‘ହୃଦୟରୁ ଏବେ ବି ଆପଣମାନେ ଶିବସେନାରେ ଅଛନ୍ତି’: ବିଦ୍ରୋହୀ ବିଧାୟକଙ୍କୁ ଉଦ୍ଧବ ଠାକରେଙ୍କ ଇମୋସନାଲ୍‌ ଅପିଲ୍

0
177

ମୁମ୍ବାଇ : ମହାରାଷ୍ଟ୍ର ରାଜନୀତିର ଗତି କେଉଁଆଡେ? ସିକ୍ରେଟ୍-ସରେଣ୍ଡର୍‌-ସସପେନ୍ସ ଲାଗିରହିଥିବା ବେଳେ ମାହୋଲ ସରଗରମ ରହିଛି । ଶିବସେନାର ଫାୟାରବ୍ରାଣ୍ଡ ନେତା ଏକନାଥ ସିନ୍ଦେ ବିଦ୍ରୋହ ଘୋଷଣା କରିବା ପରେ ଏକ ପ୍ରକାର ହାର୍‌ ମାନିନେଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । କଳବଳ କୌଶଳ ପ୍ରୟୋଗ କରି ଫେଲ୍‌ ମାରିଛନ୍ତି ଉଦ୍ଧବ । ଏବେ ଦଳର ବିଦ୍ରୋହୀ ବିଧାୟକଙ୍କ ପାଇଁ ଇମୋସନାଲ୍‌ କାର୍ଡ ଖେଳିଛନ୍ତି ସିଏମ୍‌ ଠାକରେ ।

ବିଦ୍ରୋହୀ ବିଧାୟକଙ୍କୁ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି, ‘ହୃଦୟରୁ ଆପଣମାନେ ଏବେ ବି ଶିବସେନା ସହିତ ଅଛନ୍ତି’। ଗୌହାଟୀର ଏକ ହୋଟେଲରେ ଥିବା ଶିବସେନାର ଅସନ୍ତୁଷ୍ଟ ବିଧାୟକଙ୍କୁ ଏଭଳି କହି ଇମୋସନାଲ୍‌ କାର୍ଡ ଖେଳିଛନ୍ତି ଠାକରେ । ଏହା ଏଭଳି ସମୟରେ କହିଛନ୍ତି, ଯେତେବେଳେ କି ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଗଣମାଧ୍ୟମକୁ ପ୍ରଥମ ଥର ସାକ୍ଷାତକାର ଦେଇଛନ୍ତି ।

ସିନ୍ଦେ କହିଛନ୍ତି, ଖୁବଶୀଘ୍ର ଶିବସେନାର ଅସନ୍ତୁଷ୍ଟ ବିଧାୟକମାନେ ମୁମ୍ବାଇ ଫେରିବେ । ଉଦ୍ଧବ ଠାକରେ କହିଛନ୍ତି, ‘ପରିବାର (ଶିବସେନା)ର ମୁଖ୍ୟ ଭାବେ ମୋତେ ଆପଣମାନଙ୍କର ଚିନ୍ତା ରହିଛି । ଗତ କିଛିଦିନ ହେଲା ଆପଣମାନଙ୍କୁ ବନ୍ଦୀ ଭାବେ ରଖାଯାଇଛି । ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଆପଣମାନଙ୍କ ମଧ୍ୟରୁ ଅନେକ ଏବେ ବି ଯୋଗାଯୋଗରେ ରହିଛନ୍ତି । ହୃଦୟରୁ ଆପଣମାନେ ଶିବସେନା ସହ ଅଛନ୍ତି’।

ଠାକରେ ଆହୁରି ମଧ୍ୟ କହିଛନ୍ତି, ‘ଦଳର ମୁଖ୍ୟ ଭାବେ ଆପଣମାନଙ୍କ ଭାବାବେଗକୁ ବୁଝି ପାରୁଛି । ଏବେ ବି ବିଳମ୍ବ ହୋଇନାହିଁ । ମୋ ସହ ବସି କଥା ହେବାପାଇଁ ଅପିଲ୍‌ କରୁଛି । ସାଧାରଣ ଜନତା ଏବଂ ଶିବ ସୈନିକଙ୍କ ମଧ୍ୟରେ ଯାହା କିଛି ବି ସନ୍ଦେହ ରହିଛି ସେଗୁଡିକୁ ଦୂର କରିବା ପାଇଁ ଅନୁରୋଧ କରୁଛି । ଶିବସେନା ଆପଣମାନଙ୍କୁ ଯେଉଁ ସମ୍ମାନ ଦେଇଛି ତାହା କେବେ କୌଣସି ଦଳ ଦେଇନାହିଁ କିମ୍ବା ଦେବ ନାହିଁ’ ।

ଅନ୍ୟପଟେ ଉଦ୍ଧବ ଠାକରେଙ୍କ ସମ୍ପର୍କରେ ୨୦ରୁ ଉର୍ଦ୍ଧ୍ବ ବିଦ୍ରୋହୀ ବିଧାୟକ ଥିବାନେଇ ହେଉଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ଏକନାଥ ସିନ୍ଦେ । ଏହା ସହିତ ସେ କହିଛନ୍ତି, ଯେଉଁ ବିଧାୟକମାନେ ବିଦ୍ରୋହୀ କ୍ୟାମ୍ପରେ ସାମିଲ ହୋଇଛନ୍ତି ସେମାନେ ସ୍ବଇଚ୍ଛାରେ ଆସିଛନ୍ତି । ହିନ୍ଦୁତ୍ବକୁ ସମ୍ମାନ ଜଣାଇବା ପାଇଁ ଏବଂ ଆଗକୁ ବଢାଇବା ପାଇଁ ଏମାନେ ନିଜ ଇଚ୍ଛାରେ ହିଁ ଆସିଛନ୍ତି ।

Also Read  ଅଭିନେତା ଶ୍ରୀତମ ବିଜେପିର କଟକ ମେୟର ପ୍ରାର୍ଥୀ

LEAVE A REPLY

Please enter your comment!
Please enter your name here