ଖଣି ଖାଦାନରେ ଧସିଲା ପାହାଡ଼ : ୧୫ ଜଣଙ୍କ ମିଳୁନି ପତ୍ତା

0
692
ଖଣି ଖାଦାନରେ ଧସିଲା ପାହାଡ଼
ଖଣି ଖାଦାନରେ ଧସିଲା ପାହାଡ଼

ଚଣ୍ଡିଗଡ଼: ୨୦୨୨ ଆରମ୍ଭରୁ ଗୋଟିଏ ପରେ ଗୋଟିଏ ଅଘଟଣ ଘଟିବାରେ ଲାଗିଛି। ପ୍ରଥମେ ଜମ୍ମୁ-କଶ୍ମୀରର ବୈଷ୍ଣୋ ଦେବୀ ଭବନରେ ଦଳାଚକଟାରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ହରିଆଣାରେ ଭୟଙ୍କର ଭୂସ୍ଖଳନ ହୋଇଛି। ଆଜି ହରିଆଣାର ଭିୱାନି ଖଣି ଖାଦାନରେ ବିରାଟ ପାହାଡ଼ ଧସିବାରୁ ୧୦ରୁ ୧୫ ଜଣ ଶ୍ରମିକ ନିଖୋଜ ହୋଇଯାଇଛନ୍ତି। ଏଥିସହ ଖନନ କାର୍ଯ୍ୟରେ ସାମିଲ ଥିବା ଅନେକ ଗାଡ଼ି ମଧ୍ୟ ମାଟି ଅତଡ଼ା ତଳେ ଫସି ରହିଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଜଣେ ଶ୍ରମିକଙ୍କ ଶବକୁ ମାଟି ଅତଡ଼ା ତଳୁ ବାହାର କାରାଯାଇଛି। ଅନ୍ୟମାନଙ୍କୁ ଖୋଜିବା କାମ ଜାରି ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ପ୍ରତିଦିନ ଭଳି ଆଜି ମଧ୍ୟ ଦାଦମ ଖଣି ଅଞ୍ଚଳରେ କାମ ଚାଲିଥିଲା। ତେବେ ହଠାତ୍‌ ଗୋଟିଏ ବିରାଟ ପାହାଡ଼ର କିଛି ଅଂଶ ଭୁଶୁଡ଼ି ପଡ଼ିଥିଲା। ଫଳରେ ସେଠାରେ କାମ କରୁଥିବା ୧୦ରୁ ୧୫ ଜଣ ଶ୍ରମିକ ଗାଡ଼ି ସହ ଏହା ତଳେ ଚାପି ହୋଇଯାଇଛନ୍ତି। ସେମାନଙ୍କୁ ଠାବ କରିବା ପାଇଁ ଅଗ୍ନିଶମ କର୍ମଚାରୀ ଓ ଅନ୍ୟ ଉଦ୍ଧାରକାରୀ ଦଳ ପହଞ୍ଚିଛନ୍ତି। ତେବେ ଏଯାଏ ସେମାନଙ୍କର କୌଣସି ବି ପତ୍ତା ମିଳିନି। ଆମ୍ବୁଲାନ୍ସ ଯୋଗେ ଆଉ କିଛି ଆହତ ଶ୍ରମିକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳର ଭିଡିଓ ସାମ୍ନାକୁ ଆସିଛି। କ’ଣ ପାଇଁ ପାହାଡ଼ ଧସିଲା, ସେକଥା ଏଯାଏ ଜଣାପଡ଼ିନି। କିନ୍ତୁ ପାହାଡ଼କୁ ଫଟାଇବା ବେଳେ ଏପରି ଘଟଣା ଘଟିଥିବା କୁହାଯାଉଛି।

 

ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଦାଦମ ମାଇନିଂ ଜୋନରେ ଘଟିଥିବା ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ଏଥିସହ ସେ ସ୍ଥାନୀୟ ପ୍ରଶାସନ ସହ ନିୟମିତ ଯୋଗାଯୋଗରେ ରହି ଉଦ୍ଧାର କାର୍ଯ୍ୟ ତ୍ୱାରନ୍ୱିତ କରୁଥିବା ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ସେହିପରି ହରିଆଣା କୃଷି ମନ୍ତ୍ରୀ ଜେପି ଦଲାଲ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି। ତାଙ୍କ ସହ ଅନ୍ୟ ବରିଷ୍ଠ ପୁଲିସ୍‌ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି।

ସୂଚନାଯୋଗ୍ୟ, ପ୍ରଦୂଷଣ ପାଇଁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ୨ ମାସ ପାଇଁ ଏହି ଅଞ୍ଚଳରେ ଥିବା ଖଣି ଖାଦାନରେ ଚାଲିଥିବା କାମ ଉପରେ ରୋକ ଲଗାଇଥିଲେ। କିନ୍ତୁ କିଛି ଦିନ ତଳେ ଏହି ଆଦେଶକୁ ପ୍ରତ୍ୟାହାର କରାଯାଇଥିଲା। ସେବେଠାରୁ ଦାଦମ ମାଇନିଂ ଅଞ୍ଚଳ ଓ ଖନାକ ପହରିରେ ଖନନ କାମ ଚାଲିଛି।

Also Read  ରାଜ୍ୟରେ ସର୍ବାଧିକ ୧୫ ଜଣ ସଂକ୍ରମିତଙ୍କ ପ୍ରାଣହାନି : ମୃତକଙ୍କ ମଧ୍ୟରେ ଏକ ୧୩ ମାସର ଶିଶୁ