ଭୁବନେଶ୍ୱର: ଆକାଶରୁ ଅଗ୍ନିବର୍ଷା । ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରି । ପ୍ରଚଣ୍ଡ ଖରାରେ ସିଜୁଛି ଓଡିଶା । ଚଳିତ ବର୍ଷ ପ୍ରଥମ ଥର ପାଇଁ ଟ୍ଵିନ୍ ସିଟିର ଦିନ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି । ଭୁବନେଶ୍ୱର ତାପମାତ୍ରା ୪୦.୨ ଡିଗ୍ରୀ ଥିବା ବେଳେ କଟକରେ ରହିଥିଲା ୪୦.୫ ଡିଗ୍ରୀ । ଆଜି ରାଜ୍ୟରେ ସବୁଠାରୁ ଉତ୍ତପ୍ତ ସହର ହୋଇଛି ଅନୁଗୁଳ। ଦିନର ସର୍ବୋଚ୍ଚ ତାପମାତ୍ର ଥିଲା ୪୩.୭ ଡିଗ୍ରୀ । ଆଜି ରାଜ୍ୟର ୨୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା।
ସେହିପରି ବାରିପଦାରେ ୪୨ ଡିଗ୍ରୀ, ଝାରସୁଗୁଡାରେ ୪୧.୮ ଡିଗ୍ରୀ, କେନ୍ଦୁଝର ଡିଗ୍ରୀ, ସମ୍ବଲପୁର ୪୧.୩ ଡିଗ୍ରୀ, ସୁନ୍ଦରଗଡ, ବୌଦ୍ଧ ଓ ଢେଙ୍କାନାଳରେ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ୧୯ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଓ ସ୍ୱଳ୍ପ ବର୍ଷା ସମ୍ଭାବନା ରହିଛି । କିଛି ସ୍ଥାନରେ ଘଡଘଡି ସହ ବର୍ଷା ହୋଇପାରେ । ଆସନ୍ତା ୨୪ ଘଣ୍ଟା ପାଇଁ ୫ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଓ୍ଵାର୍ଣ୍ଣିଂ ।