକଥା। ଆଉ ଖୋଲିଦେଇଛନ୍ତି ରମେଶଙ୍କ ଅସଲି ମୁଖା। ପ୍ରାୟ ୨ ଘଣ୍ଟା ଘରୋଇ ସହାୟିକା ଗୀତାଙ୍କୁ ଜେରା କରିଥିଲେ ପିଙ୍କ୍ ଟିମ୍। ଆଉ ଗୀତା ଚଳଚ୍ଚିତ୍ରର କାହାଣୀ ଶୈଳୀରେ ପୁଲିସ ଆଗରେ ରମେଶଙ୍କ ବିବାହ ଆଳରେ ଠକେଇ ସିଣ୍ଡକେଟ୍ର ପୂରା ଘଟଣାକୁ ବର୍ଣ୍ଣନା କରିଦେଇଛନ୍ତି।
ପୁଲିସର କହିବାନୁଯାୟୀ ୨୦୧୯ରୁ ରମେଶଙ୍କ ଘରେ ପରିଚାରିକା ଭାବେ କାର୍ଯ୍ୟ କରୁଥିଲେ ଗୀତା। ପ୍ରାୟ ୨ବର୍ଷ ୩ମାସ ରମେଶର ଘରେ ରହି ଘରର ସବୁ କାର୍ଯ୍ୟ କରୁଥିଲେ। ଏହି ସମୟ ଭିତରେ ତାଙ୍କୁ ୩ ମାସର ଦରମା ମିଳିଥିବା ବେଳେ ଆଉ ୨ ବର୍ଷର ବାକି ଦରମା ମିଳିନାହିଁ। ତେବେ ଦରମା ମାଗିବାରୁ ରାତି ୧୧ଟାରେ ଧକ୍କାମାରି ଘରୁ ବାହାର କରି ଦିଆଯାଇଥିଲେ। ଏଥିସହିତ ତାଙ୍କ ମୋବାଇଲରେ କିଛି ପ୍ରମାଣ ଥିବାରୁ ଭାଙ୍ଗି ଦେଇଥିଲେ ବୋଲି ଗୀତା ଅଭିଯୋଗ କରିଛନ୍ତି। ଅନ୍ୟପଟେ ଗୀତା, ପ୍ରଥମ ପତ୍ନୀଙ୍କ ସହ ପପୁଙ୍କୁ ମୁହାଁମୁହିଁ ଜେରା କରିଛି ତଦନ୍ତକାରୀ ଟିମ୍। ସେପଟେ ରମେଶଙ୍କ ଠକେଇ ସିଣ୍ଡିକେଟ୍ ଦୁର୍ଗକୁ ଭାଙ୍ଗିବା ଲାଗି ମିଛଧରା ପରୀକ୍ଷା କରାଯାଇଥିଲା। ତେବେ ଆସନ୍ତାକାଲି ରମେଶଙ୍କ ମିଛଧରା ପରୀକ୍ଷାର ରିପୋର୍ଟ ଆସିପାରି ବୋଲି ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।
ସେଭଳି ରମେଶ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଉପ ନିର୍ଦ୍ଦେଶକର ପରିଚୟ ଦେଇ ରାଜ୍ୟ ବାହାରର ଉଚ୍ଚଶିକ୍ଷିତାଙ୍କୁ ବିବାହର ବିଭିନ୍ନ ସାଇଟ୍ରେ ଫସାଇ ରାଜ୍ୟ ବାହାରେ ବିବାହ କରୁଥିଲା। ଏହାପରେ ସେଠାରୁ ନବବଧୂ ବେଶରେ ମହିଳାମାନେ ବିମାନରେ ଆସି ଭୁବନେଶ୍ୱରରେ ପହଞ୍ଚିଯାଉଥିଲେ। ସେଠାରୁ ନବବଧୂଙ୍କୁ ପାତ୍ରପଡ଼ାସ୍ଥ ଆପାର୍ଟମେଣ୍ଟର ଭଡ଼ାଘରକୁ ନେଉଥିଲେ। ସେଠାରେ ଗୃହପ୍ରବେଶରେ ରମେଶଙ୍କ ଭଉଣୀ ରଶ୍ମିତା, ମାଆ ଏବଂ ଅନ୍ୟମାନେ ଉପସ୍ଥିତ ରହିଥିଲେ। ସେଠାରେ ବି ଗୀତା ରହିଥିଲେ। ଗୋଟିଏ ପରେ ଗୋଟିଏ ବିବାହ କରି ନବବଧୂଙ୍କୁ କିଭଳି ଘରକୁ ଆଣୁଥିଲେ ଠକ ରମେଶର କାହାଣୀ ତଦନ୍ତକାରୀ ସଂସ୍ଥା ଆଗରେ କହିଦେଇଛନ୍ତି। ସେପଟେ ରମେଶଙ୍କ ଅପରାଧର ଦୁର୍ଗ ଭାଙ୍ଗିବାରେ ଘରୋଇ ସହାୟିକା ଗୀତାଙ୍କ ବଡ଼ ଭୂମିକା ରହିଛି। ରମେଶଙ୍କ ଆଉ ଜଣେ ପତ୍ନୀଙ୍କୁ ରମେଶ ବିଷୟରେ କହି ଦେଇଥିଲେ ଗୀତା। ସେ ସନ୍ଦେହ କରିବା ପରେ ରମେଶଙ୍କ ପତ୍ନୀ ମହିଳା ଥାନାରେ ଅଭିଯୋଗ କରିଥିଲେ। ପରେ ରମେଶଙ୍କ ପୂରା ଠକେଇ ସାମ୍ରାଜ୍ୟ ପଦାକୁ ଆସିଥିଲା।
‘ଦ୍ୱିତୀୟ ପତ୍ନୀ ଥିଲେ ମୁଖ୍ୟ ଖଳନାୟିକା’
ଘରୋଇ ସହାୟିକା ଗୀତାଙ୍କ କହିବା କଥା, ରମେଶଙ୍କ ଦ୍ୱିତୀୟ ପତ୍ନୀ କମଳା ଥିଲେ ମୁଖ୍ୟ ଖଳନାୟିକା। ଦ୍ୱିତୀୟ ପତ୍ନୀଙ୍କ ଜାଣତରେ ଅପରେଟ୍ ହେଉଥିଲା ବିବାହ ଆଳରେ ଠକେଇ ସିଣ୍ଡିକେଟ୍। ରମେଶ ପ୍ରତିଦିନ ନୂଆନୂଆ ମହିଳାଙ୍କୁ ଧରି ଘରକୁ ଆସୁଥିଲେ। ୩ ବର୍ଷ ଭିତରେ ୪ରୁ ୫ ଜଣ ମହିଳାଙ୍କୁ ଧରି ଘରକୁ ଆସୁଥିଲେ ରମେଶ। ଆଉ ପଚାରିଲେ, ଅତିଥି ବୋଲି କହୁଥିଲେ ରମେଶ। ଏଥିରେ ରମେଶଙ୍କ ଭିଣୋଇ ଗାଡ଼ିଚାଳକ ପପୁ ମଧ୍ୟ ସାଙ୍ଗରେ ରହୁଥିଲେ। ଆଉ ବିରୋଧ କଲେ ମିଳୁଥିଲା ଅକଥନୀୟ ଅତ୍ୟାଚାର। ଆଉ କାମ କରିବାକୁ ଆସିଛୁ କାମ କର; ଏଥିରେ ମୁଣ୍ଡ ପୂରାଅ ନାହିଁ ବୋଲି ରମେଶଙ୍କ ଠକେଇ ସିଣ୍ଡିକେଟ୍ରେ ସମ୍ପୃକ୍ତି ରହିଥିବା ସମସ୍ତ ଅଭିଯୁକ୍ତ ଗୀତାଙ୍କୁ କହୁଥିଲେ।
ପପୁଙ୍କୁ ରିମାଣ୍ଡରେ ଆଣିବାକୁ ଆଜି କୋର୍ଟରେ ଆବେଦନ
ଗୋଟିଏ ମାସରୁ ଊର୍ଦ୍ଧ୍ବ ହେଲାଣି ରମେଶଙ୍କ ଠକେଇ ଘଟଣାରୁ ପରଦା ହଟୁନି। ରମେଶଙ୍କୁ ନେଇ ଯେତିକି ଖୋଜୁଛି ପୁଲିସ, ସେତିକି ନୂଆନୂଆ ତଥ୍ୟ ସାମ୍ନାକୁ ଆସୁଛି। ରମେଶଙ୍କ ଅପରାଧର ପୃଷ୍ଠଭୂମୀରେ ସମସ୍ତେ ଥିଲେ ଜଣେ ଜଣେ ଖଳନାୟକ। କିଏ ମଧ୍ୟସ୍ଥ ସାଜୁଥିଲା ତ ଆଉ କିଏ ନକଲି ପିଏର କାର୍ଯ୍ୟ ତୁଲାଉଥିଲା। ଏମିତି ଭାବେ ରମେଶ ଦିଲ୍ଲୀଠାରୁ ପଲ୍ଲୀ ପର୍ଯ୍ୟନ୍ତ ବିବାହ ଆଳରେ ଉଚ୍ଚଶିକ୍ଷିତା ମହିଳାଙ୍କୁ ଲଗାଇଛନ୍ତି ଲକ୍ଷ ଲକ୍ଷ ଟଙ୍କାର ଚୂନ। ୧୬ ଜିଲ୍ଲା; ୧୧ ରାଜ୍ୟ ଓ ୫ ଦେଶରେ ଗୋଟିଏ ଚର୍ଚ୍ଚା ଲାଗି ରହିଛି। ତେବେ ଆସନ୍ତାକାଲି ରମେଶଙ୍କ ଗାଡ଼ିଚାଳକ ଚିତ୍ତରଞ୍ଜନ ପଟ୍ଟନାୟକ ଓରଫ ପପୁଙ୍କୁ ୫ଦିନିଆ ରିମାଣ୍ଡରେ ଆଣି ସତ ଉଗାରିବାକୁ କୋର୍ଟରେ ଆବେଦନ କରିବ ତଦନ୍ତକାରୀ ସଂସ୍ଥା। ସେହିପରି ରମେଶ ବିରୋଧରେ ଘରୋଇ ସହାୟିକାଙ୍କ ନିକଟରୁ ଅନେକ କିଛି ତଥ୍ୟ ମିଳିଛି। ଯାହାକୁ ନେଇ ରମେଶଙ୍କୁ ପୁଣିଥରେ ରିମାଣ୍ଡରେ ଆଣି ଜେରା କରାଯିବ ବୋଲି ସ୍ପେଶାଲ ସ୍କ୍ୱାଡ ଏସିପି ସଞ୍ଜିବ ଶତପଥୀ ସୂଚନା ଦେଇଛନ୍ତି।

























