କଂଗ୍ରେସ ଛାଡ଼ିଲେ ପ୍ରଦୀପ ମାଝୀ

0
1041
କଂଗ୍ରେସ ଛାଡ଼ିଲେ ପ୍ରଦୀପ ମାଝୀ
କଂଗ୍ରେସ ଛାଡ଼ିଲେ ପ୍ରଦୀପ ମାଝୀ

ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ

ଭୁବନେଶ୍ୱର, ୨୨ା୧୦: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି। ସେ ନିଜ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି ଯେ ଅତ୍ୟନ୍ତ ଦୁଃଖ ଓ ଯନ୍ତ୍ରଣାର ସହିତ ଏଭଳି ନିଷ୍ପତ୍ତି ନେଇଛନ୍ତି। ଦଳରେ ଏବେ ଜନସେବା କରିବାର ସୁଯୋଗ ନ ଥିବାରୁ ପ୍ରଦୀପ ମାଝୀ କଂଗ୍ରେସରୁ ଇସ୍ତଫା ଦେଇଥିବା କଥା ଉଲ୍ଲେଖ କରିଛନ୍ତି।

ବର୍ତ୍ତମାନ ଦଳ ସାଧାରଣ ଲୋକଙ୍କ ଠାରୁ ବିଶ୍ବସନୀୟତା ହରାଇଛି, ଯାହାକୁ ପୁନର୍ବାର ଫେରାଇ ଆଣିବା ପାଇଁ ସମୟ ଲାଗିବ।ଏହାଫଳରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ କଂଗ୍ରେସର ଦୁର୍ଗ ଭୁଶୁଡ଼ିଛି। ଏହା କଂଗ୍ରେସ ଦଳ ପାଇଁ ଶକ୍ତ ଧକ୍କା ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ପ୍ରଦୀପ ମାଝୀ ନବରଙ୍ଗପୁର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

ଗତ କିଛି ମାସ ହେବ ପ୍ରଦୀପ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା, ଯାହାକୁ ନେଇ ରାଜ୍ୟ କଂଗ୍ରେସ ଚିନ୍ତାରେ ରହିଥିଲା। ତେବେ ଚର୍ଚ୍ଚାକୁ ବନ୍ଦ କରିବା ପାଇଁ ଶ୍ରୀ ମାଝୀ କିଛି ଦିନ ତଳେ ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିଥିଲେ। ଆଜି ସକାଳୁ ହଠାତ୍ ପ୍ରଦୀପ ଏଆଇସିସି ସଭାପତି ସୋନିଆ ଗାନ୍ଧୀଙ୍କୁ କଂଗ୍ରେସର ପ୍ରାଥମିକ ସଦସ୍ୟରୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ତାଙ୍କ ଇସ୍ତଫା ପତ୍ରକୁ ମେଲ୍ ମାଧ୍ୟମରେ ପଠାଇଥିବା ଜଣାପଡିଛି। ତାଙ୍କ ଇସ୍ତଫାପତ୍ର ରେ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟ କଂଗ୍ରେସରେ କିଛି ନେତା କିଛି ଗୁରୁତ୍ବ ପୁର୍ଣ୍ଣ ପଦପଦବିରେ ରହି ନିୟମକୁ ନମାନି ଦଳକୁ ନିମ୍ନଗାମୀ କରିବା ପାଇଁ ଉଦ୍ୟମ କରୁଛନ୍ତି। ଯାହାକି ଦଳକୁ ପୁନଃର୍ଗଠନ ପାଇଁ ସମୟସାପେକ୍ଷ ବୋଲି ଉଲ୍ଲେଖ କରିଛନ୍ତି।

ପ୍ରଦୀପଙ୍କ ସହ ଯୋଗାଯୋଗ କରିବା ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ତାଙ୍କ ଫୋନ ବନ୍ଦ ଥିବାରୁ ତାଙ୍କ ସହ ଯୋଗାଯୋଗ କରାଯାଇପାରିନାହିଁ। କୋରାପୁଟ କଂଗ୍ରେସ ନେତାଙ୍କ ଇସ୍ତଫା ପର୍ବ ଚାଲିଥିବା ବେଳେ ଗତ ୪ ଦିନ ହେବ ନବରଙ୍ଗପୁର ଜିଲ୍ଲା କଂଗ୍ରେସର ଜିଲ୍ଲା ଯୁବ କଂଗ୍ରେସ ସଭାପତି ଅଖିଳ ଭତ୍ରା ଓ ଯୁବ କଂଗ୍ରେସ ର ମିଡିଆ ସେଳ୍ ର ଦକ୍ଷିଣ ଓଡିଶା ପ୍ରଭାରୀ ସୁମିତ ପୂଜାରୀ ଇସ୍ତଫା ଦେଇସାରିଥିଲେ। ଏକ ବିଶେଷ ସୂତ୍ରରୁ ଖବର ମିଳିଥିଲା କି ଜିଲ୍ଲା କଂଗ୍ରେସ କମିଟି ଭାଙ୍ଗିବା ପାଇଁ ରାଜ୍ୟ ପିସିସିକୁ ସୁପାରିଶ କରାଯାଇଥିଲା। ଆଜି ପିସିସିର ଜଣେ ନେତା ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସୁଛନ୍ତି। ଆଜି ଜିଲ୍ଲା କଂଗ୍ରେସ କମିଟି ଭାଙ୍ଗିଥାନ୍ତା ବୋଲି ବି ଚର୍ଚ୍ଚା ଜୋର ଧରିଥିଲା। ଆଜି ନବରଙ୍ଗପୁର ସହରର ଜଣେ ଟାଣୁଆ ନେତା ତଥା ନଗର କଂଗ୍ରେସ ସଭାପତି ଉତ୍ତମ ତ୍ରିପାଠୀ ବି ଇସ୍ତଫା ପ୍ରଦାନ କରିଛନ୍ତି। ତାଙ୍କ ଇସ୍ତଫା ପତ୍ରକୁ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ପଠାଇଥିବା କହିଛନ୍ତି।
ଏଣେ ପ୍ରଦୀପ ମାଝିଙ୍କ ଇସ୍ତଫା ସଂପର୍କରେ ପ୍ରତିକ୍ରିୟା ଦେଇ ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ପ୍ରଦୀପଙ୍କୁ ଏଆଇସିସି ସସପେଣ୍ଡ କରିବା ଆଗରୁ ପ୍ରଦୀପ ମାଝି ଇସ୍ତଫା ଦେଇଛନ୍ତି। ପ୍ରଦୀପ ଜଣେ ଉଚ୍ଚାକାଙକ୍ଷୀ। ତାଙ୍କର ଇସ୍ତଫା ଦଳ ଉପରେ କିଛି ପ୍ରଭାବ ପକାଇବ ନାହିଁ।

Also Read  Odisha CM writes to PM of India for enhancement of beneficiaries under NFSA