କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ ବଡ ଝଟକା; ରୋଡ୍‌ ରେଜ୍‌ ମାମଲାରେ ସିଦ୍ଧୁଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡ

0
293
navjot-singh-sidhu-jailed-for-1-year imprisonment in-1988-road-rage-case

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଦ୍ଧୁଙ୍କୁ ବଡ ଝଟ୍‌କା। ବର୍ଷେ ପାଇଁ ଜେଲ୍‌ ଯିବେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ। ୩୪ ବର୍ଷ ପୁରୁଣା ଏକ ପାର୍କିଂକୁ ନେଇ ଦାଦାଗିରି ମାମଲାରେ ସିଦ୍ଧୁଙ୍କୁ ଏକ ବର୍ଷ ପାଇଁ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଛନ୍ତି ସୁପ୍ରିମକୋର୍ଟ।

ପୂର୍ବରୁ ଏହି ମାମଲାରେ ନବଜୋତ ସିଂ ସିଦ୍ଧୁଙ୍କୁ ସୁପ୍ରିମକୋର୍ଟ କେବଳ ୧୦୦୦ ଟଙ୍କା ଜରିମାନା ସହ ଛାଡିଥିଲେ । କିନ୍ତୁ ଏହା ବିରୋଧରେ ପୀଡ଼ିତ ପରିବାର ପକ୍ଷରୁ ସିଦ୍ଧୁଙ୍କ ଦଣ୍ଡ ପରିମାଣ ବଢ଼ାଇବାକୁ ଅପିଲ କରି ଏକ ରିଭ୍ୟୁ ପିଟିସନ ଦାଖଲ କରିଥିଲେ। ଏହାକୁ ଗ୍ରହଣ କରି ଉଚ୍ଚତମ ନ୍ୟାୟାଳୟ ସିଦ୍ଧୁଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

୨୭ ଡିସେମ୍ବର ୧୯୮୮ ରେ ସିଦ୍ଧୁ ତାଙ୍କ ବନ୍ଧୁ ରୁପିନ୍ଦର ସିଂ ସାନ୍ଧୁଙ୍କ ସହ ପଟିଆଲାର ଶେରୱାଲ୍ ଗେଟ୍ ବଜାରକୁ ଯାଇଥିଲେ | ଶେରୱାଲ୍ ଗେଟ୍ ବଜାରରେ କାର ପାର୍କିଂକୁ ନେଇ ୬୫ ବର୍ଷିୟ ଗୁରୁନମ ସିଂଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ରାଗିଯାଇ ସିଦ୍ଧୁ ଗୁରୁନମ ସିଂଙ୍କୁ ଏକ ଚାପୁଡ଼ା ମାରିଥିଲେ । ଏହାପରେ ଗୁରନାମ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ । ଗୁରୁନମ ସିଂଙ୍କୁ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଆଇପିସି ଧାରା ୩୨୩ ଅନୁଯାୟୀ ସିଦ୍ଧୁଙ୍କ ବିରୋଧରେ ୩୪ ବର୍ଷ ତଳେ ମାମଲା ରୁଜୁ ହୋଇଥିଲା। ୧୯୯୯ରେ ସେସନ୍‌ କୋର୍ଟ ଏହି କେସ୍‌କୁ ଖାରଜ କରିଦେଇଥିଲେ। ୨୦୦୨ରେ ପଞ୍ଜାବ ସରକାର ସିଦ୍ଧୁଙ୍କ ବିରୋଧରେ ହାଇକୋର୍ଟରେ ଅପିଲ କରିଥିଲେ। ଡିସେମ୍ବର ୨୦୦୬ରେ ହାଇକୋର୍ଟଙ୍କ ନିଷ୍ପତ୍ତି ଆସିଥିଲା। ହାଇକୋର୍ଟ ସିଦ୍ଧୁ ଏବଂ ତାଙ୍କ ବନ୍ଧୁଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏଥିସହ ଉଭୟଙ୍କୁ ୩ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡାଦେଶ ଶୁଣାଇବା ସହ ୧ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ତେବେ ୨୦୦୬ରେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ସିଦ୍ଧୁ। ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ୍‌ ଲଗାଇ ଦେଇଥିଲେ। ୨୦୧୮ ମେ’ ୧୫ରେ ଧାରା ୩୨୩ ଅନୁଯାୟୀ ସୁପ୍ରିମକୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ସିଦ୍ଧୁ। ଏଥିରେ ସିଦ୍ଧୁଙ୍କୁ ଜରିମାନା ଦେବା ପରେ ମୁକ୍ତ କରାଯାଇଥିଲା। ପରେ ୨୦୧୮ ସେପ୍ଟେମ୍ବର ୧୨ ତାରିଖରେ ଦାଖଲ ହୋଇଥିବା ରିଭ୍ୟୁ ପିଟିସନର ଶୁଣାଣି ପାଇଁ ପ୍ରସ୍ତୁତ ହୋଇଥିଲେ ସୁପ୍ରିମକୋର୍ଟ। ଏହାପରେ ୨୦୨୨ ମାର୍ଚ୍ଚ ୨୫ ତାରିଖରେ ରିଭ୍ୟୁ ପିଟିସନ ଉପରେ ଦେଇଥିବା ରାୟକୁ ସୁରକ୍ଷିତ ରଖିଥିଲେ ସର୍ବୋଚ୍ଚ ଅଦାଲତ। ଏହି ମାମଲାରେ ଏବେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ପଞ୍ଜାବ ପୁଲିସ ସିଦ୍ଧୁଙ୍କୁ ହେପାଜତକୁ ନେବ।

Also Read  Funny quips add colour to the political slugfest