ଆରଟିଓ ଆଉ ଯିବାକୁ ପଡ଼ିବନି : ଘରେ ବସି ସବୁ କାଗଜପତ୍ର ଡାଉନଲୋଡ କରିବେ କେମିତି ? ଜାଣନ୍ତୁ ….

0
759
ଆରଟିଓ ଆଉ ଯିବାକୁ ପଡ଼ିବନି
ଆରଟିଓ ଆଉ ଯିବାକୁ ପଡ଼ିବନି

ଭୁବନେଶ୍ୱର: ସ୍ମାର୍ଟ କାର୍ଡ ଯୁଗ ଶେଷ । ଆରଟିଓ ଅଫିସରେ ଆଉ ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବନି । ଘରେ ବସି ଗାଡ଼ିର ସବୁ କାଗଜପତ୍ର ଡାଉନଲୋଡ କରିହେବ । ନୂଆ ବ୍ୟବସ୍ଥାରେ ଡ୍ରାଇଭିଂ ଲାଇସେନ୍ସ, ପଞ୍ଜୀକରଣ ପ୍ରମାଣପତ୍ର, ବାଣିଜ୍ୟ ପ୍ରମାଣପତ୍ର, ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ଓ ପରମିଟ୍‌ ପ୍ରଭୃତି ପାଇବା ପାଇଁ ଗାଡ଼ି ଚାଳକଙ୍କୁ ଆଉ ଆରଟିଓ ଦଉଡ଼ିବାକୁ ପଡ଼ିବ ନାହିଁ କିମ୍ବା ଡାକ କର୍ମଚାରୀଙ୍କୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି ।

rto2

ସ୍ମାର୍ଟ କାର୍ଡ ପ୍ରସ୍ତୁତ କରୁଥିବା ସଂସ୍ଥା ସ୍ମାର୍ଟ ଚିପ୍‌ ଲିମିଟେଡ୍‌ ସହ ହୋଇଥିବା ଚୁକ୍ତି ଅବଧି ଜୁଲାଇ ୨୮ରେ ଶେଷ ହୋଇଛି। ସଂସ୍ଥା ସହ ହୋଇଥିବା ଚୁକ୍ତିର ଆଉ ନବୀକରଣ ନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।ଏଥିପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ଏକ ସ୍ବତନ୍ତ୍ର ପୋର୍ଟାଲ ପ୍ରସ୍ତୁତ କରୁଛି। ଆସନ୍ତା ଜାନୁଆରି ୧ ତାରିଖରୁ ଏହି ସୁବିଧା ଉପଲବ୍ଧ ହେବାକୁ ଯାଉଛି। ଏଥିରେ ସମସ୍ତ କାଗଜପତ୍ର କର୍ତ୍ତୃପକ୍ଷଙ୍କର ଡିଜିଟାଲ ଦସ୍ତଖତରେ ଉପଲବ୍ଧ ହେବ। ଡାଉନ୍‌ଲୋଡ୍‌ ହେଉଥିବା ପିଡିଏଫ୍‌ ପୁଲିସ ଚେକିଂ ଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ସରକାରୀ ବ୍ୟବସ୍ଥାରେ ଗ୍ରହଣୀୟ ହେବ।

ଉଲ୍ଲେଖଯୋଗ୍ୟ, ଗାଡ଼ି କାଗଜପତ୍ର ଡାକରେ ଆସୁଥିବାରୁ ଅନେକ ସମୟରେ ବିଳମ୍ବ ହେଉଥିଲା। କେତେକ କ୍ଷେତ୍ରରେ ଠିକଣା ଠିକ୍‌ ଥାଇ ମଧ୍ୟ ଡାକ କର୍ମଚାରୀ ଚିଠି ଦେଉନଥିବା ଅଭିଯୋଗ ରହିଥିଲା। ଘରକୁ କାଗଜପତ୍ର ପହଞ୍ଚିବା ପାଇଁ ଡାକ ଦେୟ ଗାଡ଼ି ମାଲିକକୁ ଦେବାକୁ ପଡ଼ୁଥିଲା। ସ୍ମାର୍ଟ କାର୍ଡ ପ୍ରସ୍ତୁତ କରିବା ପାଇଁ ସ୍ମାର୍ଟ ଚିପ୍‌ ଲିମିଟେଡ୍‌ ମଧ୍ୟ ଟଙ୍କା ନେଉଥିଲା। ଏଭଳି ଅଭିଯୋଗ ସବୁକୁ ଆଖି ଆଗରେ ରଖି ସରକାର ସ୍ମାର୍ଟ କାର୍ଡକୁ ହଟାଇ ଇଣ୍ଟରନେଟ୍‌ରୁ ଏହି ସବୁ କାଗଜପତ୍ର ଡାଉନ୍‌ଲୋଡ୍‌ କରିବା ସୁବିଧା ଉପଲବ୍ଧ କରିବାକୁ ଯାଉଛନ୍ତି।

Also Read  ମହାନଦୀରେ ବୁଡି ୩ ଛାତ୍ର ନିଖୋଜ ଘଟଣା: ମିଳିଲା ଆଉ ଜଣଙ୍କ ମୃତଦେହ, ଜଣେ ନିଖୋଜ