ଛେଳି ଚୋରି କରି ଥାନାରେ ଭୋଜି କରି ଖାଇଗଲେ : ପୁଲିସ୍‌ ଏଏସ୍‌ଆଇ ସସ୍‌ପେଣ୍ଡ

0
745
ଏଏସ୍‌ଆଇ ସୁମନ ମଲ୍ଲିକଙ୍କୁ ସସ୍‌ପେଣ୍ଡ
ଏଏସ୍‌ଆଇ ସୁମନ ମଲ୍ଲିକଙ୍କୁ ସସ୍‌ପେଣ୍ଡ

ବଲାଙ୍ଗିର : ପୁଲିସ୍‌ ସାଜିଲା ଚୋର। ଛେଳି ଚୋରି କରି ଥାନାରେ ଭୋଜି କରି ଖାଇଗଲେ ମାଂସ। ଏନେଇ ଅଭିଯୋଗ କରିବାରୁ ଛେଳି ମାଲିକଙ୍କୁ ନାଲି ଆଖି ଦେଖାଇବା ସହ ଥାନାରେ ଅଟକ ରଖାଗଲା। ହେଲେ ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ଲୋକେ ତାତିବାରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବଲାଙ୍ଗିର ଏସ୍‌ପି । ଛେଳି ଚୋରି କରିଥିବା ବଲାଙ୍ଗିର ଜିଲ୍ଲା ସିନ୍ଧେକଲା ଥାନା ଏଏସ୍‌ଆଇ ସୁମନ ମଲ୍ଲିକଙ୍କୁ ସସ୍‌ପେଣ୍ଡ କରିଛନ୍ତି ଏସ୍‌ପି ।

ସିନ୍ଧେକେଲା ଗାଁର ସଂକୀର୍ତ୍ତନ ଗୁରୁ ଅଭିଯୋଗ କରିଛନ୍ତି, ତାଙ୍କର ଦୁଇଟି ଛେଳିକୁ ଏଏସ୍ଆଇ ସୁମନ ମଲ୍ଲିକଙ୍କ ସମେତ ଆଉ କିଛି ପୁଲିସ୍‌ ଚୋରି କରି ନେଇଥିଲେ । ପୁଲିସ୍‌ମାନେ ତାଙ୍କ ବାଡ଼ିରୁ ଛେଳି ୨ଟିକୁ ଟେକି ନେଇ କାଟୁଥିବା ବେଳେ ଦେଖି ଦେଇଥିଲେ ସଂକୀର୍ତ୍ତନଙ୍କ ପରିବାର ଓ ସ୍ଥାନୀୟ ଲୋକେ । ପ୍ରତିବାଦ କରିବାରୁ ଓଲଟି ପୁଲିସ୍‌ ସେମାନଙ୍କୁ ନାଲି ଆଖି ଦେଖାଇଥିବା କହିଛନ୍ତି ସଂକୀର୍ତ୍ତନ ।

ଏହାପରେ ଗତ ରାତିରେ ଉକ୍ତ ଛେଳି ମାଂସକୁ ଭୋଜି କରି ଥାନା କର୍ମଚାରୀ ଆସରରେ ମାତିଥିଲେ। ଏହି ସମୟରେ ସଂକିର୍ତ୍ତନ ପହଞ୍ଚି ଅଭିଯୋଗ କରିବାରୁ ତାଙ୍କୁ ଥାନା ଅଧିକାରୀ ନାଲି ଆଖି ଦେଖାଇଥିଲେ। ଏପରିକି ସଂକିର୍ତ୍ତନଙ୍କୁ ଥାନାରେ ଅଟକ ରଖାଯାଇଥିଲା। ଖବର ପାଇ ସ୍ଥାନୀୟ ଲୋକେ ପହଞ୍ଚି ଥାନା ଘେରାଉ କରିଥିଲେ। ଫଳରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଚନା ଦେଖାଦେଇଥିଲା। ଚାରି ଆଡ଼ୁ ସମାଲୋଚନାର ଶିକାର ହେବା ପରେ ଆଜି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବଲାଙ୍ଗିର ଏସ୍‌ପି ଏଏସ୍‌ଆଇଙ୍କୁ ସସ୍‌ପେଣ୍ଡ କରିଛନ୍ତି ।

Also Read  ଶ୍ରୀନଗରରେ ପହଞ୍ଚିଲେ ଅମିତ ଶାହ : ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବେ