ନୂଆଦିଲ୍ଲୀ: ସାରା ବିଶ୍ୱରେ ଆତଙ୍କ ଖେଳାଇଛି କରୋନା ଭୂତାଣୁର ନୂଆ ଭାରିଏଣ୍ଟ ଓମିକ୍ରନ୍। ଦିନକୁ ଦିନ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଛି। ଯାତ୍ରା ଇତିହାସ ନ ଥିବା ଲୋକେ ମଧ୍ୟ ‘ଓମିକ୍ରନ୍ କରୋନାଭାଇରସ୍ ଭେରିଏଣ୍ଟ୍’ଦ୍ବାରା ଆକ୍ରାନ୍ତ ହୋଇଥିବା ଦେଖାଯାଉଛି। ଏହାର ଅର୍ଥ କ୍ରମଶଃ ଭୂତାଣୁର ଗୋଷ୍ଠୀ ସଂକ୍ରମଣ ଘଟୁଛି ବୋଲି ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ କହିଛନ୍ତି।
ସେ କହିଛନ୍ତି ଯେ, ଦେଶର ରାଜଧାନୀ ଦିଲ୍ଲୀରେ ସର୍ବାଧିକ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀରେ ଓମିକ୍ରନ ଆକ୍ରନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୨୬୩ ରେ ପହଞ୍ଚିଛି। ଏନେଇ ଦିଲ୍ଲୀ ସରକାର ଏବେ ଚିନ୍ତାରେ ପଡିଛନ୍ତି। ଦିଲ୍ଲୀରେ ସମୁଦାୟ କୋଭିଡ୍-୧୯ ସଂକ୍ରମଣ ମାମଲାର ୪୬%ରେ ଓମିକ୍ରନ୍ ଭାରିଏଣ୍ଟ୍ ଥିବା କଥା ସଦ୍ୟତମ ‘ଜିନୋମ୍ ସିକ୍ୱେନ୍ସିଂ ରିପୋର୍ଟ’ରୁ ଜଣାପଡ଼ିଛି। ଦିଲ୍ଲୀରେ ଜିନୋମ୍ ସିକ୍ୱେନ୍ସିଂ ପାଇଁ ଆସିଥିବା ୧୧୫ଟି ନମୂନାରୁ ୪୬ଟି ନମୂନା ଓମିକ୍ରନ୍ ପଜିଟିଭ୍ ବୋଲି ଜଣାପଡ଼ିଛି। ଉକ୍ତ ୧୧୫ଜଣ ଆକ୍ରାନ୍ତଙ୍କ ଠାରେ କୌଣିସ ଲକ୍ଷଣ ଦେଖାଯାଉ ନ ଥିଲେ ବି, ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା କଥା ସେ କହିଛନ୍ତି।
ବୁଧବାର ଦିନ ଦିଲ୍ଲୀରେ ୯୨୩ଜଣ କୋଭିଡ୍-୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ‘ୟେଲୋ ଆଲର୍ଟ’ ବଳରେ ସରକାର ଜାରି ଥିବା କଟକଣା ବଳବତ୍ତର ରଖିଥିଲେ ବି ଏହି ସଂକ୍ରମଣ ସଂଖ୍ୟା ମେ’ ୩୦ ପର ଠାରୁ ସର୍ବାଧିକ ଏବଂ ପୂର୍ବରୁ ହେଉଥିବା ଦୈନିକ ସଂକ୍ରମଣ ଠାରୁ ୮୬% ଅଧିକ।
ଏପର୍ଯ୍ୟନ୍ତ ସାରା ଦେଶରେ ୯୬୧ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛି। ଏହି କ୍ରମରେ ଦିଲ୍ଲୀ ସବୁଠାରୁ ଆଗରେ ରହିଛି । ଦିଲ୍ଲୀରେ ୨୬୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୨୫୨, ଗୁଜୁରାଟରେ ୯୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି ଦିଲ୍ଲୀରେ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୫୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦିଲ୍ଲୀ ସରକାର ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଗ୍ରେଡେଡ ଆକ୍ସନ ରେସ୍ପନ୍ସ ପ୍ଲାନ (ଜିଆରଏପି) ଲାଗୁ କରିଛନ୍ତି।

























