ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସରକାରୀ ନୋଡାଲ୍ ବାପୁଜୀ ଉଚ୍ଚବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ତମନ୍ନା ରାଣୀ ସିଂହ ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ମନ ଜିଣିଛନ୍ତି। ସଚିବଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଭବିଷ୍ୟତରେ ଦକ୍ଷିଣ କୋରିଆ ଯାଇ କେ-ପପ୍ ଆଇଡଲ ହେବା ଲକ୍ଷ୍ୟ ରଖିଥିବା କହିଥିଲେ ତମନ୍ନା। ଏଭଳି ଉତ୍ତରରେ ଶ୍ରୀ ପାଣ୍ଡିଆନ ସନ୍ତୋଷ ପ୍ରକାଶ କରିଥିବା ବେଳେ ଗତକାଲି ୫-ଟିର ଏକ ଚାରି ଜଣିଆ ପ୍ରତିନିଧି ଦଳ ତେନ୍ତୁଳିଖୁଣ୍ଟିରେ ପହଞ୍ଚି ତମନ୍ନାଙ୍କ ସହ ଆଲୋଚନା କରିଛନ୍ତି। ଏହା ପରେ ତମନ୍ନାଙ୍କ ପାଇଁ ନୂତନ ଆଶା ସଂଚାର ହୋଇଛି।
୫-ଟି ଅଧୀନରେ ବିଭିନ୍ନ ସରକାରୀ ଉଚ୍ଚ ବିଦ୍ୟାଳୟର ରୂପାନ୍ତରୀକରଣର କାର୍ଯ୍ୟର ସମୀକ୍ଷା ନିମନ୍ତେ ଚଳିତ ମାସ ୮ରେ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରସ୍ଥ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଭର୍ଚୁଆଲ ମୋଡ୍ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ଏଥିରେ ଯୋଗ ଦେଇଥିଲେ। ବୈଠକରେ ଉପସ୍ଥିତ ଥିବା ତମନ୍ନାଙ୍କୁ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ତାଙ୍କ ଲକ୍ଷ୍ୟ ବିଷୟରେ ପଚାରିଥିଲେ। କେ-ପପ୍ ଆଇଡଲ ହେବା ନିଜର ଲକ୍ଷ୍ୟ ବୋଲି ତମନ୍ନା ଉତ୍ତର ରଖିଥିଲେ। ଏଭଳି ଉତ୍ତର ଶୁଣି ସଚିବ ସାମାନ୍ୟ ଚକିତ ହୋଇପଡ଼ିଥିଲେ। ଏହା କଣ ବୋଲି ପୁଣି ଥରେ ସଚିବ ପ୍ରଶ୍ନ କରିବାରୁ ଏହା ଦକ୍ଷିଣ କୋରିଆର ଏକ ପ୍ରସିଦ୍ଧ ଡ୍ୟାନ୍ସ। ଏହାକୁ କୋରିଆର ପପ୍ ଆଇଡଲ ବୋଲି କୁହାଯାଉଥିବା ବେଳେ ଦକ୍ଷିଣ କୋରିଆ ଯିବାର ଇଚ୍ଛା ରଖିଥିବା ତମନ୍ନା ପ୍ରକାଶ କରିଥିଲେ। ଗତକାଲି ଶ୍ରୀ ପାଣ୍ଡିଆନଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ୱରରୁ ୫-ଟିର ଏକ ଚାରି ଜଣିଆ ପ୍ରତିନିଧି ଦଳ ତେନ୍ତୁଳିଖୁଣ୍ଟିରେ ପହଞ୍ଚି ତମନ୍ନାଙ୍କ ସହ ଆଲୋଚନା କରିଥିଲେ। ପ୍ରତିନିଧି ଦଳ ଏବଂ ତମନ୍ନାଙ୍କ ସହିତ ହୋଇଥିବା ଆଲୋଚନାର ଭିଡିଓ ପ୍ରସ୍ତୁତ କରି ପ୍ରତିନିଧି ଦଳ ନେଇଥିବା ଜଣାପଡ଼ିଛି। ଭବିଷ୍ୟତରେ ତମନ୍ନାଙ୍କ ଲକ୍ଷ୍ୟ ପୂରଣ ହେବ ବୋଲି ବିଡିଓ ଦୁର୍ଯ୍ୟୋଧନ ଭୋଇ, ତହସିଲଦାର ପ୍ରଦୀପ କୁମାର କର ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମରସିଂ ନାୟକ ଆଶା ରଖିଛନ୍ତି।