ଓମିକ୍ରନ ଭାରିଏଣ୍ଟ : ଟିକାର ପ୍ରଭାବକୁ ନେଇ କ’ଣ କହିଲେ ହୁ ..?

0
767
ଗୋଷ୍ଠୀ ସଂକ୍ରମଣ
ଗୋଷ୍ଠୀ ସଂକ୍ରମଣ

ଜେନେଭା: ମହାମାରୀ କରୋନାର ମାରାତ୍ମକ ରୂପ ଓମିକ୍ରନକୁ ନେଇ ଚିନ୍ତାଜନକ ତଥ୍ୟ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଓମିକ୍ରନ ଭାରିଏଣ୍ଟ ଟିକା ଦ୍ୱାରା ସୃଷ୍ଟି ହେଉଥିବା ରୋଗ ପ୍ରତିରୋଧକ ଶକ୍ତିକୁ ମାତ ଦେଇ ପାରୁଛି। ସେହିପରି ଏହା ଡେଲ୍ଟା ଷ୍ଟ୍ରେନ ତୁଳନାରେ ଅଧିକ ବେଗରେ ସଂକ୍ରମଣ କରିବାର କ୍ଷମତା ରଖିଛି। ତେବେ ଓମିକ୍ରନ ଗୁରୁତର ଲକ୍ଷଣ ସୃଷ୍ଟି କରିବାରେ ସକ୍ଷମ ହେଉନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି।

ଡେଲ୍ଟା ଭାରିଏଣ୍ଟ ପ୍ରଥମେ ଭାରତରେ ଠାବ ହୋଇଥିଲା। ଏହାପରେ ଏହା ବିଶ୍ୱର ବିଭିନ୍ନ ପ୍ରାନ୍ତରେ ସଂକ୍ରମଣ ବୃଦ୍ଧି କରିଥିଲା। କିନ୍ତୁ ଓମିକ୍ରନ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିଲା। ଏବେ ଏହା ଭାରତ ସମେତ ବିଶ୍ୱର ୬୦ରୁ ଅଧିକ ଦେଶରେ ପହଞ୍ଚି ଗଲାଣି। ଏହି ଭାରିଏଣ୍ଟ ମ୍ୟୁଟେସନ ହେବାର କ୍ଷମତା ରଖିଛି। ତେଣୁ ଦକ୍ଷିଣ ଆଫ୍ରିକା ସହ ଏକାଧିକ ରାଷ୍ଟ୍ର ବିମାନ ସେବାକୁ ବନ୍ଦ କରିଦେଇଛନ୍ତି।

ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ଓମିକ୍ରନ ଭାରିଏଣ୍ଟ ୬୩ଟି ଦେଶରେ ପହଞ୍ଚି ସାରିଲାଣି। ଏହି ଭାରିଏଣ୍ଟ ଦକ୍ଷିଣ ଆଫ୍ରିକା ଓ ବ୍ରିଟେନରେ କ୍ଷୀପ୍ର ଗତିରେ ବ୍ୟାପୁଛି। ଏହା ଟିକାର ପ୍ରଭାକୁ ନଷ୍ଟ କରିବାକୁ ସକ୍ଷମ। ଏହି କାରଣ ପାଇଁ ସଂକ୍ରମଣ ବୃଦ୍ଧି ପାଉଛି ବୋଲି କୁହାଯାଇ ପାରେ। କିନ୍ତୁ ଏହା ଉପରେ ଅଧିକ ଗବେଷଣାର ଆବଶ୍ୟକ ବୋଲି ସଂଗଠନ କହିଛି।

ହୁ’ ଗୋଟିଏ ବିବୃତିରେ କହିଛି ଯେ “ପ୍ରାଥମିକ ଗବେଷଣାରୁ ଓମିକ୍ରନ ଭାରିଏଣ୍ଟ ଟିକାର ପ୍ରଭାବକୁ ହ୍ରାସ କରୁଛି ଓ ସଂକ୍ରମଣକୁ ବୃଦ୍ଧି କରୁଥିବା ଜଣାପଡ଼ିଛି। ବର୍ତ୍ତମାନ ଉପଲବ୍ଧ ଥିବା ତଥ୍ୟ ଅନୁଯାୟୀ ଡେଲ୍ଟା ଷ୍ଟ୍ରେନ ଦ୍ୱାରା ଦେଖାଯାଉଥିବା ଗୋଷ୍ଠୀ ସଂକ୍ରମଣର ସ୍ଥାନ ଓମିକ୍ରନ ନେଇପାରେ। ଡେଲ୍ଟା ତୁଳୁନାରେ ଓମିକ୍ରନର ସଂକ୍ରମଣ କ୍ଷମତା ପ୍ରାୟ ୩ଗୁଣ ଅଧିକ। ତେବେ ଓମିକ୍ରନ ଭାରିଏଣ୍ଟରେ ସଂକ୍ରମିତ ହେଉଥିବା ଲୋକମାନଙ୍କ ଶରୀରରେ କୌଣସି ପ୍ରକାରର ଗୁରୁତର ଲକ୍ଷଣ ଦେଖାଯାଉନି। ସେହିପରି ସେମାନଙ୍କୁ ଅତିରିକ୍ତ ଚିକିତ୍ସା ସୁବିଧା ମଧ୍ୟ ଯୋଗାଇବାର ଆବଶ୍ୟକ ପଡ଼ୁନି। ତଥାପି ଓମିକ୍ରନ ଯେ ଜଣଙ୍କୁ ଗୁରୁତର କରିପାରିବ ନାହିଁ ବୋଲି ଏବେଠୁ କହିବା ଠିକ ହେବନି। ଏହା ଉପରେ ଅଧିକ ଗବେଷଣା ଜରୁରୀ।”

ନଭେମ୍ବର ୨୪ରେ ଦକ୍ଷିଣ ଆଫ୍ରିକା ପ୍ରଥମଥର ପାଇଁ ଓମିକ୍ରନ ଭାରିଏଣ୍ଟ ସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଜଣାଇଥିଲା। ଏବେ ଦକ୍ଷିଣ ଆଫ୍ରିକାରେ ଦୈନିକ ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ଓମିକ୍ରନ ଟିକାକୁ ମାତ ଦେବାକୁ ସକ୍ଷମ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହୁଥିବା ବେଳେ ଫାଇଜର ବୁଷ୍ଟର ଡୋଜ୍‌ ସପକ୍ଷରେ ମତ ଦେଇଛି। ବୁଷ୍ଟର ଡୋଜ୍‌ ଓମିକ୍ରନ ଭାରିଏଣ୍ଟ ବିରୋଧରେ ୭୦ରୁ ୭୫% ପ୍ରଭାବ ଦେଖାଇ ପାରୁଥିବା କମ୍ପାନୀ କହିଛି। ଏହାକୁ ଦୃଷ୍ଟିରେ ରଖି ବ୍ରିଟେନ ଓ ଫ୍ରାନ୍ସରେ ଲୋକଙ୍କୁ ବୁଷ୍ଟର ଡୋଜ୍ ନେବାକୁ ପରାମର୍ଶ ଦିଆଯାଉଛି।

Also Read  OUR MISSION ON WORLD KIDNEY DAY 2017