ଫେବୃଆରୀ ୨୭
ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ୟୁକ୍ରେନ ରେ ଫସିରହିଥିବା ଭାରତୀୟ ଛାତ୍ରଛାତ୍ରୀ ଓ ନାଗରିକ ଙ୍କୁ ଦେଶକୁ ଫେରାଇ ଆଣିବା ପାଇଁ ପ୍ରଚେଷ୍ଟା ଚାଲିଛି I ଗତକାଲି ଗୋଟିଏ ବିମାନ ୨୧୯ ଜଣଙ୍କୁ ନେଇକି ଆସିଥିବା ବେଳେ ଏୟାର ଇଣ୍ଡିଆ (AI) -192 ସ୍ୱତନ୍ତ୍ର ବିମାନ ୨୫୦ ଜଣ ଭାରତୀୟ ଛାତ୍ରଛାତ୍ରୀ ଙ୍କୁ ନେଇ ରାତି ପ୍ରାୟ ୩ ଟା ସମୟରେ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଂଚିଛି I
‘ଅପରେସନ୍ ଗଙ୍ଗା’ ଅଧୀନରେ କରାଯାଉଥିବା ଏହି ଅଭିଯାନ ରେ, ରୋମାନିଆର ବୁଖାରେଷ୍ଟରୁ ୨୫୦ ଜଣ ଭାରତୀୟ ଛାତ୍ରଙ୍କୁ ସଫଳତାର ସହ ଏହି ବିମାନରେ ଅଣାଯାଇଛି I ନୂଆଦିଲ୍ଲୀରେ ଫସି ରହିଥିବା ଭାରତୀୟ ଛାତ୍ରମାନଙ୍କ ପରିବାର ସଦସ୍ୟ ସେମାନଙ୍କ ପିଲାମାନେ ବିମାନବନ୍ଦରରେ ପହଞ୍ଚିବା ପରେ ଖୁସି ରେ କାନ୍ଦିପକାଇଥିଲେ I
ଏହାପୂର୍ବରୁ, ଶନିବାର ସନ୍ଧ୍ୟାରେ ରୋମାନିଆରୁ ପ୍ରଥମ ଏୟାର ଇଣ୍ଡିଆ ରେ ୨୧୯ ଜଣ ଭାରତୀୟ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ପ୍ରାୟ ୧୫,000 ଭାରତୀୟ ଛାତ୍ର ୟୁକ୍ରେନ ରେ ଫସିରହିଛନ୍ତି I ୟୁକ୍ରେନରୁ ଆସୁଥିବା ଭାରତୀୟ ନାଗରିକଙ୍କ ଏହା ହେଉଛି ତୃତୀୟ ବ୍ୟାଚ୍ ଏବଂ ଆଗାମୀ ଦିନରେ ଆହୁରି ଅନେକ ବିମାନ ଛାତ୍ରଛାତ୍ରୀ ନେଇ ଆସିବ ବୋଲି ଆଶା କରାଯାଉଛି |
ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ବାହାରେ ଥିବା ଭାରତୀୟ ଛାତ୍ରମାନଙ୍କ ପାଇଁ ବିଭିନ୍ନ ରାଜ୍ୟର ବିଭିନ୍ନ ହେଲ୍ପ ଡେସ୍କ ସ୍ଥାପନ କରାଯାଇଛି ଯାହା ମାଧ୍ୟମରେ ବିଭିନ୍ନ ରାଜ୍ୟର ଛାତ୍ରମାନେ ଘରେ ପହଞ୍ଚିପରିବେ I