ମୁମ୍ବାଇ : ଏଯାବତ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ୧୩ଟି ସିଜନ ଖେଳିସାରିଛି ଚେନ୍ନାଇ ସୁପର କିଙ୍ଗ୍ସ। ଏଥିରୁ ୨ ଥର ଦଳ ପ୍ଲେ-ଅଫ୍ ଖେଳିବାରୁ ବଞ୍ଚିତ ହୋଇଛି। ପ୍ରଥମ ଥର ପାଇଁ ଦଳ ୨୦୨୦ରେ ପ୍ଲେ-ଅଫ୍ରେ ପହଞ୍ଚି ନ ଥିବା ବେଳେ ଚଳିତ ଆଇପିଏଲ୍ରେ ମଧ୍ୟ ସମାନ ଘଟଣା ଘଟିଛି। ଗୁରୁବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଦଳ ୫ ଉଇକେଟରେ ପରାଜିତ ହେବା ପରେ ପ୍ଲେ-ଅଫରୁ ବାହାର ହୋଇଛି। ତେବେ ଚେନ୍ନାଇର ଏହି ବିଫଳତା ସମୟରେ ଉଭୟ ଥର ଦଳରେ ସୁରେଶ ରାଇନା ସାମିଲ ନ ଥିଲେ।
‘ମିଷ୍ଟର ଆଇପିଏଲ୍’ ନାମରେ ପରିଚିତ ରାଇନା ଚେନ୍ନାଇର ଅଂଶ ରହି ଆସୁଥିଲେ। ହେଲେ ୨୦୨୨ ନିଲାମରେ ତାଙ୍କୁ ଦଳ ରିଟେନ କରି ନ ଥିଲା। ତାଙ୍କୁ ଅନ୍ୟ କୌଣସି କ୍ରେତା ମଧ୍ୟ ମିଳି ନ ଥିଲା। ପୂର୍ବରୁ ୨୦୨୦ରେ ଆଇପିଏଲ୍ରୁ ହଠାତ ନାମ ଫେରାଇ ଆଣି ଦୁବାଇରୁ ସ୍ବଦେଶ ଫେରି ଆସିଥିଲେ ସେ। ଏହାପରେ ଫ୍ରାଞ୍ଚାଇଜ ଏବଂ ତାଙ୍କ ଭିତରେ ମନୋମାଳିନ୍ୟ ନେଇ ଖବର ପ୍ରକାଶ ପାଇଥିଲା। ତେବେ ରାଇନାଙ୍କ ଅନୁମସ୍ଥିତି ଦଳ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇ ନ ଥିବା ବେଳେ ଦୁଇଥର ଯାକ ଦଳ ଟୁର୍ନାମେଣ୍ଟରେ ଆଗକୁ ବଢ଼ି ପାରି ନ ଥିବା ନେଇ ଚର୍ଚ୍ଚା ହେଉଛି।