ଶ୍ରୀମନ୍ଦିର ପ୍ରକଳ୍ପର ଶିଳାନ୍ୟାସ କଲେ ଗଜପତି ମହାରାଜ : ଓଡ଼ିଶା ପାଇଁ ସ୍ମରଣୀୟ ଦିନ କହିଲେ ମୁଖ୍ୟମନ୍ତ୍ରୀ

0
39

ପୁରୀ: ବେଦପାଠ, ସଂକୀର୍ତ୍ତନ, ହରିବୋଲ ଧ୍ଵନିରେ ଶ୍ରୀମନ୍ଦିର ପ୍ରକଳ୍ପର ଶିଳାନ୍ୟାସ ସ୍ଥାପନ କରିଛନ୍ତି ଗଜପତି । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆଜି ଗଜପତି ମହାରାଜା ଶିଳାନ୍ୟାସ କରିଛନ୍ତି । ସେହିପରି ୩ ଦିନ ଧରି ଚାଲିଥିବା ଯଜ୍ଞରେ ଆଜି ପୂର୍ଣ୍ଣାହୁତି ଦିଆଯାଇଛି । ଗଜପତି ମହାରାଜ ପୂର୍ଣ୍ଣାହୁତି ଓ ଶିଳାନ୍ୟାସ କରିଥିବା ବେଳେ ପ୍ରକଳ୍ପ କାର୍ଯ୍ୟର ମଡେଲକୁ ମୁଖ୍ୟମନ୍ତ୍ରୀ ଅନାବରଣ କରିଛନ୍ତି ।

ମହାପ୍ରଭୁଙ୍କ ପୁରୀ ସହିତ ଅବଶିଷ୍ଟ ବିଶ୍ବକୁ ଯୋଡିବା ତଥା ଭକ୍ତ-ଭଗବାନଙ୍କ ମଧ୍ୟରେ ଦୂରତା ହ୍ରାସ କରି ଶ୍ରୀକ୍ଷେତ୍ରକୁ ସର୍ବଶ୍ରେଷ୍ଠ ଧାର୍ମିକ ତଥା ଐତିହ୍ୟ କ୍ଷେତ୍ରରେ ପରିଣତ କରିବା ଲାଗି ଗୁରୁତ୍ବପୂର୍ଣ୍ଣ ଏକ ଅଂଶ କ୍ରମେ ୩୩୫ କୋଟିର ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ର ଆଜି ଶୁଭାରମ୍ଭ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ସାରା ଓଡିଶା ପାଇଁ ଏକ ଐତିହାସିକ ଦିନ । ସାରା ବିଶ୍ୱର ଜଗନ୍ନାଥପ୍ରେମୀଙ୍କ ପାଇଁ ଆଜି ଏକ ସ୍ମରଣୀୟ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

Puri Parikrama

ଶିଳାନ୍ୟାସ ପରେ ପରିକ୍ରମା ମାର୍ଗ ନିର୍ମାଣ କାମ ଆରମ୍ଭ କରିବ ଟାଟା ପ୍ରକଳ୍ପ । ୧୮ ମାସ ମଧ୍ୟରେ କାମ ସାରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ୩୩୧କୋଟି ୩୮ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଶ୍ରୀମନ୍ଦିର ଚାରିପାଖ ମେଘନାଦ ପାଚେରୀଠାରୁ ୭୫ ମିଟର ମଧ୍ୟରେ ପ୍ରତିଷ୍ଠା ହେବ ପରିକ୍ରମା ମାର୍ଗ ତଥା ଐତିହ୍ୟ କରିଡର । ଏଥିପାଇଁ ଉଚ୍ଛେଦ ପ୍ରକ୍ରିୟା ପ୍ରାୟ ୯୫ ପ୍ରତିଶତ ଶେଷ ହୋଇଛି ।

ତୀର୍ଥଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ଆରକ୍ଷୀ ସେବା କେନ୍ଦ୍ର ରହିବ । ପାନୀୟଜଳ, ପ୍ରାଥମିକ ଚିକିତ୍ସା କେନ୍ଦ୍ର ଏବଂ ଏ.ଟି.ଏମ୍ ବ୍ୟବସ୍ଥା କରାଯିବ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୯ରୁ ଆରମ୍ଭ ହୋଇଥିଲା ଜମି ଅଧିଗ୍ରହଣ ପ୍ରକ୍ରିୟା । ପ୍ରାୟ ୯୬ ପ୍ରତିଶତ ସରିଛି ଜମି ଅଧିଗ୍ରହଣ କାମ । ସାଆନ୍ତେଙ୍କ ପାଇଁ ସ୍ୱଇଚ୍ଛାରେ ଜମି ଦେଇଥିଲେ ଶ୍ରୀକ୍ଷେତ୍ରବାସୀ ।

ମୁଖ୍ୟମନ୍ତ୍ରୀଙ୍କ ସହିତ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ରାଜ୍ୟ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫-ଟି ସଚିବ ଭି.କେ ପାଣ୍ଡିଆନ୍, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାରଙ୍କ ସମେତ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ମଧ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here