ଭୁବନେଶ୍ୱର: ଭୁବନେଶ୍ୱରରେ ବାଇକ ସହ ଜୀଅନ୍ତା ଜଳିଗଲେ ଯୁବକ । ଆଚାର୍ଯ୍ୟବିହାର ଫ୍ଲାଏ ଓଭରରେ ଘଟିଛି ଏହି ଅଘଟଣ । ରାତି ପ୍ରାୟ ୧୨ରେ ରାଜପଥ ଉପରେ ଅତି ରହସ୍ୟଜନକ ଭାବେ ଜଣେ ଯୁବକ ଓ ତାଙ୍କ ବାଇକ୍ ପୋଡି ଯାଉଥିବା ଦେଖିବାକୁ ମିଳିଥିଲା । ବାଟରେ ଯାଉଥିବା ଲୋକ ଏହାକୁ ଦେଖି ଖବର ଦେବାରୁ ସହିଦନଗର ଥାନା ପୁଲିସ ଓ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ଏବଂ ଜଳୁଥିବା ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ । ହେଲେ ଉଦ୍ଧାର ବେଳକୁ ଯୁବକ ଜଣଙ୍କର ଶରୀରର ପ୍ରାୟ ୭୦ପ୍ରତିଶତ ପୋଡି ଯାଇଥିଲା ଓ ମୃତ୍ୟୁ ହୋଇ ସାରିଥିଲା ।
ମୃତ ଯୁବକ ଅମ୍ବିକା ପ୍ରସାଦ ପତି ବୋଲି ଜଣାପଡିଛି। ତାଙ୍କ ଘର ଜଗତସିଂହପୁର ଜିଲ୍ଲାରେ । ସେ ଭୁବନେଶ୍ବରରେ ମାର୍କେଟିଂ ଚାକିରୀ କରୁଥିଲେ। ସେ କେସୁରାରେ ଭଡାରେ ରୁହନ୍ତି। ଗତକାଲି ରାତିରେ ଚନ୍ଦ୍ରଶେଖରପୁର ରେ ଏକ ବାହାଘରକୁ ଯାଇଥିଲେ। ସେଠାରୁ ଭୋଜି ଖାଇ ରୁମକୁ ଫେରୁଥିଲେ । ଆଖପାଖର CCTV ଫୁଟେଜ ଯାଞ୍ଚ କରୁଛି ପୋଲିସ। କେହି ଦୁର୍ବୃତ୍ତ ଯୁବକ ଜଣଙ୍କୁ ହତ୍ୟା କରି ବାଇକ ଉପରେ ଶୁଆଇ ଦେଇଥିବା ପୋଲିସ ସନ୍ଦେହ କରୁଛି।