ଜାମ୍ମୁ କାଶ୍ମୀର: ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ, ଅନୁପ୍ରବେଶ ପାଇଁ ଚାଲିଥିଲା ଯୋଜନା

0
199

ଶ୍ରୀନଗର : ଜାମ୍ମୁ କାଶ୍ମୀରର କୁପଓ୍ବାଡା ଜିଲ୍ଲାରେ ପୁଣି ସେନାକୁ ବଡ ସଫଳତା ମିଳିଛି । କୁପଓ୍ବାଡାର କେରନ୍‌ ସେକ୍ଟରରେ ୨ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛି ଭାରତୀୟ ସେନା । ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୋଳା ବାରୁଦ ଜବତ କରାଯାଇଛି । ଏ ନେଇ ଜାମ୍ମୁ କାଶ୍ମୀର ପୋଲିସ ଏଜିପି ବିଜୟ କୁମାର ସୂଚନା ଦେଇଛନ୍ତି ।

କୁପଓ୍ବାଡାର କେରନ୍‌ ଅଞ୍ଜଳରେ କିଛି ଆତଙ୍କୀ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଗୁଇନ୍ଦା ରିପୋର୍ଟ ମିଳିଥିଲା । ସେହି ଆଧାରରେ ସେନା ଯବାନ ସେଠାରେ ପହଞ୍ଚି ସଂପୃକ୍ତ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲେ । ତେବେ ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ ଆତଙ୍କୀ । ପ୍ରତିଜବାବରେ ସେନା ଗୁଳିରେ ଦୁଇ ଜଣ ଆତଙ୍କବାଦୀ ଟଳିପଡିଛନ୍ତି ।

ଏଜିପି ବିଜୟ କୁମାର କହିଛନ୍ତି, ନିହତ ଦୁଇ ଆତଙ୍କବାଦୀ ସ୍ଥାନୀୟ ଅଞ୍ଚଳର । ଦୁଇ ଆତଙ୍କୀ ହେଉଛନ୍ତି କୁପଓ୍ବାଡାର ମାଜିଦ ଚେଚି ଏବଂ ସମସୁଦ୍ଦିନ ବେଘ୍‌ । ଏମାନଙ୍କ ସହ ଆଉ କିଛି ଆତଙ୍କୀ ସଂପୃକ୍ତ ଥିବା ଅନୁମାନ କରାଯାଉଛି । ସୁଯୋଗ ଦେଖି ସେମାନେ ଖସିଯିବାକୁ ସକ୍ଷମ ହୋଇଥିବା ପୋଲିସ କହିଛି ।

ଏନକାଉଣ୍ଟର ସ୍ଥଳରୁ ଦୁଇଜଣଙ୍କ ଶବ ଜବତ କରିବା ସହିତ ୪ଟି ଏ.କେ-୪୭ ରାଇଫଲ, ୮ଟି ମାଗାଜିନ ସମେତ ୨ ପ୍ୟାକେଟ୍‌ ନାର୍କୋଟିକ୍ସ ଜବତ କରିଛି । ଘଟଣାସ୍ଥଳର କିଛି ଦୂରରୁ ଆହୁରି ଦୁଇଟି ଏ.କେ-୪୭ ବନ୍ଧୁକ, ମାଗାଜିନ ଏବଂ ୪ଟି ଗ୍ରେନେଡ୍‌ ଜବତ କରାଯାଇଛି । ଏହା ସହିତ ୧୨୮ ରାଉଣ୍ଡ ଜୀବନ୍ତ ଗୁଳି ମଧ୍ୟ ଜବତ କରାଯାଇଛି ।

ନିହତ ଦୁଇ ଆତଙ୍କୀ ଅନ୍ୟ ଆତଙ୍କବାଦୀଙ୍କୁ ଅନୁପ୍ରବେଶ ପାଇଁ ରାସ୍ତା ସଫା କରିବାକୁ ଯୋଜନା କରୁଥିବା ଅନୁମାନ କରାଯାଉଛି । ଯାହା ଦ୍ବାରା କି ସେମାନେ ସହଜରେ ଅନୁପ୍ରବେଶ କରିପାରିବେ । ଏଥିରେ ସ୍ଥାନୀୟ ଅଞ୍ଚଳର କିଛି ବ୍ୟକ୍ତି ସହଯୋଗ କରୁଥିବା ଅନୁମାନ କରାଯାଉଛି । ଯାହାକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ଗତକାଲି ଅର୍ଥାତ ସୋମବାର ମଧ୍ୟ କୁଲଗାମରେ ଲସ୍କର-ଏ-ତୋଏବାର ଦୁଇ ଜଣ ଆତଙ୍କୀଙ୍କୁ ଏନକାଉଣ୍ଟର କରିଥିଲା ଭାରତୀୟ ସେନା ।

Also Read  ଡିମ୍ପଲ-ସୁମିତ ମାମଲା : ହାଇକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କଲେ ସୁମିତ

LEAVE A REPLY

Please enter your comment!
Please enter your name here