ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଜେରା କରିଛି। ପ୍ରଥମେ ୩ଘଣ୍ଟା ଜେରା କରାଯିବା ପରେ ପୁଣି ଥରେ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ ରାହୁଲ । ତାଙ୍କୁ ପୁଣି ଜେରା କରାଯାଉଛି । ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରଥମ ପର୍ଯ୍ୟାୟରେ ରାହୁଲ ଗାନ୍ଧୀଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ କରିଥିଲେ ୩ ଅଧିକାରୀ । ପ୍ରାୟ ୩ଘଣ୍ଟା ଧରି ତାଙ୍କୁ ଜେରା କରାଯାଇଥିଲା ।
ଇଡିରେ ହାଜର ହେବାକୁ ଆଜି ରାହୁଲ ଗାନ୍ଧି ଏକ ଶୋଭାଯାତ୍ରାରେ ବାହାରିଥିଲେ । ଦଳୀୟ ନେତା ଓ ଶତାଧିକ ସମର୍ଥକଙ୍କ ଗହଣରେ ରାହୁଲ ଇଡି ଅଫିସକୁ ଯାଇଥିଲେ । ରାହୁଲଙ୍କୁ ଇଡି ନୋଟିସ କରିବା ପ୍ରତିବାଦରେ କଂଗ୍ରେସ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦେଶବ୍ୟାପୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ଆଗରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ କରିଛନ୍ତି ।
ମନି ଲଣ୍ଡରିଂ ଆକ୍ଟ (ପିଏମ୍ଏଲ୍ଏ) ର ଅପରାଧିକ ବିଭାଗ ଅଧୀନରେ ରାହୁଲ ଗାନ୍ଧୀଙ୍କ ବିବୃତ୍ତି ରେକର୍ଡ କରୁଛି। ପ୍ରାୟ ଅଢେ଼ଇ ଘଣ୍ଟା ପଚରାଉଚରା ପରେ ରାହୁଲ ଗାନ୍ଧୀଙ୍କୁ ପ୍ରାୟ ୨:୧୦ ସମୟରେ ଇଡି ମୁଖ୍ୟାଳୟରୁ ଭୋଜନ ପାଇଁ ଯିବାକୁ ଅନୁମତି ଦିଆଯାଇଥିଲା। ମଧ୍ୟାହ୍ନ ଭୋଜନ ବିରତି ପରେ ଇଡି ତାଙ୍କୁ ପୁଣି ପଚରାଉଚରା କରୁଛି।