ଗ୍ରାହକ ସାଜି ଦୋକାନରୁ ଲୁଟୁଥଲେ : ବନ୍ଧା ହେଲେ ୪ ବଙ୍ଗୀୟ ଯୁବକ

0
555

ଭୁବନେଶ୍ୱର : ଦୋକାନରେ ଗ୍ରାହକ ସାଜି ପଶୁଥିଲେ। ଦୋକାନୀଙ୍କ ସହ ଯୁକ୍ତିତର୍କ କରୁଥିଲେ। ସୁବିଧା ଦେଖି କ୍ୟାସ୍ କାଉଣ୍ଟରକୁ ଟାର୍ଗେଟ କରି ଖାଲି କରି ଦେଉଥିଲେ। ଏହାପରେ ଆଖି ପିଛୁଳାକେ ଛୁ ହୋଇ ଯାଉଥିଲେ।  ଏପରି ଫଣ୍ଡା ଆପଣାଇ ବ୍ରହ୍ମପୁରରୁ ଲୁଟ୍‌ ଅଭିଯାନ ଆରମ୍ଭ କରି ରାଜଧାନୀର ୪ଟି ଦୋକାନରେ କଳାକନା ବୁଲାଇବା ପରେ କଟକ ମୁହାଁ ହୋଇଥିବା ଏକ ଗ୍ୟାଙ୍ଗକୁ ଗିରଫ କରିଛି କମିଶନରେଟ ପୁଲିସ୍‌।

ଆଜି  ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଟୁଇନ ସିଟି କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ରାଜଧାନୀରେ ୫ ଦିନରେ ୪ଟି ଲୁଟ୍‌ ଘଟଣା ଘଟିବା ପରେ ଅଧିକ ତତ୍ପର ହୋଇ ଉଠିଥିଲା ପୁଲିସ୍‌। ଏନେଇ  ୫ ଦିନରେ ୪ଟି ମାମଲା  ରୁଜୁ କରି ୪ ଜଣିଆ ବଙ୍ଗୀୟ ଗ୍ୟାଙ୍ଗକୁ ଧରିଛି ପୁଲିସ୍‌। ଏହି  ଅଭିଯୁକ୍ତମାନେ ପଶ୍ଚିମବଙ୍ଗର ହୋଇଥିବା ବେଳେ ସେମାନେ ମୁଖ୍ୟତଃ ଔଷଧ ଦୋକାନକୁ ଟାର୍ଗେଟ କରୁଥିଲେ। ଏଥିପାଇଁ ଆପଣାଉଥିଲେ ସ୍ୱତନ୍ତ୍ର ପଣ୍ଡା। ପ୍ରଥମେ ଦୋକାନରେ ପଶି ଦୋକାନୀ ସହ ଦରଦାମକୁ ନେଇ ଯୁକ୍ତିତର୍କ କରୁଥିଲେ। ଏହାପରେ ସେମାନଙ୍କ ଲକ୍ଷ୍ୟଚ୍ୟୁତ ହେବା ପରେ ଟଙ୍କା ନେଇ ଛୁ ମାରୁଥିଲେ।  ଗିରଫ ୪ ଅଭିଯୁକ୍ତଙ୍କ ନିକଟରୁ ୩୯ ହଜାର କ୍ୟାସ, ୪ଟି ମୋବାଇଲ, ୨ଟି ଭୋଟର କାର୍ଡ, ଗୋଟିଏ ଆଧାର କାର୍ଡ ଜବତ ହୋଇଛି ।

ଏଥିସହ ସେ କହିଛନ୍ତି, ସମସ୍ତ ଅଭିଯୁକ୍ତ ପଶ୍ଚିମବଙ୍ଗର ହୋଇଥିବା ବେଳେ ସେମାନଙ୍କ ନାମ ହେଲା ରାଜୁ, ଶଙ୍କର, ସୋନୁ ଓ ଶାମ । ରାଜୁ ଘର ପଶ୍ଚିମ ବଙ୍ଗରେ ହୋଇଥିବା ବେଳେ ଶଙ୍କର, ସୋନୁ, ଶାମଙ୍କ ଘର ଉତ୍ତର ଚବିଶ ପ୍ରଗଣାରେ ବୋଲି ଜଣାଯାଇଛି। ରାଜୁ ଗ୍ୟାଙ୍ଗ ଲିଡର ଥିବା ବେଳେ ସେ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିଲା । ଲକ୍‌ଡାଉନ୍‌ ସମୟରେ କାମ ନ ପାଇ ସେମାନେ ଏହି ଫଣ୍ଡାକୁ ରୋଜଗାର ମାଧ୍ୟମ ଭାବେ ଆପଣାଇଥିଲେ।

ଏହି ଗ୍ୟାଙ୍ଗ ସଦସ୍ୟ ପୂର୍ବରୁ ବ୍ରହ୍ମପୁରରେ ବି ଏପରି ଲୁଟପାଟ ଘଟଣାରେ ସାମିଲ ଥିଲେ। ଏହାପରେ ଭୁବନେଶ୍ୱର ମୁହାଁ ହୋଇଥିଲେ। ଏଠାରେ ଅଶୋକ ନଗର ପାଖ ଲଜରେ ରହି ବିଭିନ୍ନ ଦୋକାନରୁ ଲୁଟ୍‌ କରୁଥିଲେ । ଏହାପରେ ସେମାନେ କଟକ ମୁହାଁ ହୋଇଥିଲେ। ହେଲେ ଏହା ପୂର୍ବରୁ ସେମାନଙ୍କୁ ମାଡ଼ି ବସିଛି କମିଶନରେଟ ପୁଲିସ୍‌। ଏହିପରି ଆଉ କିଛି ଗ୍ୟାଙ୍ଗ ବି ସକ୍ରିୟ ଥିବା କହିଛନ୍ତି କମିଶନର । ଏଥିସହ ବ୍ୟବସାୟୀଙ୍କୁ ମଧ୍ୟ ଉପଦେଶ ଦେଇଛନ୍ତି କମିଶନର। ଏନେଇ ସେ କହିଛନ୍ତି, ଦୋକାନ ଭିତରେ ନିଜ କ୍ୟାସ୍‌ ବକ୍ସ ଖୋଲା ରଖନ୍ତୁ ନାହିଁ । ଅଜଣା ଲୋକ ଆସିଲେ ସବୁବେଳେ ସତର୍କ ରୁହନ୍ତୁ ।

Also Read  Derailment of Kamakhya Express: Train Service Resumed

ଏହାବାଦା ରାଜଧାନୀରେ ଦୋକାନୀଙ୍କୁ ଚକମା ଦେଇ ହୋଇଛି ଆଉ ଏକ ଲୁଟ୍ । ଟଙ୍କପାଣି ରୋଡ୍ ଅଞ୍ଚଳର ଏକ ଫର୍ଣ୍ଣିଚର ଦୋକାନରୁ ଏହି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଦୋକାନକୁ ଗ୍ରାହକ ଭାବେ ଆସି କ୍ୟାସ ବାକ୍ସରୁ ଲକ୍ଷେ ଟଙ୍କା ନେଇ ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ। ଜିନିଷ ଦେଖାଇବାକୁ ଦୋକାନୀ ଭିତରକୁ ଯିବା ପରେ ଏହାର ସୁଯୋଗ ନେଇ କ୍ୟାସ୍ ବାକ୍ସରୁ ଲକ୍ଷେ ଟଙ୍କା ନେଇ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଅଭିଯୋଗ ପରେ ସହିଦନଗର ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି ।