କ୍ୟାପିଟାଲ ହାଇସ୍କୁଲରେ ଦୁଇ ନବମ ଶ୍ରେଣୀ ଛାତ୍ର କରୋନା ପଜିଟିଭ

0
733
ଓଡ଼ିଶାରେ ୩୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ୭ ମୃତ
ଓଡ଼ିଶାରେ ୩୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ୭ ମୃତ

ଭୁବନେଶ୍ୱର: ରାଜଧାନୀର ସରକାରୀ ସ୍କୁଲରେ ପଶିଲା କରୋନା। କ୍ୟାପିଟାଲ ହାଇସ୍କୁଲରେ ଦୁଇ ଜଣ ନବମ ଶ୍ରେଣୀ ଛାତ୍ର କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି। ବିଏମସି ପକ୍ଷରୁ କରାଯାଇଥିବା କରୋନା ଟେଷ୍ଟିଙ୍ଗ କ୍ୟାମ୍ପରୁ ଦୁଇ ଛାତ୍ର ପଜିଟିଭ ଚି଼ହ୍ନଟ ହୋଇଛନ୍ତି। ଏନେଇ କ୍ୟାପିଟାଲ ହାଇସ୍କୁଲର ପ୍ରଧାନଶିକ୍ଷକ ସୂଚନା ଦେଇଛନ୍ତି।

ଦୁଇ ଛାତ୍ର ହୋମ ଆଇସୋଲେସନରେ ଅଛନ୍ତି। ସ୍କୁଲକୁ ସାନିଟାଇଜ କରିବା ପାଇଁ ବିଏମସିକୁ  ସ୍କୁଲ କର୍ତ୍ତୃପକ୍ଷ ଅନୁରୋଧ କରିଥିବା ଜଣାଯାଇଛି।କରୋନା ମୁକାବିଲାକୁ ଆହୁରି ସଦୃଢ଼ କରିବା ପାଇଁ ବିଏମ୍‌ସି ‘୩-ଟି’ ବ୍ୟବସ୍ଥା ଶୁଭାରମ୍ଭ କରିଛି। ‘ଟେଷ୍ଟିଂ, ଟ୍ରେସିଂ ଟ୍ରିଟ୍‌ମେଣ୍ଟ’ ବ୍ୟବସ୍ଥାକୁ ମଜବୁତ୍‌ କରିବା ପାଇଁ ପ୍ରତ୍ୟେକ ସ୍କୁଲରେ ନମୁନା ପରୀକ୍ଷା ଆରମ୍ଭ କରିଛି। ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ କର୍ମଚାରୀଙ୍କର ନମୁନା ପରୀକ୍ଷା କରାଯାଉଛି। ୩ଟି ୱାର୍ଡରେ ଗୋଟିଏ ଲେଖାଏ ସ୍ବତନ୍ତ୍ର ଟିମ୍‌ ସ୍କୁଲ୍‌କୁ ଯାଇ ନମୁନା ସଂଗ୍ରହ କରୁଛି। ପ୍ରଥମେ ରାପିଡ୍‌-ଆଣ୍ଟିଜେନ୍‌ ପରୀକ୍ଷା କରାଯିବା ପରେ ଆବଶ୍ୟକ ପଡ଼ିଲେ ଆର୍‌ଟିପିସିଆର ହେଉଛି। ଓମିକ୍ରନ୍‌ ଭାରିଏଣ୍ଟ ଦେଶରେ ଚିହ୍ନଟ ହେବା ପରେ ଆଗକୁ ଯେଭଳି କରୋନା ନ ବ୍ୟାପିବ ସେଥିପାଇଁ ବିଏମ୍‌ସି ପକ୍ଷରୁ ଏଭଳି ଏକ ପଦକ୍ଷେପ ନିଆଯାଇଥିବା କମିସନର ସଞ୍ଜୟ ସିଂହ କହିଛନ୍ତି।

ଏଭଳି ନିର୍ଦ୍ଦେଶ ମିଳିବା ପରେ ବିଭିନ୍ନ ଜୋନ୍‌ର ଜେଡ୍‌ଡିସି ପୁରନ୍ଦର ନନ୍ଦ, ମହେନ୍ଦ୍ର ବଢ଼େଇ ଓ ରବି ନାରାୟଣ ଜେଠୀ ପ୍ରମୁଖ ଟେଷ୍ଟିଂ କ୍ୟାମ୍ପ ବୁଲି ଏହି ପରୀକ୍ଷା ନିଶ୍ଚିତ କରୁଛନ୍ତି। ଅନେକ ସମୟରେ ଛାତ୍ରଛାତ୍ରୀ ଅନୁପସ୍ଥିତ ରହୁଥିବା ଦେଖାଯାଉଛି। ଏଣୁ ସେମାନେ ସ୍କୁଲ ଆସିବା ପରେ ଆଉ ଥରେ ଟିମ୍‌ ଯାଇ ପରୀକ୍ଷା କରିବା ପାଇଁ ଜେଡ୍‌ଡିସିମାନେ ବ୍ୟବସ୍ଥା କରୁଛନ୍ତି। ଜଣେ ହେଲେ ଛାତ୍ର ଯେଭଳି ବାଦ୍‌ ନପଡ଼ିବେ ସେ ନେଇ ନିଶ୍ଚିତ କରୁଛନ୍ତି।

ଉତ୍ତର ଜୋନ୍‌ରେ ରସୁଲଗଡ଼ ଓ ନୂଆପଲ୍ଲୀ ଆଶ୍ରମ ସ୍କୁଲ୍‌, ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ଆଇଏଚ୍‌ଏମ୍‌, ନହରକଣ୍ଟା ବିଜୁ ପଟ୍ଟନାୟକ କଲେଜ୍‌, ଜିଜିପି କଲୋନି ହାଇସ୍କୁଲ, ଭିଏସ୍‌ଏସ୍‌ନଗର ହାଇସ୍କୁଲ ପ୍ରଭୃତିରେ କ୍ୟାମ୍ପ କରାଯାଇଥିବା ବେଳେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ମହର୍ଷି କଲେଜ ଅଫ୍ ନ୍ୟାଚୁରାଲ ଲ, ୟୁନିଟ-୯ ବାଳକ ହାଇସ୍କୁଲ, ବଡ଼ଗଡ଼ ଓ କ୍ୟାପିଟାଲ ହାଇସ୍କୁଲ, ୟୁନିଟ୍‌-୮ ଡିଏଭି, ଆଇଆରସି ଭିଲେଜ୍‌ ହାଇସ୍କୁଲ, ନୂଆପଲ୍ଲୀ ସରସ୍ବତୀ ଶିଶୁମନ୍ଦିର, ତପୋବନ ହାଇସ୍କୁଲ, ପାଇକନଗର ହାଇସ୍କୁଲ, ପ୍ରଭୃତିରେ ୧ହଜାର ୫ଶହ ଜଣଙ୍କର ନମୁନା ପରୀକ୍ଷା କରାଯାଇଛି।

 

Also Read  ୧୦ରୁ ସମସ୍ତ ମହାବିଦ୍ୟାଳୟ ଓ ବିିଶ୍ବବିଦ୍ୟାଳୟ ବନ୍ଦ