ନୂଆଦିଲ୍ଲୀ : କରୋନା ଭାଙ୍ଗିଲା ୮ ମାସର ରେକର୍ଡ । ୮ ମାସ ପରେ ବୁଧବାର ୩ ଲକ୍ଷରୁ ଅଧିକ ପଜିଟିଭ ମାମଲା ସାମନାକୁ ଆସିଛି। ଦେଶରେ ଦିନକରେ ୩,୧୭,୫୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପୂର୍ବରୁ ଗତ ୧୫ ମେ’ରେ ୩ ଲକ୍ଷରୁ ଅଧିକ ମାମଲା ସାମନାକୁ ଆସିଥିଲା। ତୃତୀୟ ଲହରରେ ପ୍ରଥମ ଥର ପାଇଁ ଦୈନିକ ମାମଲା ୩ ଲକ୍ଷ ପାର କରିଛି ।
କରୋନାର ତୃତୀୟ ଲହର ଆସିବା ପରଠୁ ଏହି ଅଙ୍କ ଛୁଇଁବାକୁ କେବଳ ୨୩ ଦିନ ଲାଗିଥିଲା। କିନ୍ତୁ ଦ୍ୱିତୀୟ ଲହରରେ ଏହି ଅଙ୍କ ଛୁଇଁବାକୁ ପ୍ରାୟ ୬୦ ଦିନ ଲାଗି ଯାଇଥିଲା । ଗତକାଲିଠାରୁ ୩୪,୫୬୨ ଜଣ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ଦୈନିକ ପଜିଟିଭିଟି ହାର ୧୬.୪୧% । ଦେଶରେ ଦିନକରେ ୪୯୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଦେଶରେ ମୃତ୍ୟୁସଂଖ୍ୟା ୪ ଲକ୍ଷ ୮୭ ହଜାର ୬୯୩କୁ ବୃଦ୍ଧି ପାଇଛି। ଆକ୍ଟିଭ କେସ୍ ୧୯,୨୪,୦୫୧ ଥିବା ବେଳେ ସୁସ୍ଥ ହେଲେଣି ୩,୫୮,୦୭,୦୨୯ ।
ବୁଧବାର ଏହି ମାମଲା ୩ ଲକ୍ଷ ପାର କରିଥିବା ବେଳେ ଏହା ପୂର୍ବ ସପ୍ତାହ ତୁଳନାରେ ୨୭% ଅଧିକ ରହିଛି। ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩.୮ କୋଟି ଛୁଇଁଥିବା ବେଳେ ଆକ୍ଟିଭ କେସ୍ ସଂଖ୍ୟା ୧୮.୯ ଲକ୍ଷ ପାର୍ କରି ସାରିଛି। ଯୁକ୍ତରାଷ୍ଟ୍ର ଆମେରିକା ପରେ ଭାରତ କରୋନା ଦ୍ୱାରା ପ୍ରଭାବିତ ଦ୍ୱିତୀୟ ରାଷ୍ଟ୍ର। ୧୭ ଜାନୁୟାରୀରୁ ଏ ଯାବତ ଦେଶରେ ୮.୭ ଲକ୍ଷରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇ ସାରିଲେଣି। ଅନ୍ତରାଷ୍ଟ୍ରୀୟ ଡାଟାରୁ ମିଳିଥିବା ସୂଚନା ଅନୁଯାୟୀ, ଜାନୁଆରୀରେ ଭାରତ ଓ ଆମେରିକାକୁ ବାଦ ଦେଇ ଆର୍ଜେଣ୍ଟିନା ଏପରି ଦେଶ ଥିଲା ଯେଉଁଠାରେ ଦୈନିକ ଲକ୍ଷେରୁ ଅଧିକ ମାମଲା ରୁଜୁ ହେଉଥିଲା।