୨୦ ବିଦ୍ରୋହୀ ବିଧାୟକ ଆମ ସହିତ ସମ୍ପର୍କ ରଖିଛନ୍ତି: ଶିବସେନା ନେତା ସଞ୍ଜୟ ରାଉତଙ୍କ ଦାବି

0
224

ମୁମ୍ବାଇ: ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ପଦ କି, ଦଳର ମୁଖ୍ୟ ପଦ ହରାଇବାର ବିପଦ ନାହିଁ ବୋଲି ଆଜି ଶିବସେନା ନେତା ସଞ୍ଜୟ ରାଉତ ଦାବି କରିଛନ୍ତି। ଆଜି ସକାଳେ ସେ କହିଛନ୍ତି, ବିଦ୍ରୋହୀ ବିଧାୟକମାନଙ୍କ ମଧ୍ୟରୁ ୨୦ଜଣଙ୍କର ଆମ ସହିତ ସମ୍ପର୍କ ରଖିଛନ୍ତି। ସେମାନେ ମୁମ୍ବାଇକୁ ଆସିଲେ ଆପଣମାନେ ଜାଣିପାରିବେ। କେଉଁ ପରିସ୍ଥିତିରେ ଓ ଚାପରେ ପଡ଼ି ବିଧାୟକମାନେ ଆମକୁ ଛାଡ଼ି ଯାଇଛନ୍ତି ଖୁବ୍‌ ଶୀଘ୍ର ତାହା ଜଣାପଡ଼ିବ।

କିନ୍ତୁ, ଉତ୍ତରପୂର୍ବ ରାଜ୍ୟ ଆସାମରୁ ବିପରୀତ ସମ୍ବାଦ ଆସୁଛି। ଗୌହାଟୀର ପଞ୍ଚତାରକା ହୋଟେଲ୍‌ରେ ବିଦ୍ରୋହୀ ବିଧାୟକମାନଙ୍କ ସହିତ ଅବସ୍ଥାନ କରୁଥିବା ଏକନାଥ ସିନ୍ଦେ କହିଛନ୍ତି କି, ସଶରୀର ହେଉ କି, ଚିଠି ମାଧ୍ୟମରେ ହେଉ, ତାଙ୍କ ସହିତ ଯୋଗ ଦେଇଥିବା ବିଦ୍ରୋହୀ ବିଧାୟକଙ୍କ ସଂଖ୍ୟା ୪୦ ଅତିକ୍ରମ କରିଯାଇଛି।

ଯଦି ତାହା ସତ୍ୟ ହୋଇଥାଏ ତେବେ, ସମ୍ପ୍ରତି ଉଦ୍ଧବ ଠାକ୍‌ରେଙ୍କ ପ୍ରତି ମାତ୍ର ୧୫ଜଣ ବିଧାୟକଙ୍କ ସମର୍ଥନ ରହିଛି। କିନ୍ତୁ, ପ୍ରକୃତରେ କେତେଜଣ ବିଧାୟକ ସିନ୍ଦେଙ୍କୁ ସମର୍ଥନ କରୁଛନ୍ତି ତାହାର ହିସାବ କରିବା ଏବେ କାଠିକର ପାଠ। ସିନ୍ଦେଙ୍କ ସହ ଅବସ୍ଥାନ କରିଥିବା ଜଣେ ଶିବସେନା ବିଧାୟକ ମୁମ୍ବାଇକୁ ଫେରି ଆସି କହିଛନ୍ତି ଯେ, ତାଙ୍କୁ ଅପହରଣ କରାଯାଇ ବଳପୂର୍ବକ ଇଞ୍ଜେକ୍‌ସନ୍‌ ଦିଆଯାଇଥିଲା।

ସଞ୍ଜୟ ରାଉତ ଆହୁରି ମଧ୍ୟ କହିଛନ୍ତି ଯେ, କେତେଜଣ ବିଧାୟକ ଖସିଯାଇ ଆପଣାକୁ ସିଂହ ବୋଲି ମନେକରୁଛନ୍ତି। କିନ୍ତୁ, ଗତକାଲି ଉଦ୍ଧବ ଠାକ୍‌ରେ ‘ମାତୋଶ୍ରୀ’କୁ ଯିବାବେଳେ ଆମେ ଗୋଟିଏ ସିଂହ (ଉଦ୍ଧବ) ଦେଖିଲୁ। ସିନ୍ଦେ ଓ ତାଙ୍କ ଟିମ୍‌ରେ ଥିବା ବିଧାୟକମାନେ ଭୟାତୁର ହୋଇ ବିଶେଷକରି, ପ୍ରବର୍ତ୍ତନ ନିର୍ଦେଶାଳୟ ଭୟରେ ଏଭଳି କାର୍ଯ୍ୟ କରୁଛନ୍ତି। କାରଣ ଠାକ୍‌ରେଙ୍କ ସରକାରରେ ଥିବା ବିଭିନ୍ନ ମନ୍ତ୍ରୀଙ୍କ ବିରୋଧରେ କେନ୍ଦ୍ର ସରକାର ଏକାଧିକ ଅପରାଧିକ ତଦନ୍ତ ଆରମ୍ଭ କରିଛନ୍ତି। ୨ଜଣ ମନ୍ତ୍ରୀ ଜେଲ୍‌ ଯାଇସାରିଛନ୍ତି, ଖୁବ୍‌ ଶୀଘ୍ର ୩ୟ ମନ୍ତ୍ରୀ ଯିବାର ସମ୍ଭାବନା ରହିଛି।

Also Read  କପିଳାସ ଘାଟିରେ ଓଲଟିଲା ଯାତ୍ରୀବାହୀ ଅଟୋ: ଜଣେ ମୃତ, ୪ ଆହତ

LEAVE A REPLY

Please enter your comment!
Please enter your name here