ଆଶା ଆଶଙ୍କାରେ କଟକ ବାରବାଟୀରେ ହେବାକୁ ଥିବା ଟ୍ବେଣ୍ଟି ଟ୍ବେଣ୍ଟି, ଷ୍ଟାଡିୟମର ନାହିଁ ଫାୟାର ସେଫ୍ଟି ସାର୍ଟିଫିକେଟ୍

0
356

କଟକ : କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ଦୁଃଖଦ ଖବର । ଆଶା ଆଶଙ୍କାରେ କଟକ ବାରବାଟୀରେ ହେବାକୁ ଥିବା ଟ୍ବେଣ୍ଟି ଟ୍ବେଣ୍ଟି । ଜୁନ ୧୨ ତାରିଖରେ ଦକ୍ଷିଣ ଆଫ୍ରିକା ଏବଂ ଭାରତ ମଧ୍ୟରେ ହେବାକୁୁ ଥିବା ଟି-୨୦ ମ୍ୟାଚକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ବାରବାଟୀ ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସାର୍ଟିଫିକେଟ୍‌ ନାହିଁ । ଯାହାକୁ ନେଇ ଓଡିଶା କ୍ରିକେଟ ଆସୋସିଏସନ୍‌ (ଓସିଏ) ସମ୍ପାଦକଙ୍କୁ ନୋଟିସ୍‌ ଜାରିକରିଛନ୍ତି ରାଜ୍ୟ ମାନବାଧିକାର କମିଶନ ।

ଆସନ୍ତା ମେ ୨୬ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବା ପାଇଁ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି । ବଡ କଥା ହେଉଛି ଏତେ ବଡ ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ନେଇ କାହିଁକି କେହି ଚିନ୍ତିତ ନଥିଲେ? ଷ୍ଟାଡିୟମର ଫାୟାର ସେଫ୍ଟି ସାର୍ଟିଫିକେଟ୍‌ ନଥାଇ ବି କିଭଳି ଭାବେ ଏତେ ବଡ ଆୟୋଜନରେ ମାତିଥିଲା ଓସିଏ? ପୂର୍ବରୁ ମଧ୍ୟ ଅନେକ ଗୁଠିକ ମ୍ୟାଚ୍‌ ଆୟୋଜିତ ହୋଇଛି ତାହା କିଭଳି ଭାବେ ହୋଇଥିଲା? ଏ ତମାମ୍‌ ପ୍ରଶ୍ନର ଉତ୍ତର ଏବେ କ୍ରିକେଟ୍‌ ପ୍ରେମୀ ଜାଣିବାକୁ ଚାହୁଁଛନ୍ତି ।

ସୂଚନାଯୋଗ୍ୟ, ଆସନ୍ତା ଜୁନ୍‌ ୧୨ ତାରିଖରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ୍‌ ଖେଳାଯିବ । ୫ ମ୍ୟାଚ୍‌ ବିଶିଷ୍ଟ ସିରିଜର ଦ୍ବିତୀୟ ମ୍ୟାଚ୍‌ ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ମ୍ୟାଚକୁ ନେଇ ପ୍ରସ୍ତୁତି ଏବେ ଜୋରଦାର ଚାଲୁରହିଛି । କିନ୍ତୁ ଏହା ପୂର୍ବରୁ ଓସିଏକୁ ଲାଗିଛି ରାଜ୍ୟ ମାନବାଧିକାର କମିଶନଙ୍କ ଝଟ୍‌କା । ଫାୟାର ସେଫ୍ଟି ସାର୍ଟିଫିକେଟ୍‌ ନଥିବାରୁ ନୋଟିସ୍‌ ଜାରି କରି ଜବାବ ତଲବ କରିଛନ୍ତି ଓଏଚଆରସି ।

Also Read  ଓମିକ୍ରନ ବିରୋଧରେ ପ୍ରଭାବ ଦେଖାଉଛି ବୁଷ୍ଟର ଡୋଜ୍‌ !